Latest Odisha News

BREAKING NEWS

ସାବଧାନ! ଉତ୍ତରପ୍ରଦେଶରେ ବିକ୍ରି ହେଉଛି କେମିକାଲ ମିଶା ଆଳୁ

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରରେ ଖାଦ୍ୟ ସୁରକ୍ଷା ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଧିକାରୀମାନେ ବଜାରରୁ ଦୁଇଟି ଟ୍ରକ କେମିକାଲ ମିଶା ଆଳୁ ଜବତ କରିଛି।

ଆଳୁକୁ ଲାଲ, ଚମକଦାର ଏବଂ ତାଜା ଦେଖାଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା। ତେବେ ଉକ୍ତ ଆଳୁର ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରିପୋର୍ଟ ଅନୁଯାୟୀ, ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ସୂଚନା ପାଇଥିଲେ ଯେ ଗୋରଖପୁରର ନବୀନ ମହେୱା ମଣ୍ଡିରେ ରାସାୟନିକ ପଦାର୍ଥ ମିଶା ଆଳୁ ବିକ୍ରି ହେଉଛି। ରବିବାର ଏକ ଟିମ୍ ଅତର୍କିତ ଚଢାଉ କରି ପ୍ରାୟ ୫୦୦ କ୍ୱିଣ୍ଟାଲ ଆଳୁ ବୋଝେଇ ଦୁଇଟି ଟ୍ରକ ଜବତ କରିଥିଲା। ଏହି ଆଳୁଗୁଡ଼ିକ ତାମିଲନାଡୁର ଭେଲୋର ଏବଂ ଉତ୍ତର ପ୍ରଦେଶର ଫାରୁଖାବାଦରୁ ଆମଦାନି କରାଯାଇଥିଲା। ଯାହା ପରେ କିଛି ଡ୍ରାଇଭର ଟ୍ରକଗୁଡ଼ିକୁ ଛାଡି ଫେରାର ହୋଇଯାଇଥିଲେ।

ପ୍ରାରମ୍ଭିକ ତଦନ୍ତରେ ଆଳୁରେ ରାସାୟନିକ ପଦାର୍ଥ ଥିବା ଜଣାପଡ଼ିଥିଲା। ଅଧିକାରୀମାନେ ଉଭୟ ଟ୍ରକରୁ ମାଲ ଜବତ କରି ନମୁନା ନେଇ ପରୀକ୍ଷା ପାଇଁ ପଠାଇଥିଲେ। ଖାଦ୍ୟ ସୁରକ୍ଷା ସହାୟକ କମିଶନର ଡକ୍ଟର ସୁଧୀର କୁମାର ସିଂହଙ୍କ ମତରେ ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସାମଗ୍ରୀ ଜବତ ରହିବ। ଯଦି ରିପୋର୍ଟରେ ରାସାୟନିକ ପଦାର୍ଥର ଉପସ୍ଥିତି ସ୍ପଷ୍ଟ ହୁଏ ତେବେ ଆଳୁ ନଷ୍ଟ କରାଯିବ। କାରଣ ଏଗୁଡ଼ିକୁ ଖାଇବା ଦ୍ୱାରା ଗମ୍ଭୀର ଚର୍ମ ସମସ୍ୟା, କିଡନୀ ଏବଂ ହୃଦରୋଗ  ହୋଇପାରେ।

ରିପୋର୍ଟ ଅନୁସାରେ ଶୀତଳ ଭଣ୍ଡାରରୁ ଆଳୁ ବାହାର କରିବା ପରେ ଏହାକୁ ରାସାୟନିକ ପଦାର୍ଥରେ ମିଶାଇ ରଙ୍ଗ କରାଯାଏ ଏବଂ ତା’ପରେ ବିଭିନ୍ନ ଜିଲ୍ଲାର ବଜାରକୁ ବିକ୍ରୟ ପାଇଁ ପଠାଯାଏ।

 

Comments are closed.