Latest Odisha News

BREAKING NEWS

‘ହିରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳ ଭିଡ଼ିଓ ସୁଟିଂ’ ମୋ ଅଜାଣତରେ କରାଯାଇଥିଲା: ଏଲିନା ସାମନ୍ତରାୟ

ଭୁବନେଶ୍ୱର: ହିରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡ଼ିଓ ସୁଟିଂକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ବଢିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଏବଂ ତାଙ୍କ ସହିତ ଥିବା ଓଲିଉଡ଼ ନାୟିକା ଏଲିନା ସାମନ୍ତରାୟ ଏବଂ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉଭୟ ଓଡ଼ିଆ ଅଭିନେତ୍ରୀ ଏଲିନା ଓ ପ୍ରକୃତି ମିଶ୍ର ।

“ସେଠାରେ ଉପସ୍ଥ୍ିତ ଥିବା ସିକୁ୍ୟରିଟି ଗାଡର଼୍ଙ୍କ ଅନୁମତି ନେଇ ଆମେ ନିଷିଦ୍ଧାଞ୍ଚଳକୁ ଯାଇଥିଲୁ । ଏହି ସ୍ଥ୍ାନରେ ଫଟୋ ଓ ଭିଡ଼ିଓ ସୁଟିଂ କରିବା ନେଇ କଟକଣା ଥିବାର ଆମେ ଆଦୌ ଜାଣିନଥିଲୁ । ଏହି ଘଟଣା ଲାଗି ଆମେ କ୍ଷମା ପ୍ରାର୍ଥନା କରୁଛୁ ଏବଂ ଏପରି ଆଉ କେବେ ଆମଦ୍ୱାରା ହେବନାହିଁ,” ବୋଲି ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ।

ଏହା ଏକ ଭୂଲ୍ ବୋଲି ସ୍ୱୀକାର କରିଥିଲେ ମଧ୍ୟ ସେ ନିଜେ କୌଣସି ଭୂଲ୍ କାର୍ଯ୍ୟ କରିନାହାନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । “ନା ମୁଁ ସେଠାରେ ଭିଡ଼ିଓ ସୁଟିଂ କରିଛି ନା ସୋସିଆଲ୍ ମିଡ଼ିଆରେ ମୁଁ ତାହାକୁ ଅପଲୋଡ୍ କରିଛି । ହଁ, ମୋର ଏତିକି ଭୂଲ୍ ଯେ, ମୋ ଅଜାଣତରେ ସେଠାରେ ଭିଡ଼ିଓ ସୁଟିଂ କରାଯାଇଥିଲା ଏବଂ ମୁଁ ସେହି ଭିଡ଼ିଓ କ୍ଲିପିଂରେ ଥିଲି । ପୋଲିସକୁ ଆମେ ଏହି ଘଟଣାରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବୁ,” ବୋଲି କହିଛନ୍ତି ଏଲିନା ।

ଅଭିନେତ୍ରୀ ପ୍ରକୃତି ଏହି ଭିଡ଼ିଓଟି ସୁଟିଂ କରି ତାହାକୁ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଅପଲୋଡ଼ କରିଥିଲେ, ଯାହାପରେ ଏହାକୁ ନେଇ ତୂମୁଳକାଣ୍ଡ ସୃଷ୍ଟି ହୋଇଛି ।

ଅନ୍ୟଜଣେ ଅଭିନେତ୍ରୀ ଲୋଭିନା ନାୟକ ମଧ୍ୟ ଏହି ଭିଡ଼ିଓ ସୁଟିଂ ସମୟରେ ସେଠାରେ ଉପସ୍ଥିତ ରହିଥିଲେ, ମାତ୍ର ଏସମ୍ପର୍କରେ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ ।

ତିନିଜଣ ଓଡ଼ିଆ ଅଭିନେତ୍ରୀଙ୍କ ସହିତ ନିଷିଦ୍ଧାଞ୍ଚଳରେ ରହି ଭିଡ଼ିଓ ସୁଟିଂ କରିଥିବା ସମ୍ପର୍କରେ ଏକ ପ୍ରଶ୍ନରେ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଏହି ଘଟଣା ସମ୍ପର୍କରେ ସେ ଅବଗତ ନୁୁହଁନ୍ତି ।

“ଏହି ଘଟଣା ସମ୍ପର୍କରେ ମୁଁ ଅବଗତ ନୁହେଁ ଏବଂ ଏହାକୁ ନେଇ ସେହି ଭିଡ଼ିଓକୁ ମଧ୍ୟ ମୁଁ ଆଦୌ ଏପର୍ଯ୍ୟନ୍ତ ଦେଖିନାହିଁ । ମୋ ଝିଅ ସାବାଳକ । ଆଇନ ତା’ବାଟରେ ଯିବ, ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନେ ନିଶ୍ଚିତ ଦଣ୍ଡ ପାଇବେ,” ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି ।

ଏହି ଘଟଣା ସମ୍ପର୍କରେ ଜାଣିବାପରେ ସମ୍ବଲପୁର ଏସପି କନୱର ବିଶାଲ ସିଂହ ହିରାକୁଦ ଏସଡ଼ିପିଓଙ୍କୁ ଏହି ଘଟଣାର ତଦନ୍ତ ଲାଗି ନିଦେ୍ର୍ଧଶ ଦେଇଛନ୍ତି ।

Leave A Reply

Your email address will not be published.