Latest Odisha News

ଏହିଠାରେ ଅଛି ୧୧ ଫୁଟର ପ୍ରଭୁ ଭେଙ୍କଟଶ୍ୱରଙ୍କ ବିଗ୍ରହ

ହାଇଦ୍ରାବାଦ: ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ବିରଳା ମନ୍ଦିର । ବିରଳା ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟସ୍ଥିତ ହାଇଦ୍ରାବାଦଠାରେ ଅବସ୍ଥିତ । ଏହାର ଉଚ୍ଚତା ୨୮୦ ଫୁଟ ଏବଂ ଏହା ନଉବତ ପାହାଡ଼ ଉପରେ ଅବସ୍ଥିତ । ଏହା ମନ୍ଦିରଟି ତିଆରି କରିବାକୁ ୧୦ ବର୍ଷ ସମୟ ଲାଗିଥିଲା। ୧୯୭୬ ମସିହାରେ ରାମକୃଷ୍ଣ ମିସନର ସ୍ୱାମୀ ରଙ୍ଗନାଥାନନ୍ଦ ଏହାକୁ ଉନ୍ମୋଚନ କରିଥିଲେ । ବିରଳା ଫାଉଣ୍ଡେସନ ମାଧ୍ୟମରେ ବିରଳା ପରିବାର ଏହି ମନ୍ଦିର ତିଆରି କରେଇଥିଲେ ବୋଲି ଏହି ମନ୍ଦିରର ନାମ ବିରଳା ମନ୍ଦିର ଦିଆଯାଇଛି ।

ଏହି ମନ୍ଦିର ଦ୍ରାବିଡ଼, ରାଜସ୍ଥାନୀ ଓ ଉତ୍କଳ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଛି । ଏହି ମନ୍ଦିର ତିଆରୀରେ ୨୦୦୦ ଟନ ଧଳା ଶଙ୍ଖ ମର୍ମର ପଥର ବ୍ୟବହୃତ ହୋଇଛି । ମନ୍ଦିର ଅଧିଷ୍ଠାତା ପ୍ରଭୁ ଭେଙ୍କଟଶ୍ୱରଙ୍କର ୧୧ ଫୁଟ ଉଚ୍ଚର ବିଗ୍ରହ ଗ୍ରାନାଇଟ ପ୍ରସ୍ତରରେ ତିଆରି ହୋଇଛି ଓ ଉପରେ ଛତା ଆକାରର ଏକ ପଦ୍ମ ଫୁଲ ପ୍ରତିମୂର୍ତ୍ତି ଅଛି । ଏହାର ପିତ୍ତଳରେ ତିଆରି ପତାକା ସ୍ତମ୍ଭର ଉଚ୍ଚତା ପ୍ରାୟ ୪୨ ଫୁଟ ।

ମୂଖ୍ୟ ମନ୍ଦିର ବ୍ୟତୀତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ପତ୍ନୀ ପଦ୍ମାବତୀ ଓ ଅଣ୍ଡଳଙ୍କ ନାମରେ ଦୁଇଟି ଛୋଟ ମନ୍ଦିର ଅଛି । ଏହା ବ୍ୟତୀତ ଶିବ, ଶକ୍ତି, ଗଣେଶ, ହନୁମାନ, ବ୍ରହ୍ମା, ସରସ୍ୱତୀ ଓ ଲକ୍ଷ୍ମୀଙ୍କର ଭିନ୍ନ ଭିନ୍ନ ମନ୍ଦିର ଅଛି । ମନ୍ଦିର କାନ୍ଥରେ ଗୁରୁବାଣୀ ଓ ବିଭିନ୍ନ ଧରଣର ଶିକ୍ଷଣୀୟ ବାର୍ତ୍ତା ଖୋଦିତ ହୋଇଛି । ମହାତ୍ମା ଗାନ୍ଧୀ ଓ ଅନ୍ୟ ହିନ୍ଦୁ ନେତାଙ୍କ ଉପଦେଶ ଅନୁସାରେ ମନ୍ଦିରଟି ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ଖୋଲା ରହେ ।

Leave A Reply

Your email address will not be published.