ଭୁବନେଶ୍ବର: ସୁଖୀ ଦାମ୍ପତ୍ୟ ଜୀବନ ଲାଗି ଭଲ ପାଇବା ଓ ପରସ୍ପର ଉପରେ ବିଶ୍ବାସ ରହିବା ନିହାତି ଜରୁରୀ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା, ମୁହଁ ଫୁଲାଫୁଲି ତ ହୋଇଥାଏ । ହେଲେ ବେଳେବେଳେ ଏମିତି ସମୟ ଆସେ, ସମ୍ପର୍କରେ ତିକ୍ତତା ଆସିବାରେ ଲଗିଥାଏ ଓ କେତେବେଳେ କେମିତି ସମ୍ପର୍କ ତୁଟି ବି ଯାଏ । ଏମିତିକି ବିବାହ ବିଚ୍ଛେଦ ଯାଏଁ କଥା ପହଞ୍ଚିଯାଏ ।
ତେବେ ଆଜି ଆମେ କିଛି ଏମିତି କାରଣ ବିଷୟରେ ଜାଣିବା ଯାହା ଦ୍ବାରା ପ୍ରେମଭରା ଜୀବନରେ ବିଷାଦ ଖେଳାଇ ଦିଏ..
ଦୁହିଁଙ୍କ ମଧ୍ୟରେ ଯୋଗାଯୋଗର ଅଭାବ
ଏକ ସୁନ୍ଦର ବୈବାହିକ ଜୀବନ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ଯୋଗାଯୋଗ ରହିବା ଆବଶ୍ୟକ । ଆପଣଙ୍କ ପାର୍ଟନରଙ୍କ କଥା ଶୁଣିବା, ତାଙ୍କ ଭାବନାକୁ ବୁଝିବା ଓ ନିଜର ଭାବନା ରଖିବା ଭଲପାଇବା ସମ୍ପର୍କରେ ନିହାତି ଜରୁରୀ । ଫଳରେ କୌଣସି ବି ସମସ୍ୟା ହେଲେ ଦୁହେଁ ମିଶି ସମାଧାନ କରିପାରିବେ । ମନର ଭାବନା ପ୍ରକାଶ ଦ୍ବାରା କୌଣସି ପ୍ରକାର ଭୁଲ୍ ବୁଝାମଣା ରହିବ ନାହିଁ ।
ପରସ୍ପରକୁ ସମ୍ମାନ ନ ଦେବା
ନିଜ ପାର୍ଟନରକୁ ସବୁବେଳେ ସମାଲୋଚନା କରିବା, ଅପମାନ କରିବା ଅବା ବାହାର ସ୍ଥାନରେ ପାର୍ଟନରକୁ ହେୟ ମଣିବା ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ । ପରସ୍ପର ପ୍ରତି ସମ୍ମାନ ରହିବା ମଧ୍ୟ ଅତି ଆବଶ୍ୟକ । କେହି ବି ପରଫେକ୍ଟ ନୁହନ୍ତି । ତେଣୁ ବେଳେବେଳେ ପରସ୍ପରକୁ ପ୍ରଶଂସା କରିବା ଦ୍ବାରା ସମ୍ପର୍କ ସୁଦୃଢ ହୋଇଥାଏ ।
କ୍ବାଲିଟି ଟାଇମ୍ ନ ଦେବା
ଆଜିର ବ୍ୟସ୍ତଭରା ଜୀବନରେ ପରସ୍ପରକୁ ଯଥେଷ୍ଟ ସମୟ ଦେଇପାରନ୍ତି ନାହିଁ ବା କପଲ୍ ଦୁହେଁ ମିଶି କ୍ବାଲିଟି ଟାଇମ୍ ଅତିବାହିତ କରିପାରନ୍ତି ନାହିଁ । ନିଜ ନିଜର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ବ୍ୟସ୍ତ ରହିଯାଆନ୍ତି । ଯାହାର ପରିମାଣ ସୂରୁପ ସମ୍ପର୍କରୁ ମଧୁରତା କେତେବେଳେ ସରିବାରେ ଲାଗେ, ସେମାନଙ୍କୁ ଜଣାପଡେନି ।
ଝଗଡା ନ ତୁଟିବା
ସ୍ବାମୀ-ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ବାରମ୍ବାର ଝଗଡା ହୋଇଥାଏ । ହେଲେ ସ୍ବାମୀ ହୁଅନ୍ତୁ କି ସ୍ତ୍ରୀ ଝଗଡା ତୁଟାଇବା ବଦଳରେ ଏହାକୁ ଚାପିବାକୁ ଚେଷ୍ଟା କରିଥାନ୍ତି । ଫଳରେ ଦୁହିଁଙ୍କ ଭିତରେ ଭଲ ବୁଝାମଣା ରହିପାରେନି । ପରବର୍ତ୍ତୀ ସମୟରେ ଏହା ଉଭୟଙ୍କ ମଧ୍ୟରେ ଦୂରତାର କାରଣ ହୋଇଯାଏ ।
ଭାବନାତ୍ମକ ରୂପେ ଯୋଡି ନହେବା
କୌଣସି ବି ସମ୍ପର୍କ ନିଭାଇବା ପାଇଁ ଭାବନାତ୍ମକ ରୂପେ ଯୋଡି ହେବା ଅତି ଜରୁରୀ । ହେଲେ ଅନେକ ସମୟରେ ଦେଖାଯାଏ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଆଗଭଳି ଇମୋସନାଲ ଆଟାଚମେଣ୍ଟ ରହେ ନାହିଁ । ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ଏକେଲାପଣ ଭାବନା ସୃଷ୍ଟି ହୋଇଥାଏ । ଯାହାକି ଦୁହିଁଙ୍କ ମଧ୍ୟରେ ଦୂରତା ବଢାଇଥାଏ ।
ଜୀବନର ଭିନ୍ନ ଭିନ୍ନ ଲକ୍ଷ୍ୟ
ବେଳେବେଳେ ସ୍ବାମୀ-ସ୍ତ୍ରୀ ପରସ୍ପରର ଲକ୍ଷ୍ୟ ପୂରଣ କରିବାରେ ସପୋର୍ଟ କରନ୍ତି ନାହିଁ । ଫଳରେ ସମ୍ପର୍କରେ ଦୂରତା ଆସିଥାଏ । ଦୁହେଁ ପରସ୍ପରଠାରୁ ଦୂରେଇବାକୁ ନିଷ୍ପତ୍ତି ନେଇଯାଆନ୍ତି ।