ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ ହେରା ଫେରିକୁ ଆଜିବି ମନେ ରଖିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମରେ ପରେଶ ରାୱଲଙ୍କ ବାବୁରାଓ ଗଣପତରାଓ ଆପ୍ଟେ ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। କିନ୍ତୁ ଖବର ଅନୁଯାୟୀ ଫିଲ୍ମରେ ଆଉ ନଜର ଆସିବେନି ବାବୁ ଭୟା। ଯାହାଫଳରେ ସେ କୋର୍ଟକୁ ଟାଣି ହୋଇଛନ୍ତି।
ଅଭିନେତା ଅକ୍ଷୟ କୁମାର ପରେଶ ରାୱଲଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଅକ୍ଷୟ ତାଙ୍କ ୩୫ ବର୍ଷର କ୍ୟାରିଅରରେ ପ୍ରଥମ ଥର ପାଇଁ କାହା ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ପ୍ରକୃତରେ, ‘ହେରା ଫେରି 3’ର ସୁଟିଂ ଆରମ୍ଭ ହୋଇଯାଇଥିଲା, ପ୍ରଶଂସକମାନେ ବାବୁ ଭୟାଙ୍କ ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ ନିକଟରେ ପରେଶ ରାୱଲ ଏହି କଲ୍ଟ କମେଡିକୁ ଅଧା ବାଟରେ ଛାଡି ଦେଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ତଥାପି ସେ କାହିଁକି ଫିଲ୍ମ ଛାଡିଲେ ତାହା ସ୍ପଷ୍ଟ୍ କରିନାହାନ୍ତି। ପରେଶ ରାୱଲ କହିଥିଲେ, ‘ମୁଁ ଏହା ରେକର୍ଡରେ ରଖିବାକୁ ଚାହୁଁଛି ଯେ ହେରା ଫେରି ୩ରୁ ବାହାରିବାର ମୋର ନିଷ୍ପତ୍ତି କ୍ରିଏଟିଭ ଡିଫରେନ୍ସ ଯୋଗୁଁ ନଥିଲା।’ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ପ୍ରତି ମୋର ବହୁତ ପ୍ରେମ, ସମ୍ମାନ ଏବଂ ବିଶ୍ୱାସ ଅଛି। ଏପରି ସ୍ଥିତିରେ ଫିଲ୍ମର ପ୍ରଯୋଜକ ଅର୍ଥାତ୍ ଅଭିନେତା ଅକ୍ଷୟ କୁମାର ପରେଶ ରାୱଲଙ୍କଠାରୁ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।
ପରେଶ ଏହି ଫିଲ୍ମ ପାଇଁ ବିଧିବଦ୍ଧ ଭାବରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ସୁଟିଂ ଆରମ୍ଭ କରିଥିଲେ ଏବଂ ଆଗୁଆ ଫିସ୍ ମଧ୍ୟ ନେଇଥିଲେ। ଏପରି ପରିସ୍ଥିତିରେ, ସେ ଫିଲ୍ମକୁ ମଝିରେ ଛାଡିଦେବା ଯୋଗୁଁ, ସୁଟିଂରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା କ୍ଷତି ହୋଇଛି। ଯାହା ପରେ ଅକ୍ଷୟ କୁମାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
ଅଧିକ ପଢନ୍ତୁ:- ହେରା ଫେରି-୩ରୁ ବାହାରିଲେ ପରେଶ ରାୱଲ, ଜାଣନ୍ତୁ କାହିଁକି ଫିଲ୍ମରେ ନଜର ଆସିବେନି ବାବୁ ଭୟା…
ହେରା ଫେରି ସିରିଜର ପ୍ରଥମ ଫିଲ୍ମ ୨୦୦୨ ମସିହାରେ ଏବଂ ଦ୍ୱିତୀୟଟି ୨୦୦୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ପ୍ରତ୍ୟେକ ଚରିତ୍ର, ସେ ରାଜୁ ହୁଅନ୍ତୁ କିମ୍ବା ବାବୁରାଓ ଗଣପତରାଓ ଆପ୍ଟେ, ଏବେ ବି ଲୋକଙ୍କ ମନରେ ରହିଛନ୍ତି । ସବୁଠାରୁ ଖାସ କଥା ହେଉଛି ଇଣ୍ଟରନେଟ୍ ଜଗତର ଅଧିକାଂଶ ମିମ୍ ଏହି ଫିଲ୍ମର ଚରିତ୍ରମାନଙ୍କ ଉପରେ ତିଆରି ହୋଇଛି । ଏହାର ତୃତୀୟ ଭାଗ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିବା ନେଇ ନିର୍ଦ୍ଦେଶକ ପ୍ରିୟଦର୍ଶନ ଚଳିତ ଜାନୁଆରୀରେ ସ୍ପଷ୍ଟ କରିଥିଲେ।
ତେବେ ଦେଖିବାକୁ ବାକି ରହିଲା ଯେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ସହ ‘ବାବୁ ରାଓ’ ଭୂମିକାରେ କେଉଁ ଅଭିନେତା ଅଭିନୟ କରିବେ।
Comments are closed.