ରାଉରକେଲା: ସହରରେ ସାଧାରଣ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ‘ଆମ ବସ’ ସେବାରେ ନିୟୋଜିତ ଥିବା ଡ୍ରାଇଭର ଓ କର୍ମଚାରୀମାନେ ଅଚାନକ ଆନ୍ଦୋଳନକୁ ଓହ୍ଲାଇବା ଯୋଗୁଁ ସହରରେ ବସ୍ ଚଲାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦରମା ବୃଦ୍ଧି ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସମସ୍ୟାର ସମାଧାନ ଦାବି କରି କର୍ମଚାରୀମାନେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ରାଉରକେଲା ସହରର ବିଭିନ୍ନ ରୁଟ୍ରେ ଦୈନିକ ପ୍ରାୟ ୧୦୦ଟି ‘ଆମ ବସ’ ଚଳାଚଳ କରିଥାଏ। ସହର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିଜର ଦୈନନ୍ଦିନ ଯାତାୟାତ ପାଇଁ ଏହି ବସ୍ ସେବା ଉପରେ ନିର୍ଭର କରିଥାନ୍ତି। ମାତ୍ର କର୍ମଚାରୀଙ୍କ ଧାରଣା ଯୋଗୁଁ ଆଜି ଗୋଟିଏ ହେଲେ ବି ବସ୍ ଡିପୋରୁ ବାହାରି ନାହିଁ। ଫଳରେ ଅଫିସ୍ ଯାତ୍ରୀ, ଦୈନିକ ମଜୁରିଆ, ଛାତ୍ରଛାତ୍ରୀ ଏବଂ ଜରୁରୀକାଳୀନ କାର୍ଯ୍ୟରେ ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଆନ୍ଦୋଳନରତ କର୍ମଚାରୀମାନଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ହେବ ସେମାନଙ୍କର ଦରମା ବୃଦ୍ଧି କରାଯାଇ ନାହିଁ। ଏହା ସହିତ ସେମାନଙ୍କ ଦରମାରୁ କଟାଯାଉଥିବା ଇପିଏଫ୍ (EPF) ଟଙ୍କା ଠିକ୍ ଭାବେ ଜମା କରାଯାଉ ନଥିବା ଭଳି ଗୁରୁତର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି। ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ସେମାନେ ବାଧ୍ୟ ହୋଇ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ କରିଛନ୍ତି।
ଆମର ନ୍ୟାଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଦରମା ସମସ୍ୟା ଓ EPF ଜମାରେ ସ୍ୱଚ୍ଛତା ନଆସିଲେ ଆମେ ବସ୍ ଚଲାଇବୁ ନାହିଁ ବୋଲି ଆନ୍ଦୋଳନରତ ବସ୍ କର୍ମଚାରୀ କହିଛନ୍ତି ।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ପେଟ୍ରୋଲ-ଡିଜେଲ ସମ୍ପର୍କିତ କେତେକ ସମସ୍ୟା ଲାଗି ରହିଥିବା ବେଳେ ଏବେ ‘ଆମ ବସ’ ବନ୍ଦ ହେବା ସାଧାରଣ ଜନତାଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବସ୍ ଚଳାଚଳ ସ୍ଵାଭାବିକ କରିବା କିମ୍ବା କର୍ମଚାରୀଙ୍କ ସହ ଆଲୋଚନା ନେଇ ପ୍ରଶାସନ କିମ୍ବା ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୌଣସି ଆଧିକାରୀକ ବୟାନ ଜାରି କରାଯାଇ ନାହିଁ।