Latest Odisha News

ଗୁଳି ଖାଇଥିବା ଆମେରିକୀୟ ନେତା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଗୁଳିମାଡ । ପୁଣି ରାଷ୍ଟ୍ରପତି ରେସରେ ସାମିଲ ହୋଇଥିବା ଟ୍ରମ୍ପଙ୍କୁ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲିରେ ଗୁଳିମାଡ କରାଯାଇଥିଲା । ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି । ସିକ୍ରେଟ ସର୍ଭିସ ଏଜେଂଟମାନେ ଆକ୍ରମଣକାରୀକୁ ହତ୍ୟା କରିଛନ୍ତି । ନିର୍ବାଚନ ପ୍ରଚାର ବେଳେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ଆମେରିକାରେ ଚାଂଚଲ୍ୟ ସୃଷ୍ଟି କରିଛି ।

ଅତୀତରେ ଆମେରିକାର ପଦାସୀନ ରାଷ୍ଟ୍ରପତି ଓ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଟାର୍ଗେଟ କରାଯାଇଛି । କିଏ ବର୍ତ୍ତି ଯାଇଛନ୍ତି ତ ଆଉ କିଏ ଆଖି ବୁଜିଛନ୍ତି । ଆମେରିକା ଇତିହାସରେ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ , ଜେମସ ଗାରଫିଲ୍ଡ ଏବଂ ୱିଲିୟମ ମ୍ୟାକକିନଲେଙ୍କୁ ହତ୍ୟା କରାଯାଇଥିଲା । ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଅନ୍ୟତମ ଜନ ଏଫ. କେନେଡିଙ୍କ ହତ୍ୟାରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ ।

୧୯୮୧ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରୋନାଲଡ ରିଗାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଜନ୍ ହିଙ୍କଲେ ଜୁନିୟର ନାମକ ବ୍ୟକ୍ତି ରିଗାନଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁରୁତର ଆହତ ହୋଇଥିଲେ ରିଗାନ । ଜରୁରୀକାଳୀନ ସର୍ଜରୀ ପରେ ସେ ବଂଚିଯାଇଥିଲେ । ଅଭିନେତ୍ରୀ ଜୋଡି ଫୋଷ୍ଟରଙ୍କୁ ପ୍ରଭାବିତ କରିବା ପାଇଁ ରାଷ୍ଟ୍ରପତି ରିଗାନଙ୍କୁ ହତ୍ୟା ଉଦ୍ୟମ କରିଥିଲା ବୋଲି ଅଭିଯୁକ୍ତ କହିଥିଲା ।

କଡା ସୁରକ୍ଷା ବଳୟ ସତ୍ତ୍ୱେ ରାଷ୍ଟ୍ରପତି ଗେରାଲଡ ଫୋର୍ଡଙ୍କ ଉପରେ ୧୯୭୫ ମସିହାରେ ତିନି ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଆକ୍ରମଣ କରାଯାଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ଫୋର୍ଡ । କାଲିଫର୍ଣ୍ଣିଆର ସାକ୍ରାମେଂଟୋ ଓ ସାନଫ୍ରାନସିସକୋ ସହରରେ ଫୋର୍ଡଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଥିଲା । ଦୁଇ ଆକ୍ରମଣକାରୀ ଥିଲେ ମହିଳା ।

୧୯୬୩ ନଭେମ୍ବର ୨୨ ତାରିଖରେ ଲି ହାର୍ଭେ ଓସୱାଲ୍ଡ ନାମକ ବ୍ୟକ୍ତି ଟେକ୍ସାସର ଡଲାସ ସହରରେ ରାଷ୍ଟ୍ରପତି ଜନ୍ ଏଫ କେନେଡିଙ୍କୁ ହତ୍ୟା କରିଥିଲା । ଦୁଇ ଦିନ ପରେ କେନେଡିଙ୍କ ହତ୍ୟାକାରୀ ଓସୱାଲ୍ଡଙ୍କୁ ଜଣେ ରେଷ୍ଟୁରାଂଟ ମାଲିକ ଜ୍ୟାକ୍ ରୁବି ହତ୍ୟା କରିଥିଲା । ତେଣୁ କେନେଡିଙ୍କ ହତ୍ୟା ପଛରେ ବଡ ଧରଣର ଷଡଯନ୍ତ୍ର ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

୧୯୧୨ ମସିହାରେ ପୁଣି ଥରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପୂର୍ବତନ ରାଷ୍ଟ୍ରପତି ଥିଓଡର ରୁଜଭେଲ୍ଟଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ମାନସିକ ବିକୃତ ବୋଲି ଜଣାପଡିଥିଲା ।

ୱିଲିୟମ ମ୍ୟାକକିନଲେ ରାଷ୍ଟ୍ରପତି ଥିବା ବେଳେ ୧୯୦୧ ମସିହା ସେପଟେମ୍ବର ୬ ତାରିଖରେ ତାଙ୍କୁ ନ୍ୟୁୟର୍କରେ ଗୁଳି କରାଯାଇଥିଲା । କିଛି ଦିନ ପରେ ଆଖି ବୁଜିଥିଲେ ମ୍ୟାକନିକଲେ ।

ଅନ୍ୟ ଜଣେ ପଦାସୀନ ରାଷ୍ଟ୍ରପତି ଜେମସ ଗାରଫିଲ୍ଡଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ୱାସିଂଟନରେ ୧୮୮୧ ମସିହା ଜୁଲାଇ ୨ ତାରିଖରେ ତାଙ୍କୁ ଲେଖକ ଓ ଆଇନଜ୍ଞ ଚାର୍ଲସ ଗିଟେୟୁ ଗୁଳି କରି ହତ୍ୟା କରିଥିଲେ । ଗୁଳିମାଡର ଦୁଇ ମାସ ପରେ ପ୍ରାଣ ହରାଇଥିଲେ ଗାରଫିଲ୍ଡ ।

ଆମେରିକା ଗୃହଯୁଦ୍ଧର ନାୟକ ତଥା ଦାସତ୍ୱ ପ୍ରଥା ଲୋପ କରିଥିବା ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କୁ ଏକ ଥିଏଟର ହଲରେ ହତ୍ୟା କରାଯାଇଥିଲା । ୧୮୬୫ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ ୱିଲକସ୍ ବୁଥ୍ ନାମକ ଜଣେ ଅଭିନେତା ଆବ୍ରାହମ ଲିଙ୍କନଙ୍କୁ ଗୁଳି କରି ହତ୍ୟା କରିଥିଲେ । ଦୁଇ ସପ୍ତାହର ଧରପଗଡ ପରେ ବୁଥଙ୍କୁ ପୋଲିସ ହତ୍ୟା କରିଥିଲା ।

Comments are closed.