Latest Odisha News

ଆଗକୁ ନିର୍ବାଚନ: ନବ-କିଶୋରଙ୍କ ବିୟୋଗ ଶାସକ ଦଳ ପାଇଁ ବଡ଼ ଆହ୍ୱାନ

ଝାରସୁଗୁ଼ଡା: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଶାସକ ଦଳ ବିଜେଡି ପାଇଁ ବଡ଼ ଝଟକା। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଝାରସୁଗୁଡାରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଥିଲା। ହେଲେ ଏବେ ଝାରସୁଗୁଡାରେ ବର୍ଷକ ଭିତରେ ଦୁଇ ପ୍ରମୁଖ ନେତା କିଶୋର ମହାନ୍ତି ଏବଂ ନବ ଦାସଙ୍କ ବିୟୋଗ ଶାସକ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ନବ ଦାସ ୨୦୧୯ରେ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ କଂଗ୍ରେସ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନବଙ୍କ ସଂଗଠନ ଓ ରାଜନୈତିକ ରଣନୀତି ଆଗରେ ଯେମିତି ଶାସକ ଦଳ ବିଜେଡି ଓ ବିଜେପି ଏକ ପ୍ରକାର ନାଚାର ଥିଲେ। ହେଲେ ଏହି ଗଣିତ ବଦଳିବାକୁ ବିଜେଡି ନବ ଦାସଙ୍କ ମନ୍ତ୍ରୀ ପଦ ସହିତ କ୍ୟାବିନେଟ ପାହ୍ୟାର ସର୍ତ୍ତ ରଖି ନିଜ ପଟକୁ ଆଣିଥିଲା। ପରବର୍ତ୍ତୀ ସମୟରେ ନବ ଦାସ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ଆଉ କିଶୋରଙ୍କୁ ଜିଲ୍ଲା ବିଜେଡି ସଭାପତି ପଦ ଦେଇଥିଲା ଦଳ।

କିନ୍ତୁ ବିଜେଡିରେ ସାମିଲ ହେବା ପରେ ଝାରସୁଗୁଡାରେ ଦଳର କନ୍ଦଳ ଭିତରେ ଭିତରେ କୁହୁଳୁଥିଲା। ବ୍ରଜରାଜନଗରର ଏବେର ବିଧାୟକ ଅଳକା ମହାନ୍ତିଙ୍କ ସ୍ବାମୀ ତଥା ଦିବଂଗତ ବିଧାୟକ କିଶୋର ମହାନ୍ତି ଏବଂ ନବ ଦାସଙ୍କ କନ୍ଦଳ ଝାରସୁଗୁଡା ସମେତ ରାଜ୍ୟ ରାଜନୀତିକୁ କିଛି ଅଛପା ନୁହେଁ। ଯେହେତୁ ଦୁଇ ପ୍ରମୁଖ ବିରୋଧୀ ଗୋଟିଏ ଦଳରେ ଥିଲେ ତେଣୁ ବିଧାନସଭା ଆସନ ଅଦଳ ବଦଳ କରିଥିଲା ବିଜେଡି।

ନବ ଦାସ ଝାରସୁଗୁଡା ବିଧାନସଭାରୁ ୨୦୦୯, ୨୦୧୪ ଏବଂ ୨୦୨୯ରୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ କିଶୋର ମହାନ୍ତି ୧୯୯୦, ୨୦୦୦ ଏବଂ ୨୦୦୪ରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ବ୍ରଜରାଜନଗର ବିଧାନସଭା ଆସନରୁ ୨୦୧୯ରେ ପ୍ରଥମ ଥର ପାଇଁ ବିଜେଡିରୁ କିଶୋର ମହାନ୍ତି ପ୍ରଥମ ଥର ନିର୍ବାଚିତ ହୋଇଥିଲେ। କିନ୍ତୁ ନବ ଦାସଙ୍କ ଏହି ଆସନ ପ୍ରତି ଅହେତୁକ ଦୁର୍ବଳତା ଥିଲା ବୋଲି କୁହାଯାଏ। ସେ ତାଙ୍କର ସମର୍ଥକ ଝିଅ ଦୀପାଳିଙ୍କ ଜରିଆରେ ଏଠାରେ ଅନେକ ସାମାଜିକ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ କାମ କରନ୍ତି। ଏମିତିକି କିଶୋରଙ୍କର ହୃଦଘାତରେ ବିୟୋଗ ହେବା ପରେ ଝିଅ ଦୀପାଳିଙ୍କୁ ବ୍ରଜରାଜନଗର ଟିକେଟ ଦେବାକୁ ଦଳର ଶୀର୍ଷ ସ୍ତରରେ ରଣନୀତି କରିଥିଲେ। କିନ୍ତୁ ତାହା ଫେଲ୍ ମାରିଥିଲା।

ଏବେ କିନ୍ତୁ ସମୟରେ ସ୍ରୋତରେ ନା କିଶୋର ଅଛନ୍ତି ନା ନବ ଦାସ। ଉଭୟଙ୍କ ଉପସ୍ଥିତି ଝାରସୁଗୁଡା ରାଜନୀତିକୁ ସରଗରମ ରଖିଥିବା ବେଳେ ବିରୋଧୀ ସଂଗଠ ଦୁର୍ବଳ ହୋଇ ରହିଥିଲା । ଏବେ ଆଗକୁ ବିଧାନସଭା ସହିତ ସାଧାରଣ ନିର୍ବାଚନ ରହିଛି। ନିର୍ବାଚନ ପାଇଁ କିଏ ପ୍ରାର୍ଥୀ ହେବେ ଏନେଇ ଏକ ପ୍ରକାର ଔପଚାରିକ ଭାବେ ନେତା ସ୍ଥିର ହୋଇଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ ଦାସଙ୍କର ଦେହାନ୍ତ ହେବା ସେହିପରି ପୂର୍ବରୁ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ଶାସକ ଦଳକୁ ଝଟକା ଲାଗିଛି। ନିର୍ବାଚନ ବେଳେ ଜିଲ୍ଲାରେ ଦଳର ନେତୃତ୍ବ କିଏ ନେବେ ସେ ନେଇ ଚର୍ଚ୍ଚା ବଢିଛି।

 

Comments are closed.