Latest Odisha News

BREAKING NEWS

ବହ୍ନିକନ୍ୟା ପାର୍ବତୀ

  • ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ

ସେ ଥିଲେ ଝଡ଼ର ଈଗଲ । ବିପ୍ଳବର ବହ୍ନିଶିଖା। ମୁକ୍ତି ସଂଗ୍ରାମର ଆଲୋକ ବର୍ତ୍ତିକା। ଅଳ୍ପ ବୟସରୁ ମାତୃଭୂମି ପାଇଁ ତେଜି ଦେଇଥିଲେ ତମାମ ସୁଖ। ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି କାରାବରଣ କରିଥିଲେ। ମହିଳା ସଶକ୍ତିକରଣର ସେ ଥିଲେ ଜଣେ ବଳିଷ୍ଠ ଉଦାହରଣ। ଦେଶ ସ୍ୱାଧୀନ ହେଲା ପରେ ମଧ୍ଯ ସାଂସାରିକ ମୋହରେ ନିଜକୁ ନବାନ୍ଧି ସେବାର ପଥ ବାଛି ନେଇଥିଲେ ।

ଭାରତର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାରୁ ଯେଉଁ କେତେଜଣ ମହିଳା ବିପ୍ଳବିନୀ ଦେଶ ପାଇଁ ତଥାକଥିତ ସାମାଜିକରୁ ବନ୍ଧନ ମୁକ୍ତ ହୋଇ ମାତୃଭୂମିର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ସଂଗ୍ରାମୀ ଥିଲେ ପାର୍ବତୀ ଗିରି ।  ୧୯୨୬ ମସିହା ଜାନୁଆରୀ ୧୮ ତାରିଖରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ( ବର୍ତ୍ତମାନ ବରଗଡ଼) ବିଜେପୁର ନିକଟବର୍ତ୍ତୀ ସମଲେଇପଦର ଗାଁରେ ଏକ ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ସେ ତାଙ୍କ କାକା ରାମଚନ୍ଦ୍ର ଗିରିଙ୍କ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କୁ ଦଶ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ଗାଁ ପାଖରେ ହେଉଥିବା ସ୍ୱାଧୀନତା ସଂଗ୍ରାମ ସଭାରେ ଇଂରେଜମାନଙ୍କ ଅତ୍ୟାଚାର ବିଷୟରେ ଶୁଣୁଥିଲେ । ପରେ ପରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ପ୍ରଭାବିତ ହୋଇ ଆଖପାଖରେ ଲୋକଙ୍କୁ ସଭାରେ ଯୋଗ ଦେବାପାଇଁ ଅନୁରୋଧ କରୁଥିଲେ ।

ଧୀରେ ଧୀରେ ସ୍ୱାଧୀନତା ସଂଗ୍ରାମ ଆଗ୍ରହୀ ହୋଇ ଜନସାଧାରଣଙ୍କୁ ମହାତ୍ମା ଗାନ୍ଧୀଙ୍କ ଆହ୍ବାନ ବିଷୟରେ ସଚେତନ କରୁଥିଲେ। ମାତୃଭୂମିର ମୁକ୍ତି ପାଇଁ ତାଙ୍କର ନିଷ୍ଠା ଦେଖି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଷୋହଳ ବର୍ଷ ବୟସରେ ପାର୍ବତୀ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ଼ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ପାର୍ବତୀଙ୍କ ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର ତୃତୀୟ ଶ୍ରେଣୀ ଥିଲା। ମାତ୍ର ବିଚକ୍ଷଣ ବୁଦ୍ଧି ବଳରେ ମହାତ୍ମା ଗାନ୍ଧୀଙ୍କ କଥା ଅତ୍ୟନ୍ତ ସରଳ ଭାବରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରୁଥିଲେ। ତାଙ୍କର  ବୈପ୍ଳବିକ କାର୍ଯ୍ୟକଳାପ ପାଇଁ ସେ ଦୁଇ ବର୍ଷ ଜେଲ ଦଣ୍ଡ ବି ଭୋଗିଥିଲେ।

ଦେଶ ସ୍ୱାଧୀନ ହେଲା ପରେ ସମ୍ପୂର୍ଣ୍ଣ ଭାବରେ ସାମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ ପାର୍ବତୀ। ନୃସିଂହନାଥରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ, ପାଇକମାଲରେ ରୁକ୍ମିଣୀ ଲାଠ ବାଲ ନିକେତନ, ସମ୍ବଲପୁର ଯୁଯୁମୁରାରେ ଡକ୍ଟର ସନ୍ତରା ବାଲ ନିକେତନ ପ୍ରତିଷ୍ଠା କରିଥିଲେ। ରାଜ୍ୟ ବିଧାନସଭା ତଥା ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କୁ କୁହାଯାଇଥିଲେ ମଧ୍ଯ ସେ ବିନମ୍ରତାର ସହିତ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସମାଜ ସେବା କରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା। ତାଙ୍କର ସେବା ମନୋବୃତ୍ତି ପାଇଁ ତାଙ୍କୁ ପଶ୍ଚିମ ଓଡ଼ିଶାର ମଦର ଟେରେସା ବୋଲି କୁହାଯାଉଥିଲା। ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଆଶ୍ରମରେ ସେ ‘ବଡ଼ ମା’ ଭାବରେ ପରିଚିତ ଥିଲେ। ସମାଜ ସେବାରେ ଅତୁଳନୀୟ ଅବଦାନ ପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ୧୯୯୫ ମସିହାରେ ଅଗଷ୍ଟ ୧୭ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ପାର୍ଥିବ ଶରୀର ତ୍ୟାଗ କରିଥିଲେ ମଧ୍ଯ ତାଙ୍କ ଜୀବନର ଗାଥା ଚିରଦିନ ପାଇଁ ଅମର ହୋଇ ରହିଗଲା।

Comments are closed.