Latest Odisha News

BREAKING NEWS

ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ବାଦ ଦେବା ଘଟଣାକୁ ଏଆଇଡିଏସ୍‌ଓର ତୀବ୍ର ନିନ୍ଦା

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ବାଦ ଦେବା ଘଟଣାକୁ ଏଆଇଡିଏସ୍‌ଓ ତୀବ୍ର ନିନ୍ଦା କରୁଛି । ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ହଟାଇ ଦେବାର ଘୃଣ୍ୟ ଫାସିବାଦି ପଦକ୍ଷେପକୁ ବିରୋଧ କରି ଏଆଇଡିଏସ୍‌ଓ ର ସାଧାରଣ ସଂପାଦକ ସୌରଭ ଘୋଷ, ଓଡିଶା ରାଜ୍ୟ ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, ପାଠ୍ୟକ୍ରମର ଚାପ ହ୍ରାସ କରିବା ନାରେ ଏନ୍‌ସିଇଆର୍‌ଟି ର ଏହି ପଦକ୍ଷେପ ବିଭିନ୍ନ ଦିଗରୁ ଅତ୍ୟନ୍ତ ବିପଦପୂର୍ଣ୍ଣ ।

ଦଶମ ଶ୍ରେଣୀରୁ ଜୀବବିଜ୍ଞାନରୁ ଜୈବ ବିବର୍ତ୍ତନ ତତ୍ତ୍ୱ ବାଦ ଦେବା ଅର୍ଥ ଯେଉଁ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ଜୀବବିଜ୍ଞାନକୁ ନିଜ ବିଷୟ ଭାବେ ଚୟନ କରିବେ କେବଳ ସେମାନେ ହିଁ ଏହି ତତ୍ତ୍ୱ ସମ୍ପର୍କରେ ଜାଣିବେ । କିନ୍ତୁ ଏହା ବାସ୍ତବ ଯେ ଆମ ପରିପାର୍ଶ୍ୱରେ ଥିବା ଜଗତକୁ ବୁଝିବା ପାଇଁ ଡାରୱିନଙ୍କ ତତ୍ତ୍ୱ କୁ ଜାଣିବା ଓ ବୁଝିବା ନିହାତି ଜରୁରୀ । ଏହିତତ୍ତ୍ୱ ଧର୍ମିୀୟ ବିଶ୍ୱାସମୂଳକ ବ୍ୟବସ୍ଥା ଦ୍ୱାରା ସ୍ରୁଷ୍ଟ ସମସ୍ତ ବିଭ୍ରାନ୍ତିର ଏକ ଉତ୍ତର ଦେଇଥିଲା । ପୁନଶ୍ଚ; ବୈଜ୍ଞାନିକ ଓ ଯୁକ୍ତିସମ୍ମତ ବିଶ୍ୱ ଦୃଷ୍ଟିଭଙ୍ଗୀ ଗଢ଼ିତୋଳିବା ପାଇଁ ଏହା ଅପରିହାର୍ଯ୍ୟ ।

ଡାରୱିନଙ୍କ କଷ୍ଟପ୍ରଦ ପ୍ରୟାସ ଓ ତାଙ୍କର ତୀକ୍ଷ୍ଣ ଜ୍ଞାନ ଏବଂ ପର୍ଯ୍ୟବେକ୍ଷଣ ତାଙ୍କୁ ପ୍ରାକୃତିକ ଚୟନର ତତ୍ତ୍ୱ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା । ଏହି ପ୍ରୟାସ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନର ପ୍ରକ୍ରିୟା ଓ ଯୁକ୍ତିଶୀଳ ଚିନ୍ତା ର ଗୁରୁତ୍ୱ ସମ୍ପର୍କରେ ଜ୍ଞାନ ପ୍ରଦାନ କରେ । ବିଶ୍ୱ ଜଗତ ସମ୍ପର୍କରେ ସାମଗ୍ରିକ ଧାରଣାର ବିକାଶ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜୈବ ବିବର୍ତ୍ତନ ସମ୍ପର୍କରେରେ ମୌଳିକ ଜ୍ଞାନ ରହିବା ଉଚିତ । ନିକଟରେ ସରକାର ଇତିହାସ ପୁସ୍ତକରୁ ମୋଗଲମାନଙ୍କ ବିଷୟ ମଧ୍ୟ ବାଦ ଦେଇଛନ୍ତି ।

ଯଦ୍ୱାରା ମୋଗଲମାନଙ୍କ ଭାରତୀୟ ସଂସ୍କୃତି, ଅର୍ଥନୀତି ଓ ବିବିଧତା ଆଦି କ୍ଷେତ୍ରରେ ଥିବା ସମୃଦ୍ଧ ଅବଦାନ ପାଠ୍ୟକ୍ରମରୁ ନିଶ୍ଚିହ୍ନ ହୋଇଯିବ । ଆହୁରି ମଧ୍ୟ; ଶିଳ୍ପ ବିପ୍ଳବ, ଗଣତନ୍ତ୍ର ଓ ବିବିଧତା ଏବଂ ହିନ୍ଦୀ କବି ନିରଳାଙ୍କ କବିତା ଇତ୍ୟାଦିକୁ ପାଠ୍ୟବହିରୁ ବାଦ ଦିଆଯାଇଛି । ଏହି ସମସ୍ତ ପରିବର୍ତ୍ତନ ହିନ୍ଦୁତ୍ୱବାଦୀ ଚିନ୍ତା ତଥା ଧର୍ମୀୟ କଟ୍ଟରତା ଓ ଜାତିବାଦର ପ୍ରସାର ପାଇଁ ପଥ ସୁଗମ କରିବ । ସଂକ୍ଷେପରେ ଏହା ହିନ୍ଦୁତ୍ୱବାଦୀ ଶିବିରର ମୂଳ ଲକ୍ଷ୍ୟ ଦେଶରେ ସର୍ବାତ୍ମକ ଫାଶିବାଦ କାଏମ କରିବା କ୍ଷେତ୍ରରେ ସହାୟକ ହେବ ।

ଏନ୍‌ସିଇଆର୍‌ଟି ଭଳି ଏକ ସ୍ୱାଧୀନ ସଂସ୍ଥାକୁ ସରକାର ଏହି ଭଳି ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ବିଷୟଟି ଗଭୀର ଚିନ୍ତାର ବିଷୟ । ତେଣୁ; ଏଆଇଡିଏସ୍‌ଓ ଏହି ପଦକ୍ଷେପକୁ ଦୃଢ ବିରୋଧ କରିବା ସହ ଏନ୍‌ସିଇଆର୍‌ଟିକୁ ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବି କରୁଛି । ଏହାସହ ସମଗ୍ର ଦେଶକୁ ଏହିଭଳି ଆକ୍ରମଣରୁ ରକ୍ଷା କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକ ତଥା ସର୍ବସ୍ତରର ଶିକ୍ଷାପ୍ରେମୀ ସଚେତନ ନାଗରିକ ମାନଙ୍କୁ ଆଗେଇ ଆସିବାକୁ ଆହ୍ୱାନ କରୁଛି ।

Comments are closed.