Latest Odisha News

ହେଲମେଟ୍ ପାଇଁ ଫାଇନ ୧୦ ଲକ୍ଷ, ଚିନ୍ତାରେ ଆଇନ ଛାତ୍ର

ଅହମ୍ମଦାବାଦ: ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଇଲେ ମୋଟର ଯାନ ଆଇନ ଅନୁଯାୟୀ ଚାଲାଣ ରାଶି ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି କିଛି ରାଜ୍ୟରେ ଏହି ପରିମାଣ ଏବେ ବି ପାଞ୍ଚଶହ ଟଙ୍କା ରହିଛି।

ତେବେ ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚକିତ କରିଦେବ। ୨୦୨୪ ଏପ୍ରିଲରେ ଶାନ୍ତିପୁରା ଟ୍ରାଫିକ୍ ସର୍କଲରେ ଅନିଲ ହାଡିଆ ନାମକ ଜଣେ ଛାତ୍ର ବିନା ହେଲମେଟରେ ବାଇକ୍ ଚଲାଉଥିବା ବେଳେ ଧରାପଡ଼ିଥିଲେ। ପରେ ଯେତେବେଳେ ତାଙ୍କୁ କୋର୍ଟରୁ ସମନ ମିଳିଥିଲା, ସେ ଜରିମାନାର ପରିମାଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଟ୍ରାଫିକ ପୋଲିସ ୫୦୦ କିମ୍ବା ୧୦୦୦ ଟଙ୍କା ନୁହେଁ ବରଂ ୧୦ ଲକ୍ଷ ଟଙ୍କାର ଚାଲାଣ ଜାରି କରିଥିଲା। ଯାହାପରଠୁ ଆଇନ ଛାତ୍ରଙ୍କ ପରିବାର ଥାନାର ଚକ୍କର କାଟୁଛନ୍ତି।

ସୂଚନା ଅନୁଯାୟୀ, ଅନିଲଙ୍କୁ ପ୍ରଥମେ ୫୦୦ ଟଙ୍କା ଜରିମାନା କରାଯାଇଥିଲା, କିନ୍ତୁ କିଛି କ୍ଲାରିକାଲ୍ ଭୁଲ ଯୋଗୁଁ ଏହାକୁ ୧୦,୦୦,୫୦୦ ଟଙ୍କା ଭାବରେ ରେକର୍ଡ କରାଯାଇଥିଲା। ଅନିଲ ଚତୁର୍ଥ ସେମିଷ୍ଟର ଆଇନ ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ଜଣେ ଛୋଟ ବ୍ୟବସାୟୀ। ଏନେଇ ଅନିଲ କହିଛନ୍ତି ଯେ ମୁଁ ଏବଂ ମୋ ପରିବାର ଏତେ ବଡ଼ ଟଙ୍କା କିପରି ଦେବୁ?” ଏହି ଭୁଲ ତାଙ୍କ ପାଇଁ ଏକ ବଡ଼ ବିପର୍ଯ୍ୟୟ ପାଲଟିଛି।

ଟ୍ରାଫିକ୍ ପୋଲିସ ଭୁଲ୍ ସ୍ବିକାର କରିଥିବା ବେଳେ ଏହା କିଭଳି ଘଟିଲା ସେନେଇ ତଦନ୍ତ ଚଳାଇଛି। ଏହି ଘଟଣା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ଲୋକମାନେ ଟ୍ରାଫିକ୍ ନିୟମ ଏବଂ ବ୍ୟବସ୍ଥାର ଦାୟିତ୍ୱ ଉପରେ ପ୍ରଶ୍ନ ମଧ୍ଯ ଉଠାଉଛନ୍ତି।

 

Comments are closed.