ଗତକାଲି କବି ଦୁର୍ଗାଚରଣ ପରିଡା ଚାଲିଗଲେ। ବୟସ ପାକଲା ହୋଇସାରିଥିଲା। ୯୨ ବର୍ଷର ପରିପୂର୍ଣ୍ଣ ଜୀବନ ପରେ, ବିଦାୟ ଏକ ସ୍ଵାଭାବିକ ପ୍ରକ୍ରିୟା। ହେଲେ ଓଡ଼ିଆ କବିତାରେ ସେ ଅନୁପସ୍ଥିତିର କବି। ଅନେକ ତାଙ୍କୁ ଜାଣନ୍ତି ନାହିଁ। ଏପରିକି ସାହିତ୍ୟରେ ବୁଡ଼ିକି ଥିବା ଲୋକେ ବି ତାଙ୍କୁ ମନେ ରଖିନଥିଲେ। କେବେ ଦିନେ ହୁଏତ ଓଡିଶାର ସବୁ ପ୍ରଖ୍ୟାତ ପତ୍ର ପତ୍ରିକାରେ ସେ ଥିଲେ ଆଗଧାଡିର କବି। ହେଲେ ତାଙ୍କୁ କ୍ଵଚିତ ଲୋକ ଦେଖିଥିଲେ ଓ ଚିହ୍ନିଥିଲେ। ତେବେ କବିକୁ ଦେଖିବା ବା ଚିହ୍ନିବା କଣ ଦରକାର। କବିକୁ ଦେଖିବାକୁ ହେଲେ କବିତାକୁ ଚିହ୍ନିବା ଦରକାର। ଦୁର୍ଗାଚରଣ ପରିଡ଼ାଙ୍କ କବିତା ଭିଡ଼ ଭିତରେ ବାରି ହୋଇପଡ଼େ। ତାଙ୍କ କବିତା ଅନ୍ତରକୁ ଛୁଏଁ। ୮୭ ବର୍ଷ ବୟସରେ ତାଙ୍କର ଯେତେବେଳେ ଦ୍ଵିତୀୟ କବିତା ସଂକଳନ ପ୍ରକାଶ ପାଇଲା, ସେଥିରେ ଲେଖାଥିଲା- ଦୁର୍ଗାଚରଣ ପରିଡା ମୁଖ୍ୟତଃ ପ୍ରେମ ଓ ପ୍ରଣୟର କବି। ହେଲେ ସେ ବହୁ ବର୍ଣ୍ଣ ଓ ବହୁ ଭାବର କବି। ଅଳ୍ପ ଶବ୍ଦରେ ଆକାଶ ମାପି ପାରିବାର ଅପୂର୍ବ ଦକ୍ଷତା ତାଙ୍କ କବିତାରେ ଥିଲା। ବୋଧହୁଏ ଓଡିଆ କବିତାରେ ସବୁଠୁ ମିତବ୍ୟୟୀ କବି। ତାଙ୍କ କବିତାରେ ଗୋଟିଏ ଶବ୍ଦକୁ ବାଦ ଦେବା ସମ୍ଭବ ନୁହେଁ। କବିତାର ସୂକ୍ଷ୍ମ, ସରଳ ଓ ଗମ୍ଭୀର ବଖାଣରେ, ସେ ନିଜେ ହିଁ ନିଜର ପ୍ରତିସ୍ପର୍ଦ୍ଧୀ।
ଆଜି ଧାଡ଼ିଏ କବିତା ଲେଖୁ ଲେଖୁ ପ୍ରଚାରତନ୍ତ୍ରର ଜାଲରେ ପଡ଼ୁଥିବା କବିମାନେ, କେବେ କଣ ବିଶ୍ଵାସ କରି ପାରିବେ ଯେ, ଜଣେ କବି ୯୨ ବର୍ଷ ବଞ୍ଚିବା ପରେ ମାତ୍ର ଦୁଇଟି କବିତା ବହି ଲେଖିଥିଲେ!! ଏମିତି ଦେଖିଲେ, ଦୁଇଟି ଯାକ ବହିକୁ ଗୋଟିଏ ବହି ବୋଲି କହିଲେ ମଧ୍ୟ ଚଳିବ। ହେଲେ ଦୁଇଟି ବହି ଭିତରେ ୫୪ ବର୍ଷର ବ୍ୟବଧାନ। ପ୍ରଥମ ବହି “ଇନ୍ଦ୍ରାୟୁଧ” ପ୍ରକାଶ ପାଇଥିଲା ୧୯୬୧ ମସିହାରେ। ତାର ୫୪ ବର୍ଷ ପରେ ବରିଷ୍ଠ ଆଲୋଚକ-ସମ୍ପାଦକ ଅସୀତ ମହାନ୍ତିଙ୍କ ଉଦ୍ୟମରେ ପ୍ରକାଶ ପାଇଲା ଦ୍ଵିତୀୟ ସଂକଳନ “ରାଗ ଯୋଗେଶ୍ଵରୀ”। ତାଙ୍କ ସାହିତ୍ୟିକ ସିଦ୍ଧି ସେତିକି ମାତ୍ର। ହେଲେ କବିତା ରଚନାର କଳା ଦୃଷ୍ଟିରୁ, ସେ ଓଡ଼ିଆ କବିତାର ଅନ୍ୟତମ ପ୍ରଖର ଶିଳ୍ପୀ। ତାଙ୍କର କାବ୍ୟବୋଧ ଗଭୀର, ହେଲେ ସାନ୍ଦ୍ର। ତାଙ୍କ କବିତାରେ ଶବ୍ଦମାନେ ବଡ଼ ନିଃସଙ୍ଗ। ମୂଳତଃ ସେ ନୀରବତାର କବି।
କବିତାରେ ନୀରବତାକୁ ଖୋଜି ପାଇବା, ବହୁ କମ କବିଙ୍କ ଭାଗ୍ୟରେ ଜୁଟିଥାଏ। କବିତା ଲେଖୁଛୁ ବୋଲି ଆମେ ଅନେକ ସମୟରେ ଶବ୍ଦର କୋଳାହଳ ଭିତରେ ବଞ୍ଚୁଥାଉ। ବିଶୁଦ୍ଧ କବିଆତ୍ମା କିନ୍ତୁ ଶବ୍ଦର କୋଳାହଳକୁ ଚିହ୍ନେ। କୋଳାହଳକୁ ଚିହ୍ନେ ବୋଲି ସେ ନୀରବ ହେବାର ସାଧନାରେ ନିମଗ୍ନ ରହେ। କବି ଦୁର୍ଗାଚରଣ ପରିଡ଼ା କବିତାରେ ଯେତିକି ନୀରବ, କବି ଭାବରେ ମଧ୍ୟ ସେତିକି ନୀରବ। ସେ ଅଛନ୍ତି ବୋଲି, କେହି ଜାଣନ୍ତି ନାହିଁ। କେବେ କୌଣସି ସାହିତ୍ୟ ସଭା, ପୁରସ୍କାର କି ପ୍ରସିଦ୍ଧି ଦୌଡ଼ରେ କେହି ତାଙ୍କୁ ଦେଖିନାଇଁ। ସେ ନିଜେ ନିଜ ଭିତରର କବି। ସ୍ଵଭାବତଃ ନୀରବ ଓ ଲାଜକୁଳା। ବ୍ୟବହାରରେ ଅତ୍ୟନ୍ତ ମାର୍ଜିତ ଏବଂ ନିଜ ଭିତରେ ସଙ୍କୁଚିତ।
କବିଙ୍କୁ ଦୁଇଥର ଦେଖିବାର ସୁଯୋଗ ମିଳିଛି। ୨୦୧୨ କି ୧୩ରେ ଠାରେ ଅସୀତ ଭାଇ ଗୋଟେ କବିତା ପାଠର ଆୟୋଜନ କରିଥିଲେ ବଳିଆ ବାବାଙ୍କ ଆଶ୍ରମରେ। ଅନେକ କବିଙ୍କ ଭିତରେ କବି ଦୁର୍ଗାଚରଣ ପରିଡ଼ା ମଧ୍ୟ ଥିଲେ। ଯିବା ଓ ଆସିବା ଭିତରେ, ସେ ଯେ ଆମ ସାଙ୍ଗରେ ଥିଲେ, ସେ କଥା ଜାଣିବାର ଅବକାଶ ହିଁ ନଥିଲା। ନିଜ ଭିତରର ଦୁନିଆଁରେ ଏମିତି ନିମଗ୍ନ କବି, ଈଶ୍ବରଙ୍କ ପରି। ଏତେ ନମ୍ର ଓ ବିନୀତ ଯେ, ତାଙ୍କ ଆଗରେ ଠିଆ ହେବାକୁ ନିଜକୁ ସଙ୍କୁଚିତ ଲାଗେ। ନିଜ ପ୍ରତିଭା ଓ ପ୍ରତିଷ୍ଠା ବିଷୟରେ ସଂପୂର୍ଣ୍ଣ ଉଦାସୀନ। କବି ଭାବରେ ତାଙ୍କର ଯେ ଏକ ଭିନ୍ନ ପରିଚୟ ରହିଥିଲା, ଏ କଥା ୭୦ ରୁ ୯୦ ଦଶକରେ କବିତା ଲେଖିଥିବା ଓ ପଢ଼ିଥିବା ସବୁ କବି ଜାଣନ୍ତି। ସେ ଓଡ଼ିଆ ସାହିତ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ କବି। ହେଲେ, ନିଜ ପରିଚୟକୁ ବେଖାତିର କରି ସେ ସାରା ଜୀବନ ଏକୁଟିଆ ରହିଲେ। ଅଳ୍ପ ଲେଖିଲେ, ହେଲେ ଯାହା ଲେଖିଲେ, ସେଟା ପଥରର ଗାର ହୋଇ ରହିଗଲା।
କବିଙ୍କ ବିଷୟରେ କହିବା ଅପେକ୍ଷା, ମୁଁ ଭାବୁଛି, ତାଙ୍କ କବିତା ଦୁଇଟି ପଢ଼ାଯାଉ। ଅତି ଛୋଟ ଛୋଟ ଦୁଇଟି କବିତା, କିନ୍ତୁ କେତେ ବଜ୍ର, କେତେ ବିଦ୍ୟୁତ ଓ କେତେ ବର୍ଣ୍ଣବିଭା ଏ କବିତାରେ!!
ନିର୍ୟାସ
ପଦ୍ମର ନବନୀତ
ତାର ପୀୟୂଷ !
ଗୋଲାପର ନବନୀତ
ତାର ଲାବଣ୍ୟ !
ବସନ୍ତର ନବନୀତ
ଏକ ବେପଥୁ !
ଚୁମ୍ବନର ନବନୀତ
ଏକ ମରଣ !
ଏବଂ ପ୍ରୀତିର ନବନୀତ
ଏକ ତଲୱାର !!
ଶୋଣିତ
ତମର ସକଳ ଗରଳକୁ
ଅମୃତ କରେ କିଏ?
ତମର ସକଳ ଅନ୍ଧକାରକୁ
ଆଲୋକ କରେ କିଏ?
ତମର ସକଳ ଦ୍ବନ୍ଦ୍ଵର
ଅବସାନ ଆଣେ କିଏ?
ତମର ଶୋଣିତ !
ତମର ଯୌବନ !
ତମର ପ୍ରେମ !
ପ୍ରୀତିର କୋମଳତମ ସତ୍ତାରେ ତଲୁଆରର ସନ୍ଧାନ ପାଇଥିବା କବି ଦୁର୍ଗାଚରଣ ପରିଡାଙ୍କୁ ପ୍ରଣାମ।
Comments are closed.