ଆଲିଗଡ: ୧୦ ଦିନ ପରେ ଝିଅ ସହ ପଡିଥାନ୍ତା ହାତଗଣ୍ଡି । ନିମନ୍ତ୍ରଣପତ୍ର ଛପା ସରିଥିଲା । ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ ବି ଦିଆଯାଇଥିଲା । ହେଲେ ସମସ୍ତଙ୍କୁ ସ୍ତବ୍ଧ କରି ବାହାଘର ପ୍ରସ୍ତୁତି ଭିତରେ ମାଆ ତାଙ୍କ ହେବାକୁ ଥିବା ଜ୍ବାଇଁ ସହିତ ପଳାଇଛନ୍ତି । କିଛି ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ଆସିଛି, ଉତ୍ତର ପ୍ରଦେଶର ଆଲିଗଡ଼ରୁ । ଝିଅ ବିବାହାର ୧୦ ଦିନ ପୂର୍ବରୁ ମାଆ, ଭାବି ଜ୍ବାଇଁଙ୍କ ସହ ଫେରାର ହୋଇଯାଇଛନ୍ତି । ।
ଘଟଣା ସାମ୍ନାକୁ ଆସିବା ପରେ ଏବେ ମାଡ୍ରାକ୍ ପୋଲିସ ଷ୍ଟେସନ ଅନ୍ତର୍ଗତ ଏହି ଗାଁରେ ଆଳୋଚନା ଖେଳିଯାଇଛି । ଝିଅ ଶିବାନୀଙ୍କ କହିବା କଥା ହେଲା, ଆସନ୍ତା ଏପ୍ରିଲ ୧୬ରେ ତାଙ୍କର ବିବାହ ହୋଇଥାନ୍ତା । ତାଙ୍କ ମାଆ ଅନିତା ତାଙ୍କ ଭାବି ସ୍ୱାମୀଙ୍କ ସହିତ ପଳାଇଯାଇଛନ୍ତି । ଏଥି ସହ ଘରେ ଥିବା ସମସ୍ତ ନଗଦ ପାଖାପାଖି ୩.୫ ଲକ୍ଷ ଟଙ୍କାରୁ ଅଧିକ ଏବଂ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି । ଏଥିସହିତ ରାହୁଲ ଏବଂ ତାଙ୍କ ମାଆ ଗତ ତିନି ଚାରି ମାସ ଧରି ଫୋନରେ ବହୁତ କଥା ହେଉଥିଲେ ବୋଲି ସେ କହିଛନ୍ତି । ଏହାବ୍ୟତୀତ, ସେ ଯାହା କରୁଛନ୍ତି କରନ୍ତୁ, ସେଥିରେ ତାଙ୍କର କିଛି କହିବାର ନାହିଁ, ଖାଲି ନେିଥିବା ଟଙ୍କା ଏବଂ ଅଳଙ୍କାର ଫେରାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ଝିଅ ଶିବାନୀ ।
ତେବେ ଶିବାନୀଙ୍କ ବାପା ଏ ଘଟଣାକୁ ନେଇ କହିଛନ୍ତି, ସେ ବେଙ୍ଗାଲୁରୁରେ ଏକ ବ୍ୟବସାୟ କରନ୍ତି । ସେ ଶୁଣିଥିଲେ ଯେ ଭାବି ଜ୍ବାଇଁ ଝିଅ ସହ ବେଶୀ କଥା ନହୋଇ, ତାଙ୍କ ସ୍ତ୍ରୀ ଅନିତାଙ୍କ ସହ ଘଣ୍ଟା ଘଣ୍ଟା ଧରି ଗପୁଥିଲେ, ଏଥିରେ ତାଙ୍କୁ ସନ୍ଦେହ ହୋଇଥିଲା, କିନ୍ତୁ ବିବାହ ଶୀଘ୍ର ହେବାକୁ ଥିବାରୁ ସେ କିଛି ନ କହିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏପରି ହେବ ବୋଲି ଭାବିନଥିଲେ । ଅନିତା ଗତ ୬ ତାରିଖରେ ତାଙ୍କ ହେବାକୁ ଥିବା ଜ୍ବାଇଁ ସହ ଫେରାର ହୋଇଯାଇଛନ୍ତି ।
ଏଥିସହିତ ସେ ଏହା ବି ପ୍ରକାଶ କରିଥିଲେ ଯେ, ସେମାନେ ଫେରାର ହେବା ପରେ, ମୁଁ ଅନିତାଙ୍କୁ ଅନେକ ଥର ଫୋନ୍ କରିଥିଲି, କିନ୍ତୁ ସେ ତାଙ୍କ ଫୋନ୍ ବନ୍ଦ କରିଦେଇଥିଲେ । ମୁଁ ମଧ୍ୟ ସେହି ବ୍ୟକ୍ତିଙ୍କୁ ଫୋନ୍ କରିଥିଲି, କିନ୍ତୁ ସେ ତାଙ୍କ ସହିତ ଥିବା କଥାକୁ ମନା କରିଦେଇଥିଲେ । ଘଣ୍ଟା ଘଣ୍ଟା ପରେ, କଲ୍ ଲାଗିବା ପରେ ସେ ଶେଷରେ କହିଲେ ଯେ, ମୁଁ ମୋ ସ୍ତ୍ରୀଙ୍କୁ ୨୦ ବର୍ଷ ଧରି ହଇରାଣ କରିଆସୁଛି ଏବଂ ମୁଁ ତାଙ୍କୁ ଭୁଲିଯିବା ଉଚିତ । ଏହା ପରେ ସେମାନଙ୍କର ଫୋନ୍ ବନ୍ଦ ହୋଇଯାଇଥିଲା । ସେ ଏବେ ତାଙ୍କ ସ୍ତ୍ରୀଙ୍କ ପାଇଁ ଏକ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି ।
ଏହାପରେ ମାଡ୍ରାକ ପୋଲିସର ତଦନ୍ତ ଆରମ୍ଭ ପରେ, ଯେତେବେଳେ ପୋଲିସ ଉଭୟଙ୍କ ଫୋନର ଲୋକେସନ୍ ଟ୍ରାକ୍ କଲା, ତାହା ଉତ୍ତରାଖଣ୍ଡର ରୁଦ୍ରପୁରରୁ ଆସିଥିଲା । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଉଭୟଙ୍କୁ ଖୋଜି ପାଇନାହିଁ ।
Comments are closed.