ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
କରୋନା ଲଢେଇ ସମୟରେ ଗୋଟିଏ କଥା ବାରବାର ସାମାଜିକ ଗଣମାଧ୍ୟମରେ ଆସୁଛି । ସରକାର ସଭିଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରୁଛନ୍ତି । ଆର୍ଥିକ ପ୍ୟାକେଜ୍ ବ୍ୟତୀତ ଅନ୍ୟାନ୍ୟ ସୁବିଧା ବି ରହିଛି । ଗତକାଲି ପୁଣି ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫଙ୍କ ପାଇଁ ଏକ ବଡ଼ ପ୍ୟାକେଜ ଘୋଷଣା ହେଲା । ଯାହା ସ୍ୱାଗତଯୋଗ୍ୟ । କିନ୍ତୁ ସାମ୍ବାଦିକଙ୍କ ପାଇଁ କାହିଁକି କିଛି ନାହିଁ ଆଜିଯାକେ?
କରୋନା ଲଢେଇ ସମୟରେ ଯେଉଁ ମଣିଷଟି ନିଜ ପରିବାରକୁ ଛାଡ଼ି ଟିକିନିଖି ଖବର ଆମ ପାଖରେ ପହଞ୍ଚାଉଛି, ସେ ତ ସାମ୍ବାଦିକ । ତାର ଘର ଅଛି । ତାର ବି ପରିବାର ଅଛି । ସମସ୍ତେ କବାଟ ବନ୍ଦ କରି ଆପଣା ପରିବାରର ସୁରକ୍ଷା ଦେଖୁଥିବା ବେଳେ ସାମ୍ବାଦିକକୁ କାମକୁ ଯିବା ପାଇଁ ପଡ଼ୁଛି । ଯୋଉଠି କରୋନା ସଂପର୍କିତ ଖବର ଆସୁଛି, ଯୋଉଠି ସାମ୍ବାଦିକ ସମ୍ମିଳନୀ ହେଉଛି, ଯୋଉଠି କଣ୍ଟେନମେଣ୍ଟ ଜୋନ ଘୋଷଣା ହେଉଛି, ଯେଉଁଠି ସୀମାରେ ଢିଲା ବ୍ୟବସ୍ଥା ଅଛି- ପ୍ରତିଟି ଜାଗାରେ ସାମ୍ବାଦିକ ରହି, ଖବର ସଂଗ୍ରହ କରୁଛି । ନିଜ ପରିବାର କଥାକୁ ସେ କେବେ ବି ଆଗେ ଦେଖିନି । ଦେଖିଥିଲେ- ଯେଉଁ ମହାମାରୀକୁ ନେଇ ବିଶ୍ୱ ଥରୁଛି, ସେଇ ମହାମାରୀକୁ ସାମ୍ନା କରିବା ପାଇଁ, ଲୋକଙ୍କୁ ଖବର ଦେବା ପାଇଁ ସେ ବାହାରି ଯାଆନ୍ତା ନାହିଁ ।
ମୁମ୍ବାଇରେ କରୋନା କଭରେଜ କରୁଥିବା ସମୟରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡ଼ୁରେ ଏ ସଂଖ୍ୟା ୨୬ । ସେମାନେ ସମସ୍ତେ ଆମମାନଙ୍କୁ ଖବର ଦେବା ପାଇଁ ନିଜ ଜୀବନକୁ ବିପଦରେ ପକେଇଛନ୍ତି । କର୍ଣ୍ଣାଟକ ଓ ଦିଲ୍ଲୀ ସରକାର ସାମ୍ବାଦିକଙ୍କ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ସେମିତି ସିକିମ ସରକାର କରୋନା କଭର କରୁଥିବା ସାମ୍ବାଦିକଙ୍କ ପାଇଁ ଅତିରିକ୍ତ ସହାୟତା ରାଶି ପ୍ରଦାନ କରି ସାରିଛନ୍ତି । ପଶ୍ଚିମବଙ୍ଗ ସରକାର ସେମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛି । ଯେଉଁ ପରିମାଣର ରାଶିର ବୀମା ଅନ୍ୟମାନଙ୍କ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି, ସେଥିରେ ସାମ୍ବାଦିକଙ୍କୁ ସାମିଲ କରିଛନ୍ତି ରାଜ୍ୟ ସରକାର ।
ଏ କଥା ବି ସମସ୍ତେ ଜାଣନ୍ତି । ସାରା ବିଶ୍ୱରେ ସାମ୍ବାଦିକମାନେ କମ ଦରମା ପାଆନ୍ତି । ଭାରତରେ ତା’ଠାରୁ କମ ଦରମା ମିଳେ । ଓଡ଼ିଶାରେ ଏହା ଆହୁରି କମ । ଓଡ଼ିଶାରେ ତ ଭାରି ଶସ୍ତାରେ ଗଣମାଧ୍ୟମ ପାଇଁ କର୍ମଚାରୀ ମିଳନ୍ତି । ଏକଥା କଷ୍ଟ ଲାଗିପାରେ । କିନ୍ତୁ ଏହା ହିଁ ତ ସତ । ବାସ୍ତବତା । ଏମିତିକି ଉତ୍ତର-ପୂର୍ବ ରାଜ୍ୟର ସାମ୍ବାଦିକମାନେ ଓଡ଼ିଶାର ସାମ୍ବାଦିକଙ୍କ ଅପେକ୍ଷା ଅଧିକ ଦରମା ପାଆନ୍ତି ।
ସେଥିରେ ପୁଣି ସେମାନଙ୍କ ଚାକିରି ଠିକା । କାଲି ସକାଳେ କହିବେ- ଆଉ ଆସିବା ଦରକାର ନାହିଁ ତ, ଚାକିରି ସେଇଠୁ ସରିଲା । ଗୋଟେ ଖୁବ ପ୍ରଫେସନାଲ ବୃତ୍ତି ଭାବେ ଏହା ଆଦୌ ଉଧେଇ ପାରିଲା ନାହିଁ । ତାହା ପଛରେ କାରଣ ଅନେକ । ତେବେ ତାହା ତ ଆଜିର ପ୍ରସଙ୍ଗ ନୁହେଁ ।
ପ୍ରସଙ୍ଗ ହେଉଛି- ଯେଉଁ ସାମ୍ବାଦିକମାନେ କରୋନା କଭରେଜ୍ କାମରେ ଜଡ଼ିତ ଅଛନ୍ତି, ତାଙ୍କ ପାଇଁ ସରକାର ବୀମା ରାଶିର ଘୋଷଣା କରନ୍ତୁ । କାରଣ- ସେମାନଙ୍କ ଦରମା ବହୁତ କମ । ଜଣେ ଉଚ୍ଚ ଶିକ୍ଷିତ ସାମ୍ବାଦିକର ଦରମା ପ୍ରଇମେରୀ ସ୍କୁଲ ଶିକ୍ଷକ ଦରମାର ଏକ ଦ୍ୱିତୀୟାଂଶରୁ ବି ଢେର କମ । କିରାଣୀ ଅପେକ୍ଷା କମ ପଇସା ପାଏ ସାମ୍ବାଦିକ ।
ବହୁତ ଅଧିକ କାମ ତାର । ପ୍ରତିଟି ମୁହୂର୍ତ୍ତରେ ସେ ସଜାଗ ରୁହେ । ଛୁଟି ନାହିଁ । କିଛି ନାହିଁ । ଆଜିକାଲି ପୁଣି ସାମ୍ବାଦିକଙ୍କୁ ଗାଳି ଦେବା ଗୋଟେ ଫେସନରେ ପରିଣତ ହେଲାଣି । ଅବଶ୍ୟ ତା’ପଛରେ କାରଣ ବି ରହିଛି । ଏହାଛଡ଼ା କରୋନା ସମୟରେ ଗଣମାଧ୍ୟମ ସଂସ୍ଥା ପ୍ରଭାବିତ ହୋଇଥିବାରୁ ସାମ୍ବାଦିକଙ୍କ ଦରମା କାଟ ଆରମ୍ଭ ହୋଇଗଲାଣି । ଜାତୀୟସ୍ତରରେ ଏ ଧାରା ଦେଖିବାକୁ ମିଳିଲାଣି । ତେଣୁ ଓଡ଼ିଶାରେ ବି ମିଳିପାରେ ।
ମୋଟ କଥା ହେଉଛି, ଯେଉଁମାନେ କରୋନା ସହ ଜଡ଼ିତ ସମସ୍ତଙ୍କ ସୁରକ୍ଷା କଥା ସରକାର ଭାବୁଛନ୍ତି । ପଦକ୍ଷେପ ନେଉଛନ୍ତି । କିନ୍ତୁ ଯେଉଁମାନେ ସେସବୁ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ତାଙ୍କ ପାଇଁ କଣ କିଛି କର୍ତ୍ତବ୍ୟ ନାହିଁ? ତାଙ୍କ ପାଇଁ କଣ କିଛି ବି ପ୍ରୋତ୍ସାହନ ରାଶି, ବୀମା ନାହିଁ? କୌଣସି ପ୍ୟାକେଜ୍ ନାହିଁ? କେମିତି କଥା ଯେ ଇଏ ?
ଓଡ଼ିଶାରେ ସାମ୍ବାଦିକମାନେ ଅନେକ ସମୟରେ ଏକାଠି ଲଢି ପାରନ୍ତି ନାହିଁ । ତାଙ୍କ ଚାକିରି ତ ସେଇଆ । ପୁଣି ସାମ୍ବାଦିକ ସଂଘ ସବୁ ଥାଇ ନଥିଲା ପରି । ଯୋଡ଼େ ତିନିଟା ଉତ୍ସବରେ ତାଙ୍କ କାମ ଶେଷ । ତେଣୁ ସରକାର ନିଜେ ଏହାର ବିଚାର କରନ୍ତୁ ଓ ପଦକ୍ଷେପ ନିଅନ୍ତୁ ।
ଇମେଲ୍: jpm.iimc@gmail.com
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.