Latest Odisha News

BREAKING NEWS

ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ କରିବ କିଷାନ କଂଗ୍ରେସ

ଭୁବନେଶ୍ୱର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ଅତ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏନେଇ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛି କିଷାନ କଂଗ୍ରେସ। ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଭିନ୍ନ ଜିଲ୍ଳାରେ କୃଷକ ନେତାମାନେ ସେମାନଙ୍କ ଜିଲ୍ଲାରେ ଉପୁଜି ଥିବା ବିଭିନ୍ନ ଚାଷ ଓ ଚାଷ ସମସ୍ୟା ସମ୍ପର୍କରେ ମତବ୍ୟକ୍ତ ଦେଇଥିଲେ।

ଏନେଇ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଛି। ଆଜି ସୁଦ୍ଧା ସ୍ୱଭାବିକ ଠାରୁ କମ ବୃଷ୍ଟିପାତ ଯୋଗୁଁ ୧୨ଟି ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ। ଗତ ୧୫ ତାରିଖ ଠାରୁ ମୌସୁମୀ ସକ୍ରୀୟ ଥିଲେ ମଧ୍ୟ ଅନ୍ୟ ୧୮ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ବହୁ ପଛରେ ପଡ଼ିଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା କୃଷି କ୍ଷେତ୍ର ପ୍ରଭାବିତ ହେଉଛି। ଅନେକ ଅଞ୍ଚଳରେ ମରୁଡ଼ି ସୃଷ୍ଟି ହୋଇଛି। କେନାଲର ତଳ ମୁଣ୍ଡକୁ ପାଣି ଆସୁନାହିଁ। ବାହାଘର ବେଳେ ବାଇଗଣ ରୁଆ ପରି ବର୍ତ୍ତମାନ କେନାଲ ସଫେଇ କାମ ଚାଲୁଛି। ଏହି ଦିଗରେ ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଉନାହିଁ।

୧୨ ହଜାରୁ ଅଧିକ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକ ଅଚଳ। ଅନେକ ପ୍ରକଳ୍ପକୁ ବିଜୁଳି ସଂଯୋଗ କରାଯାଇ ନାହିଁ। ସରକାରଙ୍କ ୨୦୦୮ ରୁ ପ୍ରତି ବ୍ଲକକୁ ୩୫% ଜଳସେଚନ ବ୍ୟବସ୍ଥା ଏକ ଧୂଆଁ ବାଣ। ସରକାର ଚଳିତ ଖରିଫରେ ଚାଷୀଙ୍କୁ ୭ ଲକ୍ଷ କୁଇଣ୍ଟାଲ ବିହନ ଯୋଗାଇବାକୁ ଲକ୍ଷ କରିଥିବା ବେଳେ ଏବେ ସୁଦ୍ଧା ୨ ଲକ୍ଷ କୁଇଣ୍ଟାଲ ବିହନ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ। ସାରର ଦାମ ଅଧିକ ହେବାରୁ ଚାଷୀ ବର୍ତ୍ତମାନ କିଣିପାରୁ ନାହାଁନ୍ତି । ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ ନିର୍ଦ୍ଧାରିତ ସମୟରେ ବିଜ୍ଞାପନ ପ୍ରକାଶ କଲେ ନାହିଁ। ବୀମାର ଅବଧି ଅଗଷ୍ଟ ୩୧ ତାରିଖ ରହିଛି। ସରକାରଙ୍କ ଅବହେଳାରୁ ଲକ୍ଷାଧିକ ଚାଷୀ ବିମା ଯୋଜନାରୁ ଏବେ ବଞ୍ଚିତ ହେବେ। ସେହିପରି ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ରହିଛି। କିନ୍ତୁ ଏପପର୍ଯ୍ୟନ୍ତ ସାରା ରାଜ୍ୟରେ ୮୦% ଚାଷ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ଚାଷୀଙ୍କ ଏପରି ଦୂରାବସ୍ତା ସମୟରେ ସରକାର ନିରଦବଦ୍ରଷ୍ଟା। ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ରାଜ୍ୟର ୭୫ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଘୋଷଣା କରିଥିବା ବେଳେ ବର୍ତମାନ ୪୩ ଲକ୍ଷ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପରିବର୍ତ୍ତେ ୪ ହଜାର ଟଙ୍କା ଦେଇଛନ୍ତି। ଫଳରେ ଆଉ ୩୨ ଲକ୍ଷ ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ। ପିଏମକିଷାନ ନିଧି ସହାୟତାରେ ମଧ୍ୟ ରାଜ୍ୟର ୭୫ଲକ୍ଷ ଚାଷୀ ପରିବର୍ତେ ମାତ୍ର ୩୧ଲକ୍ଷ ଚାଷୀ ଏହି ସୁବିଧା ପାଇଛନ୍ତି। ସରକାରଙ୍କ ୧୩ଟି କୃଷି ଯୋଜନା ଓ ୬ଟି ମିଶନ କେବଳ ପ୍ରଚାର ଓ ପ୍ରସାର ସ୍ୱବର୍ସ ହୋଇଛି । ଚାଷୀଙ୍କୁ ଏହାର ସୁଫଳ ମିଳୁନାହିଁ।

ଯଦି ଆସନ୍ତା ୫ ଦିନ ମଧ୍ୟରେ ସରକାର ଏ ଦିଗରେ ତତ୍ପରତା ପ୍ରକାଶ ନକରନ୍ତି, ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଅଗଷ୍ଟ ୫ ତାରିଖ ଦିନ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ଏହାସହ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅଧ୍ୟକ୍ଷ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Comments are closed.