ଭୁବନେଶ୍ୱର: ଆସୁଛି ଶୀତ ଋତୁ। ବଡ଼ ବଡ଼ ସହରରେ ଶୀତ ଦିନ ଆସିଲେ ବାୟୁ ପ୍ରଦୂଷଣ ବଢିଯାଏ। ତେବେ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। ଭୁବନେଶ୍ୱର ବାୟୁ ପ୍ରଦୂଷଣକୁ ନେଇ ଗବେଷଣା ଚାଲିଛି। ଏହି ଗବେଷଣାରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଗବେଷଣାରେ ଭୁବନେଶ୍ୱରର ୧୦ଟି ହଟ୍ ସ୍ପଟକୁ ଚିହ୍ନଟ କରାଯାଇଛି।
ଦିଲ୍ଲୀ ଭଳି ଭୁବନେଶ୍ୱର ବାୟୁ ମଧ୍ୟ ଦିନକୁ ଦିନ ବିଷାକ୍ତ ହୋଇ ଚାଲିଛି। ଅସ୍ୱାସ୍ଥ୍ୟକର ହୋଇ ପଡୁଛି ପରିବେଶ। ରସୁଲଗଡ, ୟୁନିଟ ୯, ଖାରବେଳ ନଗର, ଲକ୍ଷ୍ମୀସାଗର, ୟୁନିଟ ୪, ଗଜପତି ନଗର, ଆଇଆରସି ଭିଲେଜ ନୟାପଲ୍ଲୀ, ଖଣ୍ଡଗିରି, ମଂଚେଶ୍ୱର ଓ ପଟିଆରେ ସବୁଠାରୁ ଅଧିକ ପ୍ରଦୁଷଣ ହେଉଛି। ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତେବେ ବାୟୁ ପ୍ରଦୂଷଣକୁ ନେଇ ବିଶେଷଜ୍ଞ କଲେ ସତର୍କ। ପଦକ୍ଷେପ ନନେଲେ ଭବିଷ୍ୟତରେ ସାଙ୍ଘାତିକ ହେବ ସ୍ଥିତି।
ଏହି ଗବେଷଣା ରିପୋର୍ଟ ଅନୁଯାୟୀ ବାୟୁମଣ୍ଡଳରେ ଅଧିକ ସଲଫର ଡାଇଅକସାଇଡ୍, ନାଇଟ୍ରୋଜେନ୍ ଡାଇଅକସାଇଡ୍, କାର୍ବନ ମନୋକ୍ସାଇଡ୍ ଏବଂ ଦୂଷିତ ଧୂଳିକଣା ରହିଛି। ଯାହା କମ୍ ଦିନରେ ହୃଦରୋଗ, ଶ୍ୱାସକ୍ରିୟାଜନିତ ରୋଗ, ଯକ୍ଷ୍ମା ଭଳି ରୋଗ ସୃଷ୍ଟି କରିପାରେ। ଦୂଷିତ ବାୟୁ ଯୋଗୁଁ ଥଣ୍ଡା, କାଶ ଓ ଛିଙ୍କ ଭଳି ରୋଗ ବ୍ୟାପୁଛି। ସାଧାରଣ ବାୟୁର ଗୁଣବତ୍ତା ସୂଚକାଙ୍କ ୫୦ କିମ୍ବା ଏହାଠାରୁ ତଳକୁ ରହିଲେ, ଭଲ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଭୁବନେଶ୍ୱରରେ ଏହି ସୂଚକାଙ୍କ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ।
Comments are closed.