Latest Odisha News

ବିଶ୍ୱନେତାଙ୍କ ବୟସ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇ ସମ୍ଭାବ୍ୟ ପ୍ରାର୍ଥୀ ଜୋ ବାଇଡେନ୍ ଓ ଡୋନାଲଡ୍ ଟ୍ରମ୍ପଙ୍କ ବୟସକୁ ନେଇ ଚର୍ଚ୍ଚା । ଯିଏ ବି ନିର୍ବାଚନ ଜିତିବେ ସେ ହେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି । ବାଇଡେନଙ୍କୁ ଏବେ ୮୧ ଓ ଟ୍ରମ୍ପଙ୍କୁ ୭୮ ବର୍ଷ । ଆମେରିକା ପାର୍ଲାମେଂଟ ସଦସ୍ୟ ଓ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା ରହିବା ଅଧିକାଂଶ ଆମେରିକୀୟ ଚାହାନ୍ତି ବୋଲି ଏକ ଅଗ୍ରଣୀ ଖବରକାଗଜର ସର୍ବେକ୍ଷଣରୁ ଜଣାପଡିଥିଲା । କିଛି ବର୍ଷ ପୂର୍ବେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଥିଲା ଯେ, ୫୨ ପ୍ରତିଶତରୁ ଅଧିକ ଲୋକ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ଚାହାନ୍ତି ନାହିଁ ।

ବର୍ତ୍ତମାନ ବୁର୍କିନୋ ଫାସୋର ରାଷ୍ଟ୍ରପତି ଇବ୍ରାହିମ ତରାଉରେ ହେଉଛନ୍ତି ବିଶ୍ୱର ସବୁଠୁ ଯୁବ ଶାସନ ମୁଖ୍ୟ । ତାଙ୍କ ବୟସ ମାତ୍ର ୩୬ । ବୟସରେ ଇକ୍ୱେଡର ରାଷ୍ଟ୍ରପତି ଓ ମଂଟିନିଗ୍ରୋ ପ୍ରଧାନମନ୍ତ୍ରୀଙ୍କଠାରୁ ମାତ୍ର କିଛି ମାସ ସାନ ହେଉଛନ୍ତି ବୁର୍କିନୋ ଫାସୋ ରାଷ୍ଟ୍ରପତି । ଆୟର୍ଲାଣ୍ଡର ସାଇମନ ଓ ଚିଲି ରାଷ୍ଟ୍ରପତି ଗାବ୍ରିଏଲ ବୋରିଚ୍‌ଙ୍କ ବୟସ ବି ୪୦ ବର୍ଷରୁ କମ୍ ।

ବର୍ତ୍ତମାନ ବିଶ୍ୱର ସବୁଠାରୁ ବୟସ୍କ ନେତା ହେଲେ କାମେରୁନ ରାଷ୍ଟ୍ରପତି ପଲ୍ ବୋୟା । ବୟସ ୯୦ରୁ ଅଧିକ । ଆଇନ ଅନୁସାରେ ସେ ଜୀବିତ ଥିବା ଯାଏଁ ରାଷ୍ଟ୍ରପତି ରହିବେ । ପାଲେଷ୍ଟାଇନ ପ୍ରଶାସନର ମୁଖ୍ୟ ମେହମ୍ମୁଦ ଅବାସଙ୍କ ଏବେ ବୟସ ୮୮ । ସାଉଦି ଆରବର ଶାସକ ଶାହ ସଲମନ ବି ବୟସ୍କ ନେତାଙ୍କ ତାଲିକାରେ ଆସିବେ । ସେ ବି ୮୮ ବର୍ଷ ବୟସ ପୂରଣ କରିସାରିଛନ୍ତି । ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଅଲ୍ଲୀ ଖୋମିନିଙ୍କୁ ଏବେ ୮୪ ବର୍ଷ ବୟସ ।

ଶାସନ କ୍ଷମତାରେ ଥିବା ବୟସ୍କ ନେତାଙ୍କ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ୭୬ ବର୍ଷିୟା ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଭାରତର ପ୍ରଧାନମନ୍ତ୍ରୀ ୭୩ ବର୍ଷିୟ ନରେନ୍ଦ୍ର ମୋଦି, ଋଷିଆ ରାଷ୍ଟ୍ରପତି ୭୧ ବର୍ଷିୟ ଭ୍ଲାଦିମିର ପୁଟିନ, ତୁର୍କି ରାଷ୍ଟ୍ରପତି ଓ ଚୀନ୍ ରାଷ୍ଟ୍ରପତି ପ୍ରମୁଖ ଅଛନ୍ତି । ମହିଳା ନେତାଙ୍କ ମଧ୍ୟରେ ଡେନମାର୍କର ମେଟୁ ଫ୍ରେଡରିକସନ ହେଉଛନ୍ତି ବିଶ୍ୱର କମ୍ ବୟସ୍କ ନେତା ।

ଏବେ ବିଶ୍ୱରେ ପାଖାପାଖି ୩୪ ପ୍ରତିଶତ ନେତାଙ୍କ ହାରାହାରି ବୟସ ୬୦ରୁ ୭୦ ବର୍ଷ ମଧ୍ୟରେ ହେବ । ଏକ ଚତୁର୍ଥାଂଶ ନେତାଙ୍କ ବୟସ ୫୦ ବର୍ଷରୁ ଅଧିକ । ୧୯ ପ୍ରତିଶତ ନେତାଙ୍କ ବୟସ ୭୦ ବର୍ଷରୁ ଅଧିକ । ୧୬ ପ୍ରତିଶତ ନେତାଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ । ମାତ୍ର ତିନି ପ୍ରତିଶତ ନେତାଙ୍କ ବୟସ ୪୦ ବର୍ଷରୁ କମ୍ । ତେବେ, ବୟସ୍କ ରାଜନେତାଙ୍କ ଅନେକ ଉଦାହରଣ ରହିଛି , ଯେଉଁମାନେ କି ୭୦ରୁ ଅଧିକ ବୟସରେ ନିଜ ନିଜ ଦେଶର ସଫଳ ନେତୃତ୍ୱ ନେଇଛନ୍ତି । ଫ୍ରାନ୍ସର ଚାର୍ଲସ ଡି ଗୌଲ୍‌, ବ୍ରିଟେନର ୱିନଷ୍ଟନ ଚର୍ଚ୍ଚିଲ ଓ ଇସ୍ରାଏଲର ଗୋଲ୍ଡ ମାୟର ପ୍ରମୁଖ ଗୋଟିଏ ଗୋଟିଏ ଉଦାହରଣ ।

Comments are closed.