ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ୩-୦ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମ ପରିବର୍ତନ ଧାରାରେ ସାମିଲ ହେବାକୁ ବାଧ୍ୟ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରୁ ଭାରତୀୟ କ୍ରିକେଟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ବିଶେଷ କରି ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଉପରେ ବିଶେଷ ଭାବେ ନଜର ରହିବ । ଏହି ସିରିଜ ଉପରେ ସମ୍ପୂର୍ଣ୍ଣ ନଜର ରଖିବା ପାଇଁ ବିସିସିଆଇ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ପଠାଇଛି । କୋଚ ଗୌତମ ଗମ୍ଭୀର ଓ ଅଗରକର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ, ଫର୍ମ ଏବଂ ଫିଟନେସ ଉପରେ ମଧ୍ୟ ନଜର ରଖିବେ । ବିସିସିଆଇ ପରୋକ୍ଷ ଭାବରେ ଭବିଷ୍ୟତ ଉପରେ ନଜର ରଖି ନୂତନ ଟିମ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ସିନିୟର ଖେଳାଳିଙ୍କ ଅବସର ନେବା ସମୟ ଉପନୀତ ହେଲାଣି । ସେମାନଙ୍କ ସ୍ଥାନ ଭରଣା ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରାଯିବ । ଅଷ୍ଟ୍ରେଲିଆ ଗସ୍ତ ପରେ ସିନିୟର ଖେଳାଳିଙ୍କୁ କୋଚ ଏବଂ ଚୟନକମିଟି ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ କରାଇବେ । ଆଗାମୀ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଓ ଦିନିକିଆ ବିଶ୍ୱକପ ପାଇଁ ଏବେଠାରୁ ରୋଡମ୍ୟାନ ପ୍ରସ୍ତୁତ କରାଯିବ । ଅନ୍ୟ ଏକ ରିପୋର୍ଟ ଅନୁସାରେ କୋହଲିଙ୍କ ବ୍ୟତୀତ ଅନ୍ୟ ୩ଜଣ ଖେଳାଳିଙ୍କୁ ଅବସର ନେବା ପାଇଁ ଚାପ ପକାଯାଇପାରେ । କୋହଲି ଯଦି ଭଲ ପ୍ରଦର୍ଶନ କରନ୍ତି ତେବେ ଆଉ କିଛି ଦିନ ଖେଳିବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।