Latest Odisha News

ଅମିୟ ବେଜ ପାଇବେ ୧୫ତମ ଟାଇମପାସ୍‍ ବୁକର ପୁରସ୍କାର

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ୪୫ ବର୍ଷ ବୟସସୀମାର କଥାକାରଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ପାଇଁ ଚଳିତବର୍ଷ ଗାଳ୍ପିକ ଅମିୟ ବେଜ୍‍ ମନୋନୀତ ହୋଇଛନ୍ତି । ଶ୍ରୀ ବେଜ ଗଳ୍ପ ପାଣ୍ଡୁଲିପି ‘ମୋହ’ ପାଇଁ ଏହି ପୁରସ୍କାର ପାଇବେ । ଏହି ପୁରସ୍କାର ଆଗାମୀ ଫେବୃଆରୀ ୧୨ ତାରିଖରେ ପ୍ରଦାନ କରାଯିବ ଏବଂ ପୁରସ୍କୃତ ପାଣ୍ଡୁଲିପିଟି ପୁସ୍ତକାକାରରେ ଲୋକାର୍ପିତ ହେବା ସହିତ ଲେଖକଙ୍କୁ ଫଳକ, ମାନପତ୍ର ଓ ଦଶହଜାର ଟଙ୍କାର ଉପହାର-ପୁସ୍ତକ ସହ ସମ୍ମାନିତ କରାଯିବ ।

ଏଥିସହିତ ଗଳ୍ପ ବିଭାଗରେ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ଦେବପ୍ରସାଦ ଦାଶଙ୍କ ଗଳ୍ପ ସଙ୍କଳନ ‘ଶିଳାଲେଖ’ ଏବଂ କବିତା ବିଭାଗରେ କମଳ କୁମାର ମହାନ୍ତିଙ୍କ ‘ହୃଦୟ ରାଗ’ ପୁସ୍ତକକୁ ‘ଟାଇମପାସ୍‍ ବେଷ୍ଟସେଲର’ ପୁରସ୍କାର ଭାବେ ଯୋଗ୍ୟ ବିବେଚିତ ହୋଇଛି । ଏହା ସହ ରାଜକିଶୋର ମହାପାତ୍ରଙ୍କୁ ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ଏବଂ ପୂର୍ବରୁ ପ୍ରତିଯୋଗିତା ଭିତ୍ତିରେ ନୂଆ ପିଢ଼ିର ୩୦ଜଣ ଲେଖକଙ୍କୁ ‘ଉଦୟରାଗ’ ସମ୍ମାନ ଓ ୧୦ଜଣଙ୍କୁ ‘ପ୍ରଥମା’ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।

ଏକ ଦିବସବ୍ୟାପି ଆୟୋଜିତ ହେବାକୁ ଏହି କାର୍ଯ୍ୟକ୍ରମକୁ ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ ଉଦ୍‍ଘାଟନ କରିବାକୁ ଥିବାବେଳେ ସାରା ଦିନ ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତଯୁଦ୍ଧ, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚୁଇଁ ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦିର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.