Latest Odisha News

BREAKING NEWS

ଏପ୍ରିଲ୍‌ରୁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନିଗୁଡ଼ିକ ଗ୍ୟାସ୍ ଓ ବିମାନ ଇନ୍ଧନ ମୂଲ୍ୟରେ ସଂଶୋଧନ କରୁଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଆମଦାନି କମ୍ ହୋଇଥିବାରୁ ଆସନ୍ତା ଏପ୍ରିଲ୍ ପହିଲାରେ ଆଭିଏସନ ଟର୍ବାଇନ ଫୁଏଲ୍ (ଏଟିଏଫ୍) ଦାମ୍ ବଢ଼ିବା ଆଶଙ୍କା କରାଯାଉଛି। ତାହା ହେଲେ ଏପ୍ରିଲ୍‌ରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି।
ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ସଙ୍କଟ ଲାଗି ରହିଲେ ତାହା ବିମାନ ଚଳାଚଳ କମ୍ପାନି ଓ ସେମାନଙ୍କ ପରିଚାଳନାକୁ ପ୍ରଭାବିତ କରିବ ଆମେ କମ୍ପାନିମାନଙ୍କ ମତାମତ ସଂଗ୍ରହ କରୁଛୁ। ବର୍ତ୍ତମାନ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନକୁ ସୁରକ୍ଷିତ ବିମାନ ଚଳାଚଳକୁ ସରକାର ପ୍ରାଥମିକତା ଦେଉଛନ୍ତି ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିମାନ ଶିଳ୍ପ ଉପରେ ଯୁଦ୍ଧ ପ୍ରଭାବକୁ ଯଥା ସମ୍ଭବ କମ୍ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ସମନ୍ଵୟ ରକ୍ଷା କରି କାମ କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଏକତ୍ର କାମ କରୁଥିବା ସେ କହିଛନ୍ତି। ବିମାନ କମ୍ପାନିର ୪୦ ପ୍ରତିଶତ ଖର୍ଚ୍ଚ ଇନ୍ଧନ କିଣିବାରେ ହୋଇଥାଏ। ସେଥିରେ କୌଣସି ପ୍ରକାର ବୃଦ୍ଧି ଘଟିଲେ ତାହା ସିଧାସଳଖ ସେମାନଙ୍କ ପରିଚାଳନା ଖର୍ଚ୍ଚକୁ ବଢ଼ାଇଥାଏ। ସାରା ବିଶ୍ବରେ ଅଶୋଧିତ ତେଲ ଓ ବିମାନ ଇନ୍ଧନ ମହଙ୍ଗା ହେଉଥିବାରୁ ତାହାର ପ୍ରଭାବ ନିଶ୍ଚିତ ଭାବେ ବିମାନ ଟିକଟରେ ପ୍ରତିଫଳିତ ହେବା ତେବେ ଯାତ୍ରୀମାନଙ୍କ ସ୍ବାର୍ଥକୁ ଯଥାସମ୍ଭବ ସୁରକ୍ଷିତ ରଖିବାକୁ ସରକାର ପ୍ରୟାସ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି।
ତେଲ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ନିକଟରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ପକ୍ଷରୁ ଫୁଏଲ୍ ସରଚାର୍ଜ ଲାଗୁ କରାଯାଇଛି। ଗତକାଲି କେନ୍ଦ୍ର ସରକାର ଘରୋଇ ଏୟାରଲାଇନ୍ସର ଟିକଟ ମୂଲ୍ୟର ଯେଉଁ ସୀମା ଧାର୍ଯ୍ୟ କରିଥିଲେ ତାହାକୁ ପ୍ରତ୍ୟାହାର କରିନେଇଛନ୍ତି।

Comments are closed.