Latest Odisha News

ଏମ୍ସ ଭୁବନେଶ୍ବରରେ ଶିଶୁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଏମ୍ସ ଏକମାତ୍ର ସରକାରୀ ହସ୍ପିଟାଲ ଯେଉଁଠି କର୍କଟ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତେବେ ଆଶାଠାରୁ ଅଧିକ ବେଗରେ କ୍ୟାନସର ରୋଗୀ ଏହି ଅନୁଷ୍ଠାନକୁ ଆସୁଛନ୍ତି ଯାହା ଏବେ ଚିନ୍ତାଜନକ ଏବଂ କେବଳ ପ୍ରାପ୍ତ ବୟସ୍କ ନୁହେଁ ଛୋଟ ଛୁଆ ବି ଧୀରେ ଧୀରେ ଏହି ଜଟଳି ରୋଗର ଜାଲରେ ଛନ୍ଦି ହୋଇଗଲେଣି ବୋଲି ଏମ୍ସ ଭୁବନେଶ୍ବର ରିପୋର୍ଟରୁ ଜଣାପଡ଼ିଛି।

ଭୁବନେଶ୍ୱର ଏମ୍ସ ପକ୍ଷରୁ ଆୟୋଜିତ ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରତିବର୍ଷ ଅତି କମରେ ୨୫୦-୩୫୦ ଜଣ କ୍ୟାନସର ଆକ୍ରାନ୍ତ ଶିଶୁ ଏହି ଅନୁଷ୍ଠାନକୁ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ କ୍ୟାନସର ଆକ୍ରାନ୍ତ ଶିଶୁ ଏହି ଅନୁଷ୍ଠାନକୁ ଚେକ୍ ଅପ ପାଇଁ ଆସିଲେଣି।

ପିଲାବେଳର କ୍ୟାନସରର ସବୁଠାରୁ ସାଧାରଣ ପ୍ରକାର ହେଉଛି ଲ୍ୟୁକେମିଆ, ମସ୍ତିଷ୍କ କ୍ୟାନସର, ଲିମ୍ଫୋମା ଏବଂ ନ୍ୟୁରୋବ୍ଲାଷ୍ଟୋମା ଓ ଓ୍ବିଲମ୍ସ ଟ୍ୟୁମର ଭଳି କଠିନ ଟ୍ୟୁମର।

ପ୍ରାରମ୍ଭିକ ନିଦାନରେ ଉଲ୍ଲେଖନୀୟ ପ୍ରତିବନ୍ଧକ, ସଠିକ୍ ନିଦାନରେ ଅକ୍ଷମତା, ସ୍ୱାସ୍ଥ୍ୟସେବା ସୁବିଧାରେ ଦୁର୍ବଳତା ଏବଂ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଅକ୍ଷମତା କାରଣରୁ ନିମ୍ନ ଓ ମଧ୍ୟମ ଆୟ ପରିବାରରେ ପିଲାବେଳର କର୍କଟ ରୋଗର ବୋଝ ଅଧିକ ବୋଲି ଡାକ୍ତରମାନେ କହନ୍ତି।

ତେବେ ସେମାନେ ଏହା ମଧ୍ୟ ଆଶ୍ୱାସନା ଦିଅନ୍ତି ଯେ କ୍ୟାନସରରେ ପୀଡ଼ିତ ପିଲାମାନଙ୍କୁ ଯଦି ପ୍ରାରମ୍ଭିକ ଚିକିତ୍ସା ପରେ ସଠିକ୍ ଯତ୍ନ ସୁବିଧା ଓ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଏ ତେବେ ଅତିକମରେ ୭୫-୮୦% ପିଲା ସୁସ୍ଥ ହୋଇପାରିବେ।

ରାଜ୍ୟ ସରକାର ନିଜର କମ୍ପ୍ରିହେନସିଭ୍ କ୍ୟାନସର ସର୍ଭିସ (ସିଏସ୍ଏସ୍) ଅଧୀନରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୦୦୧ କୋଟି ଟଙ୍କା ଖର୍ଚ୍ଚ କରି ରୋଗୀଙ୍କୁ ସୁଲଭ ମୂଲ୍ୟରେ ସର୍ବୋତ୍ତମ କ୍ୟାନସର ସେବା ଓ ଚିକିତ୍ସା ଯୋଗାଇ ଦେବାକୁ ଯୋଜନା କରିଛନ୍ତି।

ତେବେ ଓଡ଼ିଶାରେ କର୍କଟ ରୋଗରେ ଆକ୍ରାନ୍ତ ଶିଶୁମାନେ କିଭଳି ଠିକ୍ ସମୟରେ ଓ ସୁଲଭ ମୂଲ୍ୟରେ ଚିକିତ୍ସା ପାଇପାରିବେ, ସେ ଦିଗରେ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସରକାର ଏହାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପିଲାବେଳର କ୍ୟାନସର ଓ ଏହାର ଲକ୍ଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଆବଶ୍ୟକ।

ସେହିପରି ପିଲାବେଳର କ୍ୟାନସର ଓ ଏହାର ଲକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ଘୋଷଣା କରାଯାଇଛି।

Comments are closed.