Latest Odisha News

BREAKING NEWS

‘ବିରୋଧୀ ଦଳର ଚେହେରା ହେବେନି ପାଓ୍ୱାର’, ଦାଦା-ପୁତୁରା ସମ୍ପର୍କ ଠିକ୍ ଅଛି ତ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଟକାଟୋରା ଷ୍ଟାଡିୟମରେ ଶରଦ ପାୱାରଙ୍କ ପାର୍ଟି ଏନସିପିର ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ରବିବାର ଏହି ସମ୍ମିଳନୀରେ ଏକ ବଡ଼ ଡ୍ରାମା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ବିଧାନସଭାର ଶରଦ ପାୱାରଙ୍କ ପୁତୁରା ତଥା ବିରୋଧୀଦଳ ନେତା ଅଜିତ ପାୱାର ମଞ୍ଚରୁ ଉଠି ପଳାଇଥିଲେ। ଆଉ ଜୟନ୍ତ ପାଟିଲ ଯାଉ ଯାଉ ଅଟକି ଗଲେ। ଶରଦ ପାୱାର ସବୁ ଦେଖି ଚୁୁପ୍ ରହିଥିଲେ। କିନ୍ତୁ ଅଜିତ ପାୱାର ପଛକୁ ଚାହିଁ ନଥିଲେ। ଏହା ପରେ ଅଜିତ ପାୱାର ସମର୍ଥକମାନେ ରାଗିଯାଇ ନାରାବାଜି କରିଥିଲେ। ଅଜିତ ପାୱାର ୱାଶରୁମକୁ ଯାଇଛନ୍ତି ବୋଲି ପ୍ରଶାନ୍ତ ପଟେଲ ସେମାନଙ୍କୁ ଶାନ୍ତ କରିବାକୁ କହିଥିଲେ। ହେଲେ ସେ ଆସିନଥିଲେ।

ଏହି ବୈଠକରେ ଶରଦ ପାୱାରଙ୍କୁ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି। ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଦଳର ଅନ୍ୟତମ ନେତା ପ୍ରଫୁଲ ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାକୁ ଶରଦ ପାଓ୍ୱାରଙ୍କ ଇଚ୍ଛା ନାହିଁ କି ସେ ରେସରେ ନାହାନ୍ତି । ଏଥିସହ ଶରଦ ପାୱାର ବିରୋଧୀଙ୍କ ଚେହେରା ନୁହଁନ୍ତି । ଏବେର ପରିସ୍ଥିତିକୁ ଅନୁଧ୍ୟାନ କଲେ ଶରଦ ପାୱାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । କେସିଆର, ଷ୍ଟାଲିନ, ମମତା ବାନାର୍ଜୀ, ସୀତାରାମ ୟେଚୁରୀ ଏବଂ କଂଗ୍ରେସ ନେତାମାନେ ଶରଦ ପାୱାରକୁ ପାଖକୁ ଆସନ୍ତି । ଏହା ପଛରେ ପାୱାରଙ୍କ ଭିଜନ ରହିଛି। ସେ ସମସ୍ତ ପାର୍ଟିକୁ ଏକାଠି ଆଣିପାରିବେ।

ତେବେ ବୈଠକରେ ମହାରାଷ୍ଟ୍ର ଏନସିପିର ସଭାପତି ଜୟନ୍ତ ପାଟିଲଙ୍କୁ ଉଦବୋଧନ ଦେବାକୁ ଡକାଯାଇଥିଲା। ହେଲେ ସେ ଭାଷଣ ଆରମ୍ଭ କରିବା ପୂର୍ବରୁ ଅଜିତ ପାୱାର ମଞ୍ଚ ଛାଡି ଚାଲି ଯାଇଥିଲେ। ଅଜିତ ପାୱାରଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା। ତେଣୁ ସେ ରାଗିଯାଇଥିଲେ ବୋଲି କୁହାଯାଉଛି। ଆଉ ମଞ୍ଚ ଛାଡ଼ି ପଳାଇଥିଲେ। ତେବେ ପ୍ରଫୁଲ୍ଲ ପଟେଲ ମଞ୍ଚରୁ କହିଥଲେ ଯେ ଅଜିତ ପାୱାର ମଧ୍ୟ ଉଦବୋଧନ ଦେବେ। ପରେ ଜୟନ୍ତ ପାଟିଲ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ବକ୍ତା ତାଲିକାରେ ଅଜିତ ପାୱାରଙ୍କ ନାମ ରହିଛି। କିନ୍ତୁ ଅଜିତ ପାୱାର କିଛି ନ କହି ଚାଲିଗଲେ।

ତେବେ ଅଜିତ ପାୱାର ଅସନ୍ତୋଷ ଖବରକୁ ଖାରଜ କରିଛନ୍ତି। ସେ ସ୍ପଷ୍ଟୀକରଣ ଦେଇ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଜାତୀୟତାବାଦୀ କଂଗ୍ରେସ ଦଳର ଜାତୀୟ ସମ୍ମିଳନୀ ଥିଲା। ସେଥିପାଇଁ ବିଭିନ୍ନ ରାଜ୍ୟର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ସେମାନଙ୍କ ଭାଷଣ ଦେଇଥିଲେ। ଏହା ଜାତୀୟ ଅଧିବେଶନ ଥିଲା, ମହାରାଷ୍ଟ୍ର ଅଧିବେଶନ ନୁହେଁ। ତେଣୁ ସେ ଉଦବୋଧନ ଦେଇନଥିଲେ ବୋଲି କହିଛନ୍ତି।

Leave A Reply

Your email address will not be published.