ନୂଆଦିଲ୍ଲୀ: ଅଜିତ ଅଗରକର ଚୟନ କମିଟି ମୂଖ୍ୟ ହେବା ପରଠାରୁ ଭାରତୀୟ କ୍ରିକେଟ ଟିମ ୩ଟି ଆଇସିସି ଟ୍ରଫି ହାସଲ କରିଛି । ଏବେ ଅଗରକର ଏକ ବଡ ଡିମାଣ୍ଡ ବିସିସିଆଇ ନିକଟରେ ରଖିଛନ୍ତି । ଯଦି ବିସିସିଆଇ ତାଙ୍କ କଥା ଶୁଣେ ତେବେ ବୋର୍ଡର ପ୍ରଚୂର ଲାଭ ହେବ । ଅଗରକର ତାଙ୍କ କଂଟ୍ରାକ୍ଟ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ୨୦୨୭ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଅଗରକରଙ୍କ ଟିମ ଚୟନ କରିଥିବା ଦଳ ଟି୨୦ବିଶ୍ୱକପ ୨୦୨୪, ଟି୨୦ ବିଶ୍ୱକପ ୨୦୨୬ ଓ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି । କୋଚ ଗୌତମ ଗମ୍ଭୀରଙ୍କ ଅଗରକରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ରହିଛି ।
ଏହି ଦୁଇଜଣ କେତେକ କଠୋର ନିଷ୍ପତି ନେଇଥିଲେ । ସେମାନଙ୍କ ଚାପ ଯୋଗୁ ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇଥିଲେ । ଅଗରକର ଓ ଗମ୍ଭୀରଙ୍କ ଉପସ୍ଥିତି ଭାରତକୁ ସୀମିତ ଓଭରରେ ଭଲ ଫଳ ଦେଉଥିବା ବେଳେ ଟେଷ୍ଟରେ ନିରାଶ କରୁଛି । ଅଗରକର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟକୁମାରଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରିଥିଲେ । ସେହିପରି ଟି୨୦ ବିଶ୍ୱକପ ପୂର୍ବରୁ ଈଶାନ କିଶାନଙ୍କୁ ଦଳରେ ନେବା ମଧ୍ୟ ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହୋଇଥିଲା । ରୋହିତଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଥିଲେ ମଧ୍ୟ ଅଗରକର ତାଙ୍କୁ ହଟେଇ ଶୁଭମନ ଗିଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ।