ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁଜନ ସମାଜ ପାର୍ଟି ବା ବିଏସପି ସୁପ୍ରିମୋ ମାୟାବତୀଙ୍କ ଘରକୁ ଖୁବ ଶୀଘ୍ର ଡାକ୍ତରୀ ବୋହୂ ଆସିବାକୁ ଯାଉଛନ୍ତି । ବାସ୍ତବରେ ମାୟାବତୀଙ୍କ ପୁତୁରା ତଥା ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବା ଆକାଶ ଆନନ୍ଦଙ୍କ ବିବାହ ହେବାକୁ ଯାଉଛି । ମାର୍ଚ୍ଚ ୨୬ରେ ତାଙ୍କର ବିବାହ ହେବାକୁ ଯାଉଛି । ମାୟାବତୀଙ୍କ ପୁତୁରାଙ୍କ ବିବାହ ପୂର୍ବତନ ରାଜ୍ୟସଭା ସାଂସଦ ଅଶୋକ ସିଦ୍ଧାର୍ଥଙ୍କ ଝିଅ ପ୍ରଜ୍ଞା ସିଦ୍ଧାର୍ଥଙ୍କ ସହିତ ସ୍ଥିର ହୋଇଛି। ତେବେ ପ୍ରଜ୍ଞା ଜଣେ ଡାକ୍ତର ହୋଇଥିବାବେଳେ କୁହାଯାଉଛି ଯେ ଆକାଶ ଲଣ୍ଡନରେ ଏମବିଏ ପଢୁଥିବାବେଳେ ପ୍ରଜ୍ଞା ସେତେବେଳେ ଲଣ୍ଡନରେ ଏମବିବିଏସ କରୁଥିଲେ ।
ଆଉ ସେତେବେଳେ ଉଭୟ ପରସ୍ପରକୁ ଭେଟିଥିଲେ । ପ୍ରଜ୍ଞାଙ୍କ ବାପା ଅଶୋକ ସିଦ୍ଧାର୍ଥ ବି ଜଣେ ଡାକ୍ତର ଥିଲେ । କିନ୍ତୁ ମାୟାବତୀ କହିବା ପରେ ସେ ଡାକ୍ତରୀ ଛାଡି ରାଜନୀତିରେ ପ୍ରବେଶ କରିଥିଲେ । ମାୟାବତୀଙ୍କ ବିଶ୍ୱସ୍ତ ନେତାଙ୍କ ମଧ୍ୟରେ ଅଶୋକ ସିଦ୍ଧାର୍ଥଙ୍କୁ ଗଣାଯାଏ। ୨୦୦୯ ମସିହାରେ ଅଶୋକ ବିଧାନ ପରିଷଦ ସଦସ୍ୟ ହୋଇଥିବାବେଳେ ୨୦୧୬ରୁ ୨୦୨୨ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ । ତେବେ ଅଶୋକ ବର୍ତ୍ତମାନ ବିଏସପିର ଅନେକ ରାଜ୍ୟରେ ପ୍ରଭାରୀ ଅଛନ୍ତି । ଆକାଶ ଆନନ୍ଦଙ୍କ ବାବଦରେ କହିବାକୁ ଗଲେ ସିଏ ହେଉଛନ୍ତି ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ପୁଅ । ଆନନ୍ଦ କୁମାରଙ୍କ ନାମ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଆୟକର ବିଭାଗର ତାଙ୍କର ବେନାମୀ ସମ୍ପତ୍ତିକୁ ଜବତ କରିଥିଲା ।
Comments are closed.