ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ବୁଧବାର ଏକ ବଡ ଅଘଟଣ ଘଟିଛି । ଆଗ୍ରା ଝାନ୍ସୀ ରେଲୱେ ଟ୍ରାକ ସ୍ଥିତ ଭାଣ୍ଡଇ ରେଳ ଷ୍ଟେସନ ନିକଟରେ ପାତାଲକୋଟ ଏକ୍ସପ୍ରେସରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏହାର ୨ଟି ବଗି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡ ଭୟାବହ ରୂପ ନେବା ପୂର୍ବରୁ ସମସ୍ତ ଯାତ୍ରୀମାନଙ୍କୁ ଉକ୍ତ ବଗିରୁ ସୁରକ୍ଷିତର ସହ ଉଦ୍ଧାର କରାଯାଇଥିବା ବେଳେ, ଏହି ଘଟଣାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ରେଳ ଅଧିକାରୀ।
ତେବେ ପାତାଲକୋଟ ଏକ୍ସପ୍ରେସଟି ଫିରୋଜପୁର ପଞ୍ଜାବରୁ ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାକୁ ଯାଉଥିଲା। ଏହା ଆଗ୍ରାର ମଲପୁରା ପୋଲିସ ଷ୍ଟେସନ ଅଞ୍ଚଳ ଭାଣ୍ଡଇ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ସମସ୍ତ ଯାତ୍ରୀ ଶୀଘ୍ର ଟ୍ରେନରୁ ଓହ୍ଲାଇପଡିଥିଲେ । ନିଆଁ ଲାଗିଥିବା ଉଭୟ ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା । ଟ୍ରେନରେ ଦୀର୍ଘ ସମୟ ଧରି ନିଆଁ ଲାଗିଥିଲା।
ଏହି ଘଟଣାରେ ଭାରତୀୟ ରେଳବାଇ କହିଛି ଯେ, ଆଗ୍ରା-ଧୌଲପୁର ମଧ୍ୟରେ ପାତାଲକୋଟ ଏକ୍ସପ୍ରେସରେ ଧୂଆଁ ବାହାରିଥିବାର ସୂଚନା ମିଳିଥିଲା । ଏହାପରେ ଟ୍ରେନଟିକୁ ତୁରନ୍ତ ଅଟକାଇ ଉଭୟ ବଗିକୁ ଅଲଗା କରିଦିଆଯାଇଥିଲା । ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନଥିବାବେଳେ, ବଗି ଦୁଇଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି ।
Comments are closed.