Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହିବା ପରେ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଳୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଆରମ୍ଭ ରାଜନୈତିକ ବୟନାବାଜି କୋର୍ଟ ପର୍ଯ୍ୟନ୍ତ ଗଲାଣି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷଧର ସାପ କହିବା ପରେ ତାତି ଉଠିଛନ୍ତି ଦଳର ବରିଷ୍ଠ ନେତା । ବିଜେପି ନେତା ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏକ ଅପମାନ ବୋଲି କହିଛନ୍ତି । ଏହାକୁ ନେଇ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁହଁ ଖୋଲିଛନ୍ତି ।

କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିରେ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଥିଲେ, ପୁରା ଦୁନିଆ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନ ଦେଉଛି ସେଠି କଂଗ୍ରେସ ଜାତୀୟ ଅଧ୍ୟକ୍ଷ ତାଙ୍କୁ ବିଷଧର ସାପ କହୁଛନ୍ତି । ସୋନିଆ ଗାନ୍ଧି ତାଙ୍କୁ ମୃତ୍ୟୁର ସୌଦାଗର କହୁଛନ୍ତି । କଂଗ୍ରେସବାଲାଙ୍କର ବୁଦ୍ଧି ଲୋପ ପାଇଗଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ମୋଦିଙ୍କୁ ଯେତେ ଗାଳି ଦେବ ପଦ୍ମ ସେତେ ଭଲ ଭାବେ ଫୁଟିବ ବୋଲି ଶାହ କହିଛନ୍ତି ।

ଶାହ କହିଥିଲେ, କଂଗ୍ରେସ ଆମ ବିରୋଧରେ ଏଫଆଇଆର ରୁଜୁ କରୁଛି । ଅମେ ପିଏଫଆଇ ଲଗାଇ କର୍ଣ୍ଣାଟକକୁ ସୁରକ୍ଷିତ କରିଛୁ । ଯଦି କାହାର ଆପତ୍ତି ଅଛି ତେବେ ଆସି କୁହନ୍ତୁ ଯେ ପିଏଫଆଇ ଚାଲୁ ରଖିବା ଦରକାର । ଭୋଟ ବ୍ୟାଙ୍କ ଲାଳସାରେ କଂଗ୍ରେସ ପିଏଫଆଇକୁ ମୁଣ୍ଡରେ ଚଢାଇଛି।

ଗୃହମନ୍ତ୍ରୀ ଆହୁରି କହିିଥିଲେ, କଂଗ୍ରେସ ୭୦ ବର୍ଷ ଧରି ୩୭୦ ଧାରାକୁ କୁନି ଛୁଆ ପରି ଗୋଡରେ ଧରି ଆଦର କରୁଥିଲା । କଂଗ୍ରେସ, ଜେଡିଏସ, ସପା, ବସପା, ମମତା ସମସ୍ତେ କହୁଥିଲେ ଏହି ଧାରା ଉଠା ନ ଯାଉ । କାଶ୍ମୀରରେ ରକ୍ତ ନଦୀ ବହିବ । ହେଲେ ଧାରା ୩୭୦ ହଟିବା ପରେ ରକ୍ତ ନଦୀ ତ ଦୂରର କଥା ପଥର ଫିଙ୍ଗିବାକୁ ବି କାହାର ସାହାସ ନାହିଁ । କର୍ଣ୍ଣାଟକରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ ବୋଲି ଅମିତ ଶାହ ଆସ୍ଥା ପ୍ରକଟ କରିଥିଲେ ।

Leave A Reply

Your email address will not be published.