ଅହମ୍ମଦାବାଦ: ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ତ ବିଶ୍ୱପ୍ରସିଦ୍ଧ। ଭବ୍ୟ, ଅତୁଳନୀୟ ଓ ଅଦ୍ୱିତୀୟ ପୁରୀଧାମର ରଥଯାତ୍ରା। ଭାରତବର୍ଷର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାଳନ କରାଯାଏ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। କିନ୍ତୁ ସେସବୁର ଇତିହାସ ପୁରୁଣା ନୁହେଁ। ପୁରୀ ପରେ ଭାରତରେ ଗୁଜରାଟର ଅହମ୍ମଦାବାଦ ରଥଯାତ୍ରା ଚର୍ଚ୍ଚିତ ହୋଇଥାଏ । ୧୮୭୮ ମସିହାରୁ ଅହମ୍ମଦାବାଦର ଜମାଲପୁର ଅଂଚଳର ଜଗଦୀଶ ବା ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଆଡମ୍ବର ସହକାରେ ପାଳନ ହୋଇଥାଏ ଜଗନ୍ନାଥଙ୍କ ରଥଯାତ୍ରା । ପୁରୀ ରଥଯାତ୍ରାରୁ ଅନେକ ଦୃଷ୍ଟିରୁ ଭିନ୍ନ ହୋଇଥାଏ ଅହମ୍ମଦାବାଦ ରଥଯାତ୍ରା।
ପ୍ରଚଳିତ ପ୍ରବାଦ ଅନୁସାରେ ଅହମ୍ମଦାବାଦରେ ବସବାସ କରୁଥିବା ସନ୍ଥ ସାରଙ୍ଗଦାସଜୀ ଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ । ଦିନେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଥାନୀୟ କିଛି ଲୋକଙ୍କ ସହ ଶ୍ରୀକ୍ଷେତ୍ର ଆସିଥିଲେ। ପୁରୀର ଏକ ଧର୍ମଶାଳାରେ ଶୋଇଥିବା ବେଳେ ତାଙ୍କୁ ମହାପ୍ରଭୁ ସ୍ୱପ୍ନାଦେଶ ଦେଇଥିଲେ। ଅହମ୍ମଦାବାଦ ଯାଇ ସେଠାରେ ପ୍ରଭୁ ବଳଭଦ୍ର, ଦେବୀ ଶୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ସହ ପ୍ରତିବର୍ଷ ରଥଯାତ୍ରା କରିବାକୁ ସନ୍ଥ ସାରଙ୍ଗଦାସଜୀଙ୍କୁ ନିର୍ଦ୍ଦେଶ ହୋଇଥିଲା। ସ୍ୱପ୍ନାଦେଶ ପରେ ସନ୍ଥ ଜଣକ ଜମାଲପୁରରେ ଥିବା ମାରୁତି ମନ୍ଦିରରେ ନିଜ ଅନୁଗାମୀଙ୍କୁ ସହ ତ୍ରିମୂର୍ତ୍ତି ସ୍ଥାପନ କରିଥିଲେ। ପୂର୍ବର ମାରୁତି ମନ୍ଦିର ଜଗଦୀଶ ବା ଜଗନ୍ନାଥ ମନ୍ଦିରରେ ପରିଣତ ହୋଇଥିଲା । ତେବେ, ସେଠାରେ ପୂର୍ବରୁ ସ୍ଥାପନ କରାଯାଇଥିବା ରାମଭକ୍ତ ମାରୁତିଙ୍କ ବିଗ୍ରହ ଏବେ ବି ପୂଜା ପାଆନ୍ତି।
ଅହମ୍ମଦାବାଦ ଜମାଲପୁର ଜଗନ୍ନାଥ ମନ୍ଦିର ରଥଯାତ୍ରାର ଭିନ୍ନତା ରହିଛି । ଏଠାରେ ଜଗନ୍ନାଥଙ୍କ ରଥଯାତ୍ରା ନବଦିନାତ୍ମକ ହୋଇନଥାଏ । ରଥଯାତ୍ରା ଦିନ ଭୋର୍ ୪ଟାରେ ତିନିଠାକୁରଙ୍କ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ସଂପାଦନ ହୁଏ । ଏହା ପରେ ଆରମ୍ଭ ହୋଇଥାଏ ତିନିଠାକୁରଙ୍କ ପହଣ୍ଡି । ଏଠାରେ ବି ଯାତ୍ରା ପାଇଁ ତିନିଟି ରଥ ପ୍ରସ୍ତୁତ ହୋଇଥାଏ । ରଥକୁ ଠାକୁରଙ୍କ ପହଂଡି ପରେ ନିମନ୍ତ୍ରିତ ଅତିଥି ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ବା ଅନ୍ୟ କୌଣସି ବ୍ୟକ୍ତି ସେବକ ଭାବେ ତିନିରଥରେ ଛେରା ପହଁରା କରନ୍ତି । ସୁସଜ୍ଜିତ ହାତୀଙ୍କ ଉପସ୍ଥିତିରେ ବିରାଟ ପଟୁଆର ଓ ଶୋଭାଯାତ୍ରାରେ ପୂର୍ବାହ୍ନରେ ଆରମ୍ଭ ହୋଇଥାଏ ରଥଟଣା।
ପ୍ରଚଳିତ ପରମ୍ପରା ଅନୁସାରେ ଭରୁଚ ଅଂଚଳର ଖାଲସ ସଂପ୍ରଦାୟର ଲୋକେ ରଥଟଣାରେ ନିୟୋଜିତ ହୁଅନ୍ତି । ଖାଲସ ସଂପ୍ରଦାୟର ଚାରି ଶହ ଲୋକ ରଥଟଣା ପାଇଁ ଅହମ୍ମଦାବାଦ ଆସନ୍ତି । ରଥଟଣାର ଦୃଶ୍ୟ ହୋଇଥାଏ ଅତି ଚିତ୍ତାକର୍ଷକ । ବେଶ୍ ଆକର୍ଷଣୀୟ । ରଥ ଆଗେ ଆଗେ ଚାଲିଥାଆନ୍ତି ସୁସଜ୍ଜିତ ହାତୀ । ଆଖଡା ଦଳ, ଭଜନ ମଣ୍ଡଳୀ ଓ ଟ୍ରକ ଶୋଭାଯାତ୍ରା ଥାଏ ଅହମ୍ମଦାବାଦ ରଥଯାତ୍ରାର ପ୍ରମୁଖ ଆକର୍ଷଣ । ସାଧୁସନ୍ଥ ଓ ସଖୀବାବା ବହୁ ସଂଖ୍ୟାରେ ଏହି ରଥଯାତ୍ରାରେ ସାମିଲ ହୁଅନ୍ତି । ସଖୀବାବାମାନେ ରଥଟଣା ବେଳେ ରାଧା ବେଶ ପଡି ମହାପ୍ରଭୁଙ୍କ ଗୁଣଗାନ କରି ନାଚିଥାଆନ୍ତି ।
ମୁଖ୍ୟ ମନ୍ଦିରରୁ ବିରାଟ, ଭବ୍ୟ ଓ ଆକର୍ଷଣୀୟ ଶୋଭାଯାତ୍ରାରେ ତିନିରଥ ଦୀର୍ଘ ୧୪ କିଲୋମିଟର ରାସ୍ତା ଅତିକ୍ରମ କରି ସାରସପୁର ସ୍ଥିତ ମାଉସୀ ମା’ ମନ୍ଦିର ଯାଆନ୍ତି । ୧୪ କିଲୋମିଟର ରାସ୍ତା ଦେଇ ଆସିଲା ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ତିନିରଥଙ୍କୁ ସ୍ୱାଗତ କରି ଭୋଗରାଗ କରନ୍ତି ଭକ୍ତଗଣ । ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଥାଏ ପରିବେଶ । ସାରସପୁର ମାଉସୀ ମା’ ମନ୍ଦିରରେ କିଛି ସମୟ ବିତାଇ ଭୋଗ ଖାଇଲା ପରେ ସେହି ଦିନ ହିଁ ମୁଖ୍ୟ ମନ୍ଦିରକୁ ଲେଉଟି ଯାଆନ୍ତି ତିନି ଠାକୁର । ଏହି ଐତିହାସିକ ଦିନିକିଆ ରଥଯାତ୍ରାରେ ଅହମ୍ମଦାବାଦ ସମେତ ଗୁଜରାଟରୁ ବିଭିନ୍ନ ଅଂଚଳରୁ ଭକ୍ତମାନେ ଯୋଗ ଦିଅନ୍ତି । ପୁରୀ ଆସିପାରୁନଥିବା ଗୁଜରାଟରେ ରହୁଥିବା ଓଡିଆମାନେ ଅହମ୍ମଦାବାଦ ରଥଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଯାଇଥାଆନ୍ତି ।
Comments are closed.