Latest Odisha News

BREAKING NEWS

ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ

ଭୁବନେଶ୍ଵର: ଆଜି ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିମାନଙ୍କୁ ନେଇ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ ଭୁବନେଶ୍ଵର ଭଗବତୀ ଭବନ ସମ୍ମିଳନୀ କକ୍ଷରେ ବିକେଏମୟୁ ରାଜ୍ଯ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ବଭାରତୀୟ ସଭାପତି କମ୍ରେଡ୍ କେ ରାମ ମୁର୍ତ୍ତି ସଂଗଠନର ପତାକା ଉତ୍ତୋଳନ କରି ଆମ ଭାରତୀୟ ସମାଜରେ ଥିବା ଘୃଣ୍ୟ ଜାତିବାଦ ସଂପର୍କରେ ଆଲୋଚନା କରିବା ସହ ଯେଉଁ ଜାତିର ଜନ ସଂଖ୍ୟା ଯେତେ- ସେମାନଙ୍କୁ ଭାଗ ସେତେ ଦିଅଆଯାଉ ବୋଲି ତୃପ୍ତ ଆହ୍ଵାନ ଦେଇଥିଲେ। ଏହି ସମ୍ମିଳନୀକୁ ସିପିଆଇ ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦଘାଟନ କରି ସମଗ୍ର ଦେଶରେ ମଣ୍ଡଳ କମିଶନ ସୁପାରିଶ କାର୍ଯ୍ଯକାରୀ ହେବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଆଦିବାସୀ, ଦଳିତ ଓ ପଛୁଆ ବର୍ଘଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିଥିବାର ସୂଚନା ଦେଇ ଉଦବେଗ ପ୍ରକାଶ କରିଥିଲେ।ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇ ଜାତି ଭିତ୍ତିକ ଜନଗଣନା ପାଇଁ ରାଜ୍ଯବ୍ୟାପୀ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଥିଲେ।

ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଙ୍ଘମିତ୍ରା ଜେନା ଉଦବୋଧନ ଦେଇ ଜାତୀୟ ଶିକ୍ଷାନୀତି-୨୦୨୦ ମନୁଵାଦ, ଶୋଷଣ ଓ ଅତ୍ୟାଚାରକୁ ବଳବତ୍ତର ରଖିବା ପାଇଁ ଉଦ୍ଦିଷ୍ଟ ଥିବା ସହ ଏଥିରେ ସଂରକ୍ଷଣ ଵିରୋଧୀ ଷଡ଼ଯନ୍ତ୍ର କରାଯାଇଥିବାର ସୂଚନା ଦେଇଥିଲେ। ୬ଷ୍ଠ ଶ୍ରେଣୀରୁ ଛାତ୍ର ଛାତ୍ରୀଙ୍କୁ କୌଳିକ ବୃତ୍ତିର ଶିକ୍ଷାଦାନ ଆଳରେ ପ୍ରାକ୍ ମଧ୍ୟଯୁଗୀୟ ଶୋଷଣ ଵ୍ଯଵସ୍ଥାକୁ ପୁନଃସ୍ଥାପନ କରିବ ବୋଲି ସୂଚନା ଦେଇ ଏହାର ସମ୍ପୁର୍ଣ୍ଣ ପ୍ରତ୍ୟାହାର ପାଇଁ ଦଳିତ ଅଧିକାର ଆନ୍ଦୋଳନ ଲଢେଇ କରିଵାକୁ ଆହ୍ଵାନ ଦେଇଛନ୍ତି। ଉତ୍କଳ ମହିଳା ସମିତି ସଭାପତି ପ୍ରମୋଦିନୀ ପାଇକରାୟ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦେଵାଶିଷ ପରିଜା ଉଦବୋଧନ ଦେଇ ସମ୍ମିଳନୀର ସଫଳତା କାମନା କରିଥିଲେ। ଏହି ସମ୍ମିଳନୀରେ ୨୦ଜଣରୁ ଅଧିକ ସାଥୀ ଵିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

ଗୃହୀତ ଦାବି ପ୍ରସ୍ତାବ ଭାରତୀୟ ସମାଜ ବ୍ୟବସ୍ଥାରେ ଯେଉଁ ଜାତି ଓ ବର୍ଗର ସଂଖ୍ୟା ଯେତେ ତାଙ୍କୁ ସବୁ କ୍ଷେତ୍ରରେ ସେତିକି ଭାଗ ଦିଆଯିବା ପାଇଁ ଜାତୀୟ ନୀତି ପ୍ରଣୟନ କରାଯାଉ। ଦେଶବ୍ୟାପୀ ଜାତି ଭିତ୍ତିକ ଜନ ଗଣନା କରାଯାଉ। ପୁଦୁଚେରୀ ଓ ତାମିଲନାଡୁ ଭଳି ଓଡ଼ିଶାରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରଣୟନ କରି ଏହି ପରିବାରର ଛାତ୍ର ଛାତ୍ରୀଙ୍କୁ କେ.ଜି.ରୁ ପିଏଚଡ଼ି ପର୍ଯ୍ଯନ୍ତ ନିଃଶୁଳ୍କ ଓ ଷ୍ଟାଇପେଣ୍ଡ ସହ ଶିକ୍ଷାଦାନ ଵ୍ଯଵସ୍ଥା କରାଯାଉ। ଓଡିଶାର ଜନସଂଖ୍ୟାରେ ଆଦିବାସୀ, ଦଳିତ, ପଛୁଆବର୍ଗ ହାର ୯୪% ହୋଇଥିବାରୁ ଏହି ଵର୍ଗଙ୍କୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୯୪% ସ୍ଥାନ ସଂରକ୍ଷଣ ଦିଆଯାଉ।

ଓଡ଼ିଶାରେ ପେସା ଆଇନ କଡାକଡି ଭାଵେ କାର୍ଯ୍ଯକାରୀ କରାଯାଉ। ଜଙ୍ଗଲ ଅଧିକାର ଆଇନରର ସଂଶୋଧନ ପ୍ରତ୍ୟାହାର କରାଯାଉ ଓ ଜଙ୍ଗଲ ଅଧିକାର ଆଇନକୁ କଡ଼ା କଡ଼ି ଭାଵେ କାର୍ଯ୍ଯକାରୀ କରାଯାଉ। ଓଡ଼ିଶାରେ ଭୂମିହୀନ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଜନଗଣଙ୍କୁ ଘରଡିହ ଓ କୃଷି ଉପଯୋଗୀ ଜମି ପଟ୍ଟା ପ୍ରଦାନ ଇତ୍ୟାଦି ଦାବି ପ୍ରସ୍ତାବ ଗୃହୀତ ହୋଇଅଛି। ଏହି ଦାବି ନେଇ ଶକ୍ତିଶାଳୀ ଦଳିତ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଏକ ୧୩ଜଣିଆ ରାଜ୍ଯ କମିଟି ଗଠିତ ହୋଇଅଛି।ଏହି ୧୩ଜଣିଆ କମିଟିରେ ଦାମୋଦର ବେହେରା ସଭାପତି ଓ ଗାଗାରିନ ନାଏକ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ସୁବାଷ ଚନ୍ଦ୍ର ଜାନୀ, ଛେତମ୍ଵର ଭୋଇ, ଉଗ୍ରସେନ ଦାସ, ଡାକ ହେମ୍ଵ୍ରମ, ଭୁଜଧର ମାଝୀ, ଉତ୍ତମ ମଲ୍ଲିକ, ଭକ୍ତ ମାଝୀ, ଇସମାଇଲ ସବର, ପ୍ରଫୁଲ୍ଲ ନାଏକ, ଦୟାନିଧି ଜେନା, କାମିନୀକାନ୍ତ ଜେନା, ବଆବଆଜଈ ଚରଣ ଜେନା ଓ ମୀନା ତାଣ୍ଡି ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସମ୍ମିଳନୀ ପୁର୍ବରୁ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ବଭାରତୀୟ ସଭାପତିଙ୍କୁ ଏକ ବର୍ଣ୍ଣାଢ୍ଯ ପଟୁଆରରେ ସମ୍ମିଳନୀ କକ୍ଷ ପର୍ଯ୍ଯନ୍ତ ଅଣାଯାଇଥିଲା।

Comments are closed.