Latest Odisha News

ପୁରୁଷପ୍ରଧାନ ମାନସିକତାର ପରିଣାମ; ଧର୍ଷଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଧର୍ଷଣ ପରି ଘଟଣାକୁ ସମୂଳେ ଲୋପ କରିବାକୁ ହେଲେ ଧର୍ଷଣକୁ ଜନ୍ମ ଦେଉଥିବା ଆମ ସମାଜରେ ବଳବତର ‘ପୁରୁଷପ୍ରଧାନ ମାନସିକତା’କୁ ଏନ୍କାଉଂଟର କରିବାକୁ ପଡ଼ିବ । ଦିନ ପ୍ରତିଦିନ ଆମ ସମାଜରେ ବଢ଼ୁଥିବା ଧର୍ଷଣ ପରି ଘଟଣାର ମୂଖ୍ୟ କାରଣ ହେଉଛି ସମାଜରେ ଥିବା ପୁରୁଷପ୍ରଧାନ ମାନସିକତା । ପରିବାର ସ୍ତରରୁ ଏହା ଆରମ୍ଭ ହେଉଛି ଓ ସାରା ସମାଜରେ ଛାଇ ରହିଛି । ଆମର ପ୍ରତ୍ୟେକ କାମ ଓ ନୀତି ନୀୟମ କେବଳ ପୁରୁଷ ପ୍ରଧାନ ମାନସିକତାକୁ ହିଁ ଆଗକୁ ବଢ଼ାଉଛି । ପରିବାରରେ ଆମେ ଯେତେବେଳେ ଗୋଟିଏ କନ୍ୟା ସନ୍ତାନକୁ ଲାଳନ ପାଳନ କରୁଛେ, ସେବେ ଠାରୁ ଆମେ ନାରୀ ଓ ପୁରୁଷ ଭିତରେ ଏକ ବଡ଼ ବ୍ୟବଧାନ ତିଆରି କରୁଛେ ଓ ପ୍ରତ୍ୟେକ କାମରେ ଆମେ ପ୍ରମାଣ କରୁଛେ ଯେ, ନାରୀ ଅର୍ଥ ପଛୁଆ ଓ ପୁରୁଷ ଅର୍ଥ ଆଗୁଆ । ଘର ଭିତରୁ ହିଁ ଏହା ଆରମ୍ଭ ହେଉଛି । କନ୍ୟା ସନ୍ତାନଟିଏ ଜନ୍ମ ହେବା ପରଠାରୁ ଆମେ ତାକୁ ପୁରୁଷର ବ୍ୟବହାର ଯୋଗ୍ୟ ଏକ ବସ୍ତୁ ଭାବେ ତିଆରି କରିଚାଲୁଛେ । ନାରୀକୁ ପରିବାରର ଇଜ୍ଜତ ଭାବେ ଚିତ୍ରଣ କରାଯାଉଛି । ସେମିତି ପୁରୁଷ ପିଲାଟିକୁ କେବେ ପରିବାରର ଇଜ୍ଜତ କହୁଛେ କି? ସବୁଠାରୁ ଦୁର୍ଭାଗ୍ୟର ବିଷୟ ଯେ, ନାରୀର ଇଜ୍ଜତକୁ ସଂପୂର୍ଣ୍ଣୂ ଭାବେ ତାର ଶରୀରରେ ନିହିତ ଅଛି ବୋଲି କୁହାଯାଉଛି । କିନ୍ତୁ ପ୍ରଶ୍ନ ହେଉଛି, ନାରୀର ଶରୀରରେ ଯଦି ତାର ଇଜ୍ଜତ ନିହିତ ଅଛି ତେବେ ସେହିପରି ପୁରୁଷର ଶରୀରରେ ତାର ଇଜ୍ଜତ ନିହୀତ ରହିବ ନାହିଁ କାହିଁକି? ଗୋଟେ ନାରୀ ଯେତେ ପାଠ ପଢ଼ି ଯୋଗ୍ୟ ହେଲେ ମଧ୍ୟ ଯଦି ତାର ଶରୀରକୁ ନେଇ କିଛି ଘଟୁଛି, ତେବେ ତାର ଇଜ୍ଜତ୍ ଚାଲିଗଲା ବୋଲି ଆମେ କହୁଛେ । ଏପରି କାହିଁକି? ନାରୀ କହିଲେ କେବଳ କ’ଣ ଶରୀର? ତାର ବ୍ୟକ୍ତିତ୍ୱର କ’ଣ ଆଉ କୌଣସି ଦିଗ ନାହିଁ? ପରିବାର ସ୍ତରରେ ଓ ଆମ ସମାଜରେ କୁହାଯାଉଛି ଯେ, ନାରୀ ମାଟି ହାଣ୍ଡି, ପଡ଼ିଗଲେ ଭାଙ୍ଗିଯିବ । କିନ୍ତୁ ପୁରୁଷ ପିଲା ପିତଳ ହାଣ୍ଡି । ଯେତେ ଯାହା କଲେ ବି ମାଜିମୁଜି ଦେଲେ ସଫା ହୋଇଯିବ । ଏପରି ନୀୟମ କିଏ ତିଆରି କଲା ଓ କାହିଁକି? କେବଳ ଏହି ଅବଧାରଣା ପାଇଁ ପୁରୁଷ ଯଦି ଗୋଟେ ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ଚାହୁଁଛି, ତେବେ ତାକୁ ଧର୍ଷଣ କରି ତାର ଇଜ୍ଜତ ଲୁଟି ତାକୁ ବରବାଦ୍ କରିବା ପାଇଁ ଚାହୁଁଛି ।

କିନ୍ତୁ ଗୋଟେ ପୁରୁଷ ପିଲା ଉପରେ କେହି ପ୍ରତିଶୋଧ ନେବାକୁ ଚାହିଁଲେ ଏପରି ଘଟଣା ତ ଦେଖାଯାଉନି । ପରିବାର ସ୍ତରରୁ ଯେପରି ଭାବେ ପୁରୁଷପ୍ରଧାନ ମାନସିକତାକୁ ପାଳି ପୋଷି ବଡ଼ କରାଯାଉଛି, ଏଥିରେ ନାରୀଟିଏ ମୂଳରୁ ଦୁର୍ବଳ ହେବା ଆରମ୍ଭ କରୁଛି ଓ ପୁରୁଷ ଭାବୁଛି ତାର ଇଛା ପୂର୍ତି ପାଇଁ ସେ କିଛି ବି କରିପାରିବ । ଏପରିକି ନାରୀର ଇଛା ବିରୁଦ୍ଧରେ ତାକୁ ଉପଭୋଗ କରିବା ବି ତାର ପୁରୁଷତ୍ୱ ବୋଲି ମନେ କରୁଛି । କେହି କେହି ଭାବିପାରନ୍ତି, ଆମ ପରିବାରରେ ତ ଏପରି ହେଉନାହିଁ । କିନ୍ତୁ ଏହା ଆମ ପରିବାର ବା ତାଙ୍କ ପରିବାରର କଥା ନୁହେଁ । କଥା ହେଉଛି ଆମେ ବସବାସ କରୁଥିବା ସମାଜରେ ଏପରି ହେଉଛି ।
ଏତଦ୍ବ୍ୟତୀତ ଆମ ସମାଜରେ ନାରୀକୁ ମୂଖ୍ୟତଃ ଗୋଟେ ଯୌନ ବସ୍ତୁ (ସେକ୍ସ ଅବ୍ଜେକ୍ଟ) ଭାବେ ଦେଖାଯାଉଛି । ଆମ ସାମାଜିକ ବ୍ୟବହାରରେ ଯଦି ଆମେ ନାରୀକୁ କେବଳ ଏକ ଯୌନ ବସ୍ତୁ ଭାବେ ଦେଖିବା, ତେବେ ତା ସହିତ ବି ତ ସେପରି ଘଟଣା ଘଟିବ । ଏଥିରେ ତାର ଇଛା ଥାଉ କି ନଥାଉ । ଏହା ହିଁ ତ ଜନ୍ମ ଦେଉଛି, ନାରୀର ଇଛା ବିରୁଦ୍ଧରେ ତାକୁ ଉପଭୋଗ କରିବାକୁ ଅର୍ଥାତ ଧର୍ଷଣକୁ । ନିଜ ପରିବାରରେ ଶାନ୍ତ ସୁଧାର ଥିବା ଯୁବକଟିଏ ବାହାର ଝିଅଟିଏ ଦେଖିଲେ ସେ ତାକୁ କେବଳ ସେଇଆ ହିଁ ଭାବୁଛି । ଏହା ପଛରେ ଥିବା କାରଣକୁ ଯଦି ଦେଖାଯିବ ତେବେ ପୁରୁଷପ୍ରଧାନ ମାନସିକତା ହିଁ ସାମ୍ନାକୁ ଆସିବ । ଅନେକ ଲୋକ ଯଦିଓ ସିଧା ସିଧା ଧର୍ଷଣ ପରି ଅପରାଧ କରୁନାହାନ୍ତି, କିନ୍ତୁ ନାରୀଟିଏ ଦେଖିଲେ ତାଙ୍କ ମାନସିକତା ସେପରି ହିଁ କାମ କରୁଛି । ଏହାକୁ ଏକପ୍ରକାର ମାନସିକ ଧର୍ଷଣ ମଧ୍ୟ କହିପାରିବା । ପୁରୁଷଙ୍କ ଭିତରେ ନାରୀକୁ ନେଇ ଥିବା ମାନସିକତା ସ୍ୱୟଂଚାଳିତ ଭାବେ ହିଁ ତାଙ୍କୁ ଏପରି କରାଉଛି ।
ଆଜି ପ୍ରତ୍ୟେକ ଜିନିଷକୁ ବିକ୍ରି କରିବା ପାଇଁ ନାରୀକୁ ବିଜ୍ଞାପନର ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି । ଏପରିକି ଯେଉଁ ସବୁ ଜିନିଷ ନାରୀର ବ୍ୟବହାର ଯୋଗ୍ୟ ନୁହେଁ ସେପରି ଜିନିଷ ପାଇଁ ଯଥା ରେଜର୍ର ବିଜ୍ଞାପନରେ ବି ନାରୀ ଶରୀରକୁ ବ୍ୟବହାର କରାଯାଉଛି । ଏଥିରେ ଆମେ କ’ଣ ପ୍ରତିଷ୍ଠା କରୁଛେ! ନାରୀ ଏକ ମଣିଷ ନୁହେଁ ନାରୀ କେବଳ ଏକ ଶରୀର । ଜଗତୀକରଣ ଓ ଉଦାରୀକରଣ ଆରମ୍ଭ ହେବା ପରେ ନାରୀ ବିରୋଧୀ ମାନସିକତା ଆହୁରି ବଢ଼ିଛି । ନାରୀକୁ ପଣ୍ୟ ଭାବେ ପ୍ରଦର୍ଶିତ କରାଯାଉଛି । ଭୋଗବାଦ୍ ସମଗ୍ର ସମାଜକୁ ଗ୍ରାସିଯାଇଛି । ଯଦି ଗୋଟିଏ ସମାଜର ମୂଳ ଭିତି ହେବ କେବଳ ଅଧିକରୁ ଅଧିକ ଭୋଗ କରିବା, ସେଥିରେ ଯାହାର ଯାହା କ୍ଷତି ହେଉଛି ପଛେ ହେଉ, ସେତେବେଳେ ନାରୀ ଏହି ଭୋଗ ସଂସ୍କୃତିର ଶିକାର ହେବ ହିଁ ହେବ । ଯେତେବେଳେ ଆମେ ପ୍ରଚାର କରୁଛେ, ପ୍ରକୃତି ଓ ସାଧାରଣ ଗରିବ ଲୋକଙ୍କ ଜୀବନକୁ ବି ବାଜି ଲଗେଇ ଯେତେ ଭୋଗ କରିପାରିବା ସେତେ ଭଲ, ସେତେବେଳେ ପୁରୁଷପ୍ରଧାନ ମାନସିକତା ନାରୀର ଇଛା ବିରୁଦ୍ଧରେ ତାକୁ ଭୋଗ କରିବାକୁ ଚାହିଁବ ହିଁ ଚାହିଁବ । ଯାହା ଆଜିକାଲି ହେଉଛି । ଗୋଟିଏ ଶବ୍ଦରେ କହିଲେ ଆମ ସମାଜରେ ଥିବା ପୁରୁଷପ୍ରଧାନ ମାନସିକତାର ଅନ୍ତିମ ପରିଣାମ ହେଉଛି ଧର୍ଷଣ । କାରଣ କଂଟା ଗଛ ଲଗେଇଲେ କେବେ ବି ଫୁଲ ଫୁଟିବ ନାହିଁ । ତେଣୁ ପ୍ରଥମେ ଆମକୁ କଂଟା ଗଛ ଲଗେଇବା ବନ୍ଦ କରିବାକୁ ହେବ । କେବଳ ଅପରାଧୀକୁ ତୁରନ୍ତ ଓ କଠୋରୁ କଠୋର ଦଣ୍ଡ ଦେଇଦେଲେ ଧର୍ଷଣ ପରି ସମସ୍ୟାର ସ୍ଥାୟୀ ସମାଧାନ ହେବନାହିଁ । ଯଦି ସତରେ ଆମେ ସମାଜରୁ ଧର୍ଷଣ ପରି ଜଘନ୍ୟ ଘଟଣାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଚାହୁଁଛେ, ତେବେ ପ୍ରଥମେ ସମାଜରେ ଥିବା ପୁରୁଷପ୍ରଧାନ ମାନସିକତାକୁ ଏନ୍କାଉଂଟର କରିବାକୁ ହେବ । ଏଥିପାଇଁ ଆମ ପରିବାର ସ୍ତରରୁ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରୁ କାମ ଆରମ୍ଭ କରିବାକୁ ହେବ ।

ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Comments are closed.