ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି, ସ୍ମୃତି ମାନ୍ଧନାଙ୍କ ପ୍ରଦର୍ଶନକୁ କିଏ ବା ଭୁଲି ପାରିବ । ସବୁଠାରୁ ମଜା କଥା ଏହି ଦୁଇ ଖେଳାଳି ୧୮ ନମ୍ବର ଜର୍ସି ପିନ୍ଧନ୍ତି । ପୁରୁଷ କ୍ରିକେଟରେ କୋହଲି ଓ ମହିଳାରେ ସ୍ମୃତିଙ୍କ ପ୍ରଦର୍ଶନକୁ ତୁଳନା କଲେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଛି । ସ୍ମୃତିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ଆୟର୍ଲାଣ୍ଡକୁ ୧୧୬ ରନରେ ପରାସ୍ତ କରିଛି । ମନ୍ଧାନା ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ୯୬ ଦିନିକିଆ ମ୍ୟାଚ ଖେଳିଛନ୍ତି । ୯୬ ମ୍ୟାଚ ବେଳକୁ ଉଭୟ କୋହଲି ଓ ସ୍ମୃତିଙ୍କ ପ୍ରଦର୍ଶନ ପ୍ରାୟତଃ ସମାନ ରହିଛି ।
କୋହଲି ୯୬ ଦିିନିକିଆ ବେଳକୁ ୪୯.୨୨ ଆଭରେଜରେ ୪୦୮୫ ରନ ସଂଗ୍ରହ କରିଥିଲେ । ସେ ୩୪ ଥର ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ । ବିରାଟ ସେହି ସମୟ ମଧ୍ୟରେ ୧୩ ଶତକ ଓ ୨୨ ଅର୍ଦ୍ଧଶତକ ମାରିଥିଲେ । ସ୍ମୃତି ୯୬ ଦିିନିକିଆରେ ୪୦୭୪ ରନ କରିଛନ୍ତି । ତାଙ୍କ ଆଭରେଜ ୪୫.୨୬ ରହିଛି । ମାନ୍ଧନା ୩୯ ଥର ୫୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ଏଥିରେ ୯ ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ । କୋହଲି ୩୮୪ ଚୌକା ଓ ୨୩ ଛକା ମାରିଥିବା ବେଳେ ସ୍ମୃତି ୪୫ ଛକା ଓ ୪୯୩ ଚୌକା ମାରିଛନ୍ତି ।
ସୂଚନାଯୋଗ୍ୟ, ପୁରୁଷ କ୍ରିକେଟରେ ବିରାଟ ଦିନିକିଆର ମହାନ କ୍ରିକେଟରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ସେ ୨୯୫ ଦିନିକିଆରେ ୨୮୩ ଇନିଂସ ଖେଳି ୧୩୯୦୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୫୦ ଶତକ ଓ ୭୨ ଅର୍ଦ୍ଧଶତକ ସାମିଲ । ଶତକ ହାସଲରେ କୋହଲି ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ସଚିନ ୪୯ ଶତକ ମାରିଥିଲେ ।