ଭୁବନେଶ୍ୱର: ଓଡିଶା ଟେନିସ ଆସୋସିଏଶନ(ଓଟା), ରାଜ୍ୟ କ୍ରୀଡା ବିଭାଗ ଆନୁକୂଲ୍ୟରେ ଆଇଟା-ଓଟା ଟ୍ୟାଲେଂଟ ସିରିଜ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୧୨ ଓ ୧୪ ବର୍ଷରୁ କମ ବିଭାଗରେ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଓଡିଶାର ୬୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୧୨ ବର୍ଷରୁ କମ ବାଳକ ବିଭାଗରେ ଓଡିଶାର ଯୁବରାଜ ମୁଦୁଲି ପଶ୍ଚିମବଙ୍ଗର ଦେବନଜୋୟ ପୋଦ୍ଦାରଙ୍କୁ ୬-୧, ୬-୩ ସେଟରେ ପରାସ୍ତ କର ଚାମ୍ପିୟନ ହୋଇଛନ୍ତି । ବାଳିକା ବିଭାଗରେ ଓଡିଶାର ତିନଭି ବେହେରା ନିଜ ରାଜ୍ୟର ଆୟେଶା ରଥଙ୍କୁ ୬-୨, ୬-୨ ସେଟରେ ପରାଜିତ କରି ଟାଇଟଲ ହାସଲ କରିଛନ୍ତି ।
୧୪ ବର୍ଷର କମ ବାଳିକା ବିଭାଗ ଫାଇନାଲରେ ଓଡିଶାର ସୁଶ୍ରୀ କର୍ମାକାର ୬-୨, ୬-୩ ସେଟରେ ପଶ୍ଚିମବଙ୍ଗର ଆହାନ ଦାସଙ୍କୁ ହରାଇଥିଲେ । ବାଳକ ବିଭାଗରେ ଝାରଖଣ୍ଡର ସମୟ ଆଗମାନ ୬-୪, ୬-୨ରେ ଓଡିଶାର ସିଦ୍ଧାର୍ଥ ଦାସଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି । ୧୪ ବର୍ଷରୁ କମ ବାଳକ ଡବଲ୍ସ ବିଭାଗ ଫାଇନାଲରେ ସମୟ ଆଗମନ ଓ ସୂର୍ଯ୍ୟାଂଶ ଥାଟ୍ଟୋଇ ଓଡିଶାର ଶଙ୍କର ପଣ୍ଡା ଓ ସୂରଜ ଦାସଙ୍କୁ ୬-୧, ୬-୨ରେ ପରାଜିତ କରିଥିଲେ । ସଞ୍ଜୀବ ପଣ୍ଡା, ସମ୍ବିତ ପଟ୍ଟନାୟକ, ବିନୋଦ ସେଠ, ଶିବ ପରିଡା ପ୍ରମୂଖ ଉପସ୍ଥିତ ରହି ଟ୍ରଫି ପ୍ରଦାନ କରିଥିଲେ । ଶିବ ଶଙ୍କର ପରିଡା ରେଫରୀ ଭାବେ ମ୍ୟାଚ ପରିଚାଳନା କରିଥିଲେ ।