Latest Odisha News

ଡରାଇ ଚାଲିଛି ଡେଙ୍ଗୁ ମଶା: କଟକ ବଡମ୍ବାରେ ଜଣଙ୍କର ମୃତ୍ୟୁ, ଭୁବନେଶ୍ବରରେ ସ୍ଥିତି ଅଣାୟତ!

ଭୁବନେଶ୍ୱର/କଟକ: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏଭଳି ସ୍ଥିତି ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୪ଟି ଜିଲ୍ଲାରେ ଏହି ରୋଗ ତା’ର ଭୟଙ୍କର ରୂପ ନେଇଛି। ଅଗଷ୍ଟ ୩ ସୁଦ୍ଧା ୧୧୫୪ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ସମୟରେ ୧,୦୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ୬୨ ପ୍ରତିଶତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୭୧୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୯୦ ପ୍ରତିଶତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ପ୍ରାୟ ୧୫୦ ଜଣ ଡେଙ୍ଗୁ ପରୀକ୍ଷା ପାଇଁ ହସ୍ପିଟାଲକୁ ଆସୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ପଜିଟିଭ୍ ଅଛନ୍ତି। ବର୍ତ୍ତମାନ ୩୫ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ୩୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯେତେବେଳେ କି ଆମ ପାଖରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବେଡ୍ ୧୦ଟିରୁ ଅଧିକ ରହିଛି।

ସେହିପରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଭାରପ୍ରାପ୍ତ) ଡାକ୍ତର ଗୁଣୁରାଣୀ ପଟ୍ଟନାୟକ କହିଛନ୍ତି।

ଏବର୍ଷ ୧୧୫୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ସଂଖ୍ୟା ୧,୦୧୯ ଥିଲା। ସାମାନ୍ୟ ବୃଦ୍ଧି ହୋଇଛି ଏହି ସଂଖ୍ୟା। ଯାହା ସଚେତନତାର ଅଭାବ ଯୋଗୁଁ ହୋଇଛି। ତଥାପି ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

କେବଳ ସେତିକି ନୁହେଁ, ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଜଣଙ୍କ ପରେ ଜଣେ ଏହି ରୋଗରେ ପ୍ରାଣ ହରାଉଛନ୍ତି। ଜୁଲାଇ ମାସରେ ଜଣେ ସାତ ବର୍ଷର ଶିଶୁ କନ୍ୟା ଓ ଜଣେ ଗର୍ଭବତୀ ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଗତକାଲି କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ଜଣେ ବ୍ୟକ୍ତି ଏହି ରୋଗରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ବାପା ଜ୍ୱରରେ ଛଟପଟ ହେଉଥିଲେ। ପରୀକ୍ଷା କରିବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଆମେ ସକାଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲୁ ଏବଂ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ମୃତ ଯୁବକଙ୍କ ପୁଅ ଗଙ୍ଗାଧର ଦେହୁରୀ କହିଛନ୍ତି।

ଇତିମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ଡେଙ୍ଗୁରେ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧିକୁ ଏଡିସ ମଶାର ଲାର୍ଭା ବନ୍ୟାଜଳରେ ଭାସି ଆସିଛି ବିଭିନ୍ନ ସ୍ଥାନକୁ। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି, ନଚେତ୍ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ।

Comments are closed.