Latest Odisha News

ଯୁବପିଢିଙ୍କୁ ପ୍ରେରଣା ଦେବ ବାୟୁସେନାର କମିକ୍ ବୁକ୍ 

ନୂଆଦିଲ୍ଲୀ: କିଶୋର ଓ ଯୁବକମାନଙ୍କୁ ପ୍ରେରଣା ଯୋଗାଇବାକୁ ଅଭିନବ ପ୍ରୟାସ କରିଛି ଭାରତୀୟ ବାୟୁସେନା -ଆଇଏଏଫ । ଏଥିପାଇଁ ଏକ କମିକ ବୁକ୍ ପ୍ରକାଶ କରିଛି ଭାରତୀୟ ବାୟୁସେନା । କମିକ ବୁକ୍‌ରେ ରହିଛି ଭାରତୀୟ ବାୟୁସେନାର ଶୌର୍ଯ୍ୟ ଗାଥା । ବାୟୁବୀରଙ୍କ ଅପୂର୍ବ ସାହସ ଓ ବୀରତାର କଥା ମଧ୍ୟ କମିକ ବୁକରେ ସ୍ଥାନ ପାଇଛି । ୩୨ ପୃଷ୍ଠାର କମିକ ବୁକ୍‌ର ନାଁ ରହିଛି ହୀରୋଜ ଅଫ୍ ଦି ଇଣ୍ଡିଆନ ଏୟାର ଫୋର୍ସ ଭଲ୍ୟୁମ ୱାନ୍ । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର୍ ଚୌଧୁରୀ କମିକ୍ ବୁକ୍ ଉନ୍ମୋଚନ କରିଛନ୍ତି । ଭାରତୀୟ ବାୟୁସେନାର ଗୌରବଶାଳୀ ଇତିହାସ ସଂପର୍କରେ ଆଜିର ପୀଢିଙ୍କୁ ରୋଚକ ଶୈଳୀରେ ସୂଚିତ କରିବା ସହ ବାୟୁସେନାରେ ଭର୍ତ୍ତି ପାଇଁ ପ୍ରେରଣା ଯୋଗାଇବା ଲକ୍ଷ୍ୟରେ ଏଭଳି ପ୍ରୟାସ କରାଯାଇଛି । କମିକ୍ ବୁକରେ ଭାରତୀୟ ବାୟୁସେନା ସଂପର୍କିତ ଐତିହାସିକ ଘଟଣାବଳୀ ସବୁ ସରଳ ଓ ସହଜ ଭାବେ ଉପସ୍ଥାପନ କରାଯାଇଛି ।

ବାୟୁସେନା ମୁଖ୍ୟଙ୍କ ପରିକଳ୍ପନା

ଯୁଦ୍ଧରେ ଭାରତୀୟ ବାୟୁସେନାର ଭୂମିକା ଓ ବୀରତ୍ୱ ଗାଥାକୁ କମିକ ପୁସ୍ତକ ମାଧ୍ୟମରେ ଉପସ୍ଥାପନାର ପରିକଳ୍ପନା କରିଥିଲେ ଏୟାର ଚିଫ ମାର୍ଶଲ ଭି.ଆର୍ ଚୌଧୁରୀ । ବାୟୁସେନାର ବୀରତା ଓ ସାହସିକତା କାହାଣୀରୁ ପ୍ରେରଣା ପାଇ ଯୁବ ପାଠକ  ଭବିଷ୍ୟତରେ ବାୟୁସେନାରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିବେ । ଏହି ଲକ୍ଷ୍ୟ ନେଇ କମିକ ବୁକ୍ ସିରିଜ୍ ପରିକଳ୍ପନା କରିଥିଲେ ଭାରତୀୟ ବାୟୁସେନା ମୁଖ୍ୟ ।

ବାୟୁବୀରଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ଭାରତୀୟ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମ କମିକ୍ ବୁକ୍ ପ୍ରସ୍ତୁତ କରିଛି । ହୀରୋଜ ଅଫ୍ ଦି ଇଣ୍ଡିଆନ ଏୟାର ଫୋର୍ସ ଭଲ୍ୟୁମ ୱାନ୍ ରେ ରହିଛି ଦୁଇଟି କାହାଣୀ । ପ୍ରଥମ କାହାଣୀ ଫାଇଣ୍ଡ୍ ୟୋର୍ କଲିଂ । ଏଥିରେ ରହିଛି ଭାରତୀୟ ବାୟୁସେନାର ମାର୍ଶଲ ଅର୍ଜନ ସିଂହଙ୍କ ସଂଘର୍ଷ ଓ ସଫଳତାର କାହାଣୀ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବର୍ମା ଅଭିଯାନ ଓ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ଅର୍ଜାନ ସିଂହଙ୍କ ବୀରତା କଥା ପ୍ରଥମ କାହାଣୀରେ କୁହାଯାଇଛି । କମିକ ବୁକ୍‌ର ଦ୍ୱିତୀୟ କାହାଣୀ ହେଉଛି ଦି ବୋୟୋରା ବୟଜ୍ । ୧୯୭୧ ମସିହାରେ ଭାରତ-ପାକ୍ ଯୁଦ୍ଧରେ ଭାରତୀୟ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଲଢେଇ ସଂପର୍କରେ ଉଲ୍ଲେଖ କରାଯାଇଛି । ୧୯୭୧ ଯୁଦ୍ଧରେ ବାୟୁସେନାର ୨୨ ନମ୍ବର ସ୍କ୍ୱାଡ୍ରନର ଯୁବ ଲଢୁଆ ପାଇଲଟମାନେ କେମିତି ଅପୂର୍ବ ସାହସିକତା ଓ ବୀରତା ପ୍ରଦର୍ଶନ କରି ଶତ୍ରୁପକ୍ଷକୁ ମାତ୍ ଦେଇଥିଲେ , ତାହା କାହାଣୀରେ ଅତି ରୋଚକ ଭାବେ ବର୍ଣ୍ଣନା କରାଯାଇଛି ।

ଅନଲାଇନରେ ମିଳିବ କମିକ ବୁକ୍‌ର ପିଡିଏଫ ଭର୍ସନ

ଖୁବ୍ ଶୀଘ୍ର କମିକ ପୁସ୍ତକର ଏକ ପିଡିଏଫ ଭର୍ସନ ଅନଲାଇନରେ ଜାରି କରାଯିବ । ସୋସିଆଲ୍ ମିଡିଆରେ ଏହା ଫ୍ରି ସେୟାରିଂ ଜରିଆରେ ଉପଲବ୍ଧ ହେବ । ଏୟାରଫୋର୍ସ ହିଷ୍ଟ୍ରି ସେଲ୍ ଓ ଏୟାର ଫୋର୍ସ ମ୍ୟୁଜିୟମ  କମିକ ବୁକ୍ ପ୍ରସ୍ତୁତି ପାଇଁ ଐତିହାସିକ ତଥ୍ୟ ଯୋଗାଇଛନ୍ତି ।

 

Comments are closed.