Latest Odisha News

BREAKING NEWS

ରେଳ ଧାରଣାରେ ପଥର, ବନ୍ଦେ ଭାରତର ଲୋକପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଏଡ଼ାଇଲା ବଡ଼ ଦୁର୍ଘଟଣା

ଜୟପୁର: ସୋମବାର ସକାଳେ ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଲୋକ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଛି। ରେଳ ଧାରଣାରେ ପଥର, ଚିପ୍ସ, ଏବଂ ଅନ୍ୟାନ୍ୟ ଜିନିଷ ଥୁଆ ହୋଇଥିବା ଦେଖି ଟ୍ରେନକୁ ଠିକ୍ ସମୟରେ ଅଟକାଇ ଦେଇଥିଲେ ସଂପୃକ୍ତ ଲୋକ ପାଇଲଟ। ଏହି ଘଟଣା ସୋନିଆନା ଏବଂ ଗଙ୍ଗରାର ସେକ୍ସନ ମଧ୍ୟରେ ଘଟିଥିବା ବେଳେ ଟ୍ରେନଟି ଚିତ୍ତୋରଗଡ଼ ଅତିକ୍ରମ କରିବା ପରେ ଘଟିଛି।

ଟ୍ରେନର କୌଣସି କ୍ଷତି ହୋଇନଥିବା ବେଳେ ଟ୍ରାକ୍କୁ ସଫା କରାଯାଇଥିଲା, ଯାହା ଫଳରେ ଟ୍ରେନଟି ତା’ର ଯାତ୍ରା ଜାରି ରଖିଥିଲା। ଉତ୍ତର ପଶ୍ଚିମ ରେଳପଥର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଭଙ୍ଗାରୁଜା ଉଦ୍ୟମର ଏହା ହେଉଛି ସଦ୍ୟତମ ଘଟଣା। ମେ’ ମାସରେ ଆଜମେର-ଦିଲ୍ଲୀ କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସରେ ୧୩ ଥର ପଥର ମାଡ଼ ହୋଇଥିବା ଏନଡବ୍ଲୁଆର ରେକର୍ଡ କରିଛି, ଯେଉଁଥିରେ ଟ୍ରେନର କାଚ ଭାଙ୍ଗି ଯାଇଥିଲା।

ଏହି ସଦ୍ୟତମ ଘଟଣା ପଛର ଉଦ୍ଦେଶ୍ୟ ସମ୍ପର୍କରେ ଏନଡବ୍ଲୁଆର ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ସମ୍ଭବତଃ ଦୁର୍ବୃତ୍ତମାନେ ଟ୍ରେନ୍କୁ ଲାଇନଚ୍ୟୁତ କରିବାକୁ କିମ୍ବା ଅନ୍ୟ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ ବୋଲି କୁହାଯାଉଛି।

ବନ୍ଦେ ଭାରତ ଏକ୍ସପ୍ରେସ୍ ଏକ ହାଇସ୍ପିଡ୍ ଟ୍ରେନ୍ ଯାହା ଭାରତୀୟ ରେଳବାଇ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ଏହାର ଗତି, ଆରାମ, ଏବଂ ସୁରକ୍ଷା ବୈଶିଷ୍ଟ୍ୟ ପାଇଁ ଏହା ପ୍ରଶଂସିତ ହୋଇଛି। ତେବେ ନିକଟ ଅତୀତରେ ପଶ୍ଚିମବଙ୍ଗରେ ଏହି ଟ୍ରେନକୁ ଅନେକ ଥର ପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି।

Comments are closed.