ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ
ରାଜ୍ୟରେ ପିଆଜ ଦର ୧୫୦ ଛୁଇଁଲାଣି କେବେଠାରୁ । ରାଜ୍ୟର କେଉଁ ଇଲାକାରେ କେତେ ଦାମରେ ପିଆଜ ବିକ୍ରି ହେଉଛି, କେହି ତାର ହିସାବ ରଖୁ ନାହାନ୍ତି । କୋଉ ଦିନ ୧୨୦ ଟଙ୍କାରେ କିଲେ ପିଆଜ କଥା ଆସୁଛି ତ କୋଉ ଦିନ ୧୬୦ରେ କିଲେ ପିଆଜ କଥା ଆସୁଛି । ପୁଣି କେବେ ତା’ଠାରୁ ଢେର ଅଧିକ ଦରରେ । କିନ୍ତୁ ଏ ମହା ସମସ୍ୟାର ସମାଧାନ କେବେ ହେବ, କେଉଁ ଦିନ ଲୋକ ୧୦/୧୫ ଟଙ୍କାରେ ପିଆଜ ପାଇବେ, କେହି ତାର ସନ୍ତୋଷଜନକ ଉତ୍ତର ରଖୁ ନାହାନ୍ତି ।
ଗତକାଲି ପ୍ରକାଶିତ ମିଡ଼ିଆ ରିପୋର୍ଟ ଅନୁସାରେ, ଯେତେବେଳେ ପିଆଜ ଦରବୃଦ୍ଧି କଥା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ପଚରା ଗଲା, ସେ କହିଲେ- ଏ କଥା ଯାଇ କେନ୍ଦ୍ର ଖାଦ୍ୟମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ପଚାରୁନ । ଇଜିପ୍ଟରୁ ଆସୁଥିବା ପିଆଜ କୁଆଡ଼େ ଗଲା ତାର ହିସାବ ସେ ଦେଇ ପାରିବେ? ମନ୍ତ୍ରୀ ତାଙ୍କ ଉତ୍ତରରେ ଠିକ । କିନ୍ତୁ ନିଜର ଉତ୍ତରଦାୟିତ୍ୱକୁ ତ ସେ ଆଉ ଏଡ଼େଇ ଯାଇ ପାରିବେ ନାହିଁ । ରାଜ୍ୟରେ ଯେମିତି ପିଆଜ ସୁଲଭ ମୂଲ୍ୟରେ ମିଳିବ, ସେ ଦାୟିତ୍ୱ ତ ତାଙ୍କର ।
ଓଡ଼ିଆ ଖାଦ୍ୟରେ ପିଆଜ ଗୁରୁତ୍ୱ ରଖେ । ଗରମ ଭାତ, ପଖାଳ, ତରକାରୀ ସବୁଥିରେ ପିଆଜର ଆବଶ୍ୟକତା ରହିଛି । ଓଡ଼ିଆ ପରିବା ସଂସାରରେ ଆଳୁ ଓ ପିଆଜ ସବୁଦିନେ, ସବୁବେଳେ ଦରକାର । ତରକାରୀରେ, ଭଜାରେ । ସାଧାରେ, ଆଇଁଷରେ ।
ରାଜ୍ୟ ସରକାର ୨୦୧୫ ମସିହାରେ ଓଡ଼ିଶାରେ ‘ପିଆଜ ମିଶନ’ ଆରମ୍ଭ କରିଥିଲେ । ଏଥିପାଇଁ ବ୍ୟାପକ ପ୍ରଚାର ପରାଯାଇଥିଲା । ସେହି ସମୟରେ ଆରମ୍ଭ ହୋଇଥିଲା ‘ଆଳୁ ମିଶନ’ ମଧ୍ୟ । ଆଳୁ ଦର ତ ଆଉ କୋଡ଼ିଏ ଟଙ୍କା ତଳକୁ କମୁ ହିଁ ନାହିଁ । ଆଗରୁ ଆଳୁ କିଲୋ ପିଛା ଦର କୋଡ଼ିଏ ଟପୁଥିଲେ, ତାହା ପ୍ରଥମ ପୃଷ୍ଠାର ଖବର ହେଉଥିଲା । ଏବେ ଆଉ ତାହା ଯେମିତି ଏକ ଅଣ ପ୍ରସଙ୍ଗ । ତେବେ ପିଆଜ ମିଶନ ସମୟରେ ରାଜ୍ୟ ସରକାର ଅନେକ ଘୋଷଣା କରିଥିଲେ । ପିଆଜ ପାଇଁ ମଂଜି ଦେବା, ଋଣ ବ୍ୟବସ୍ଥା କରିବା, ଶୀତଳ ଭଣ୍ଡାର ବ୍ୟବସ୍ଥା କରିବା ଆଦି ପ୍ରସଙ୍ଗରେ ଅନେକ କଥା କୁହାଯାଇଥିଲା । ମାତ୍ର ତାହା ସତରେ ହେଲା କି ?
ସେହି ସମୟରେ ୨୦୧୫ ମସିହାରେ ସରକାର ଯେଉଁ ହିସାବ ଦେଇଥିଲେ ତା’ ଅନୁସାରେ, ଆମ ରାଜ୍ୟରେ ୪ ଲକ୍ଷ ଟନରୁ ଅଧିକ ପିଆଜ ଉତ୍ପାଦନ ହୁଏ । ଆଉ ଓଡ଼ିଶା ଲୋକେ ବାର୍ଷିକ ୩.୫ ଲକ୍ଷ ଟନ ପାଖାପାଖି ପିଆଜ ବ୍ୟବହାର କରନ୍ତି । ଏହାର ଅର୍ଥ ଓଡ଼ିଶା ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରେ ନାହିଁ । ନିଜେ ଉତ୍ପାଦନ କରୁଥିବା ପିଆଜ ବଳକା ହୋଇ ରହେ । ତେଣୁ ଏହାକୁ ଶୀତଳଭଣ୍ଡାରରେ ରଖିଲେ, ବର୍ଷଯାକ ପିଆଜ ଅଭାବ ପଡ଼ିବ ନାହିଁ କି ରାଜ୍ୟର ଲୋକେ ଅଧିନ ଦରରେ ପିଆଜ କିଣିବେ ନାହିଁ ।
ରାଜ୍ୟରେ ସେହି ସମୟରେ ୩୦୦ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହୋଇଛି ୧୮୭ ବୋଲି ସରକାରୀ ରିପୋର୍ଟ କହେ । ସେଥିମଧ୍ୟରୁ ୪୦ରୁ ଅଧିକ ବ୍ୟବହାର ଉପଯୋଗୀ ହୋଇ ରହିଛି । ବା ତା’ଠାରୁ ଅଧିକ । ବାକି ଗଲା କୁଆଡ଼େ ଓ ହେଲା କଣ? କେହି ସେ ସଂପର୍କରେ ଖୋଳତାଡ଼ କରିଛି କି? କଣ ପାଇଁ ପିଆଜ ଶୀତଳଭଣ୍ଡାରରେ ରହୁନାହିଁ ? କଣ ପାଇଁ ଶୀତଳଭଣ୍ଡାର ଆଜି ପର୍ଯ୍ୟନ୍ତ ଚାରି ବର୍ଷ ହେଲା ଫାଇଲ ଓ ସରକାରୀ କଳର ଶୀତଳଭଣ୍ଡାରରେ ପଡ଼ି ରହିଛି?
ଆମେ ଯେତେବେଳେ ଯେତିକି ପିଆଜ ଖାଉଛୁ, ସେତିକି ଉତ୍ପାଦନ କରୁଛୁ ବୋଲି ସରକାର କହୁଛନ୍ତି, ତେବେ ପିଆଜ ଦର ବଢିଲା ବେଳକୁ ବାହାର ରାଜ୍ୟର ସମସ୍ୟା କଥା କହି କଣ ପାଇଁ ଆମକୁ ଭଣ୍ଡେଇ ଦିଆଯାଉଛି? ଉହାରାଷ୍ଟ୍ରରେ ଅମୁକ ହେଲା, ବର୍ଷା ହେଲା, ଆନ୍ଧ୍ରରେ ଅମୁକ ହେଲା ବୋଲି କାହିଁକି କୁହାଯାଉଛି? ଆମ ରାଜ୍ୟର ପିଆଜ ଆମେ ଖାଇଲେ, ଆମେ ତ ୧୫୦ ଟଙ୍କା ଦର ଦିଅନ୍ତେ ନାହିଁ । ଜାଣିଛନ୍ତି କି- ପିଆଜ ମିଶନ ଆରମ୍ଭ ହେଲା ବେଳେ ରାଜ୍ୟରେ ପିଆଜ କିଲୋ ୪୫ ଟଙ୍କା ଥିଲା । ତାହା ବଢି ଯାଇଥିଲା ବୋଲି ସରକାର ନୂଆ ମିଶନ ଆରମ୍ଭ କରିଥିଲେ । ଏବେ କିଲୋ ପିଛା ଦର କେବେ ଦୁଇ ଶ’ ଛୁଇଁବ କେହି କହିପାରିବେ ନାହିଁ ।
ଆମେ ଆଳୁ ମିଶନ କଲୁ । କିନ୍ତୁ ଆଳୁ ଆଣିବୁ ପଶ୍ଚିମବଙ୍ଗରୁ । ସମୁଦ୍ରକୂଳିଆ ରାଜ୍ୟ ଆମେ । ୪୮୦ କିଲୋମିଟରର ସମୁଦ୍ର କୂଳ ଆମର । ନଈନାଳ, ପୋଖରୀରେ ଭରପୁର । କିନ୍ତୁ ଆମେ ଖାଇବୁ ଆନ୍ଧ୍ର ମାଛ । ଅଣ୍ଡା ବାହାର ରାଜ୍ୟରୁ ମଗେଇ ସ୍କୁଲ ପିଲାଙ୍କୁ ଦେବୁ । ପର ଉପରେ ନିର୍ଭର କରି କରି ଏ ଜାତି ସଳଖି ଠିଆ ହୋଇ ପାରିଲା ନାହିଁ ।
କୃଷି ଓ କୃଷକଙ୍କ କଥା ଯେତେ କହିଲେ ମଧ୍ୟ, ଏହା ହିଁ ସତ ଯେ, ଆମେ ଏବେ ସବୁଠାରୁ ବଡ଼ କୃଷିଭିତ୍ତିକ ସମସ୍ୟାର ସାମ୍ନା କରୁଛୁ । ଲୋକେ ଚାଷ ଛାଡ଼ି ଦେଉଛନ୍ତି । ଗାଁରେ ତ ହଳ, ଲଙ୍ଗଳ, ବଳଦ ସ୍ୱପ୍ନ । ବିଲ ପଡ଼ିଆ ପଡ଼ୁଛି । କାରଣ- ଚାଷରୁ ଆଉ ସେଭଳି ଆୟ ହେଉନାହିଁ, ଯେଉଁଥିରେ ପୁରା ପରିବାରଟା ବର୍ଷକ ଚଳିଯିବ । କୃଷକଙ୍କୁ ଆର୍ଥିକ ସହାୟତା ଦେବା ଅପେକ୍ଷା, ଭିତ୍ତିଭୂମି ସଜାଡ଼ିବା, କେନାଲ ବ୍ୟବସ୍ଥା କରିବା, ଜଳସେଚନ ସୁବିଧା କରିବା, ଚାଷକୁ ମାଗଣାରେ ବିଜୁଳି ଯୋଗାଇବା ପ୍ରାଥମିକତା ହେବା ଆମଶ୍ୟକ ।
ତେଣୁ, ଅଲଗା କାହାକୁ କହି କଣ ହେବ? ଆମ ଲୋକ ତ ଅସୁବିଧାର ସାମ୍ନା କରୁଛନ୍ତି । ଆମେ ତାର ସମାଧାନ ଯେତେ ଜଲଦି କାଢିବା ସେତେ ଭଲ, ସେତେ ବେହେତ୍ତର । ସେତେ ମଙ୍ଗଳମୟ ।
Comments are closed.