Latest Odisha News

ମାର୍କେଟରେ ଏକ ନମ୍ବର ଫୁଡ ବ୍ରାଣ୍ଡ ଭାବେ ସ୍ଥାନ ପାଇଲା ‘ଅମୁଲ’

ନୂଆଦିଲ୍ଲୀ: ଜଣାଶୁଣା ଖାଦ୍ୟ ପଦାର୍ଥ ଉତ୍ପାଦନକାରୀ କମ୍ପାନୀ “ଅମୁଲ” ସମଗ୍ର ଭାରତରେ ତାର ପ୍ରାଧାନ୍ୟ ବିସ୍ତାର କରିଛି । ଏପରିକି ସାରା ବିଶ୍ଵରେ ମଧ୍ୟ ଅମୁଲ ନାଁ ରହିଛି । ରିପୋର୍ଟ ଅନୁଯାୟୀ, ଅମୁଲ ବର୍ତ୍ତମାନ ଦୁନିଆର ସବୁଠାରୁ ଲୋକପ୍ରିୟ ଖାଦ୍ୟ ବ୍ରାଣ୍ଡରେ ପରିଣତ ହୋଇଛି। ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଅମୁଲକୁ AAA + ରେଟିଙ୍ଗ ଦିଆଯାଇଛି । କମ୍ପାନୀର ବ୍ରାଣ୍ଡ ମୂଲ୍ୟ ମଧ୍ୟ ୩.୩ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ତେବେ ଗତ ବର୍ଷ ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବା କମ୍ପାନୀ ହର୍ସିଜକୁ ପଛରେ ପକାଇଛି ଅମୁଲ।

ଲୋକପ୍ରିୟ ବ୍ରାଣ୍ଡ ଅମୁଲର ଇତିହାସ ପ୍ରାୟ ୭୦ ବର୍ଷ ପୁରୁଣା । ବ୍ରାଣ୍ଡ ଫାଇନାନ୍ସର ଗ୍ଲୋବାଲ ଫୁଡ୍ ଆଣ୍ଡ ଡ୍ରିଙ୍କସ ରିପୋର୍ଟ ୨୦୨୪ ଅନୁସାରେ, ଅମୁଲ ବର୍ତ୍ତମାନ ସାରା ଦୁନିଆର ସବୁଠାରୁ ମଜବୁତ ବ୍ରାଣ୍ଡ ପାଲଟିଛି । ବ୍ରାଣ୍ଡ ଷ୍ଟ୍ରେନ୍ଥ ଇଣ୍ଡେକ୍ସରେ ଏହାର ସ୍କୋର ୧୦୦ରୁ ୯୧ ରହିଛି । ଏହାସହିତ କମ୍ପାନୀକୁ AAA+ ରେଟିଙ୍ଗ ମିଳିଛି । ୨୦୨୩ ବର୍ଷ ଅନୁଯାୟୀ ଅମୁଲର ବ୍ରାଣ୍ଡ ମୂଲ୍ୟ ମଧ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଚଳିତବର୍ଷ ଏହାର ବ୍ରାଣ୍ଡ ମୂଲ୍ୟ ୩.୩ ଆରବ ଡଲାରରେ ପହଞ୍ଚିଛି । ଆର୍ଥିକ ବର୍ଷ ୨୦୨୨-୨୩ରେ ଅମୁଲର ସାମଗ୍ରୀ ବିକ୍ରି ୧୮.୫ ପ୍ରତିଶତ ବୃଦ୍ଧି ହୋଇ ୭୨,୦୦୦ କୋଟି ଟଙ୍କାରେ ପହଞ୍ଚିଛି ।

ବ୍ରାଣ୍ଡ ଫାଇନାନ୍ସର ରିପୋର୍ଟରେ ଅମୁଲକୁ ହର୍ସିଜ ସହ AAA+ ରେଟିଙ୍ଗ ଦିଆଯାଇଛି । କିନ୍ତୁ ହର୍ସିଜର ବ୍ରାଣ୍ଡ ଭାଲ୍ୟୁ ୦.୫ ପ୍ରତିଶତ ହ୍ରାସ ପାଇ ୩.୯ ଆରବ ଡଲାରକୁ ଖସି ଆସିଛି । ଚଳିତବର୍ଷ ହର୍ସିଜକୁ ଦ୍ୱିତୀୟ ସ୍ଥାନରେ ରହିବାକୁ ପଡ଼ିଛି । ଅମୁଲ ବର୍ତ୍ତମାନ ଭାରତର ଡାଏରୀ ମାର୍କେଟରେ ନମ୍ବର ୱାନ ପ୍ରଡକ୍ଟ ପାଲଟିଛି । ମିଲ୍କ ମାର୍କେଟରେ ଏହାର ଅଂଶଧନ ୭୫ ପ୍ରତିଶତ, ବଟର ମାର୍କେଟରେ ୮୫ ପ୍ରତିଶତ ଏବଂ ଛେନା ମାର୍କେଟରେ ୬୬ ପ୍ରତିଶତ ରହିଛି ।

ତେବେ ଏହି ତାଲିକାରେ ନେସଲେକୁ ଦୁନିଆର ସବୁଠାରୁ ମୂଲ୍ୟବାନ୍ ଫୁଡ୍ ବ୍ରାଣ୍ଡ ଭାବରେ ସ୍ଥାନ ମିଳିଛି । ଏହାର ମାର୍କେଟ ମୂଲ୍ୟ ଗତବର୍ଷ ଅପେକ୍ଷା ୭ ପ୍ରତିଶତ ହ୍ରାସ ପାଇ ୨୦.୮ ଆରବ ଡଲାର ଥିବା ଆକଳନ କରାଯାଇଛି । ସେହିପରି ଲେଜ୍ କୁ ୧୨ ଆରବ ଡଲାର ମୂଲ୍ୟାଙ୍କନ ସହିତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ନନ୍ ଆଲକହଲିକ୍ ବେଭରେଜ୍ ସେକ୍ଟରରେ କୋକା କୋଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ପେପ୍ସି ଦ୍ୱିତୀୟ ସ୍ଥାନରେ ରହିଛି ।

Comments are closed.