Latest Odisha News

କୃଷି ଓଡ଼ିଶା-୨୦୨୪ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବର୍ଷର ମୁଖ୍ୟ ପ୍ରସଙ୍ଗ ରହିଛି କୃଷି ପ୍ରଗତିରେ ମହିଳା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ‘କୃଷି ଓଡିଶା’ କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ। ଏହା କୃଷି କ୍ଷେତ୍ରରେ ମା’ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଏହା ଏ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବ। ଆଜି କୃଷି କ୍ଷେତ୍ରରେ ମଧ୍ୟ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି। କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି। ମା’ମାନଙ୍କ ସଶକ୍ତିକରଣ କେବଳ ଏକ ପରିବାରକୁ ନୁହେଁ, ବରଂ ସାରା ସମାଜକୁ ସଶକ୍ତ କରେ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭବନ ଏବଂ IMAGEର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ରଖିଥିଲେ। ୧୧୩ କୋଟି ଟଙ୍କା ବିନିଯୋଗରେ ଏହି କ୍ୟାମ୍ପସ ସ୍ଥାନୀୟ ଶିରିପୁରଠାରେ ପ୍ରତିଷ୍ଠା କରାଯାଉଛି। ସେହିପରି କୃଷି ଉଦ୍ୟୋଗ ଭବନ ନୂଆପଲ୍ଲୀଠାରେ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୨୮ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କୃଷି ବିଜ୍ଞାନୀ ଡ. ସ୍ୱାତୀ ନାୟକଙ୍କୁ ସମ୍ମାନିତ କରିଥିଲେ। ଏହା ସହିତ ଅଭିନବ କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ଯୋଜନାରେ ୧୭ ଜଣ କୃଷକଙ୍କୁ ପୁରସ୍କୃତ କରିବା ସହ ୧୦ ଜଣ ସଫଳ ମହିଳା ଚାଷୀଙ୍କୁ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର କୃଷି ଋଣ ମଡ୍ୟୁଲର ସଫଳ ପୋର୍ଟାଲର ଶୁଭାରମ୍ଭ କରିଥିଲେ।ଏଥିସହ ଆୟୋଜିତ ଏକ କୃଷି ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Comments are closed.