Latest Odisha News

ମହାପ୍ରଭୁଙ୍କର ପ୍ରାବୃତ୍ତ ରାସ ଝୁଲଣ ଯାତ୍ରା

ମହାପ୍ରଭୁଙ୍କର ପ୍ରତି ଋତୁରେ,ପ୍ରତି ମାସରେ କିଛି ନା କିଛି ମାନବୀୟ ଲୀଳା, କେତେ ପ୍ରକାରର ରାସ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଝୁଲଣ ଯାତ୍ରା । ଚିତଉ ଅମାବାସ୍ୟା ପରେ ପରେ ଆରମ୍ଭ ହୁଏ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା ।

ଝୁଲଣ ଯାତ୍ରାର ମୁଖ୍ୟ ଆକର୍ଷଣ ଝୁଲଣ କୁଞ୍ଜ । କୁଞ୍ଜର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଖୁବ ବଡ ବଡ ଭାସ୍କର୍ଯ୍ୟଠାରୁ ଆରମ୍ଭ କରି ଖୁଦ୍ର ପର୍ପ୍ୟନ୍ତ ସାଜସଜ୍ଜାରେ ଛାଇ ଯାଇଥାଏ ସମଗ୍ର କୁଞ୍ଜଟି । ଜରି କାରୁକାର୍ଯ୍ୟରେ ପତ୍ର, ଫୁଲ, ପକ୍ଷୀ, ପଶୁ, ନାରୀ, ପରୀ ପ୍ରଭୁତି ମୂର୍ତି ଗୁଡିକ ଝଲସିତ ହୋଇଥାନ୍ତି । ଦୁଇଟି ଭାସ୍କର୍ଯ୍ୟ ଶୋଭା ପାଇଥାଏ । ଗୋଟିଏ ଯଶୋଦା ଏବଂ ଅନ୍ୟଟି ରୋହିଣୀଙ୍କ ପ୍ରତିରୂପ । କୁଞ୍ଜକୁ ସୁସମୟିତ୍ୱ କରିଥାଏ ସୋଲ ନିର୍ମିତ କଦମ୍ବ, କେତକୀ, ପଦ୍ମ ପ୍ରଭୃତି ଫୁଲ । ମୟୂର, ଶାରୀ, ପ୍ରଭୃତି ପକ୍ଷୀ ଏବଂ ଅନେକ ମାଙ୍କଡ଼ଙ୍କର ଭାସ୍କର୍ଯ୍ୟ ମଧ୍ୟ କୁଞ୍ଜର ଶୋଭା ବଢାଇଥାଏ । ସୋଲ ଶିଳ୍ପୀମାନଙ୍କର କରାମତି ଅଧିକ ଫୁଟି ଉଠେ ଝୁଲଣ କୁଞ୍ଜର । ତେବେ ଝୁଲଣ କୁଞ୍ଜର ଆକର୍ଷଣ ମୂର୍ତ୍ତିଙ୍କ ଯୋଗୁ ଉତ୍ସବଟି ଝୁଲଣ ନାମରେ ପରିଚିତ ନୁହେଁ । ଏହା ଝୁଲଣ ନାମରେ ପରିଚିତ କାରଣ ଶ୍ରୀମନ୍ଦିରର ଦେବତା ଝୁଲଣ କୁଞ୍ଜର ସାତ ଦିନ ଲାଗି ଝୁଲନ୍ତି । କୁଞ୍ଜରେ ଝୁଲିଥାନ୍ତି ଅଷ୍ଟ ଧାତୁରେ ତିଆରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ପିତୁଲା ଦୁଇଟି ।

ଝୁଲଣକୁ ଯିବା ପୂର୍ବରୁ ଏମାନଙ୍କ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ବଡ଼ ଦେଉଳ ସନ୍ନିକଟରେ ଥିବା ଦକ୍ଷିଣ ଘର ବାରଣ୍ଡାରେ ତିନିଟି ଯାକ ବିଗ୍ରହଙ୍କୁ ବେଶ କରାଯାଏ । ଭୋଗ ଅର୍ପଣ କରାଯାଏ । ବଡ ଦେଉଳକୁ ନେଇ ଶ୍ରୀଜଗନ୍ନାଥ ଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦିଆଯାଏ । ତାପରେ ୩ଜଣ ବିମାନବଡୁ ସେବାୟତ ତିନି ମୂର୍ତିଙ୍କୁ ବନଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି । ଏ ଝୁଲାଟି ଗୋଟିଏ ଦଉଡ଼ି ଯୋଡ଼ା ହୋଇଥାଏ । ତାହାକୁ ଝୁଲା ଯାଇଥାଏ ।

ପୁରୀ ପ୍ରତ୍ୟେକ ବଡ଼ବଡ଼ ମଠ ମାନଙ୍କରେ ଆକର୍ଷଣୀୟ କୁଞ୍ଜ ତିଆରି କରାଯାଇଥାଏ । ତେବେ ପ୍ରତି ମଠରେ ଏକା ଦେବତା ଝୁଲନ୍ତି ନାହିଁ । କୁହାଯାଏ ଷୋଡଶ ଶତାବ୍ଦୀର ଶେଷ ଭାଗରେ ସମ୍ଭବତଃ ପୁରୀରେ ଝୁଲଣ ଯାତ୍ରାର ଆରମ୍ଭ ହୋଇଥିଲା । ଏକଥା ମଧ୍ୟ କୁହାଯାଏ ଶ୍ରୀଚୈତନ୍ୟ ଙ୍କ ସମୟରେ ପୂରୀ ରେ ଝୁଲଣ ଯାତ୍ରାର ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିରରେ ନୃତ୍ୟ ସେବା ସମର୍ପଣ ଝୁଲଣ ମହୋତ୍ସବର ଏକ ବିଶିଷ୍ଟ ଅଙ୍ଗ । ତେଣୁ ପୂର୍ବ ସମୟରେ ଝୁଲଣ ଯାତ୍ରା ସମୟରେ ଗୋଟିପୁଅ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯାଉଥିଲା । ଆଜି ବି ପୁରୀର ଝୁଲଣ ଯାତ୍ରା ନିଜର ପରିଚୟକୁ ବଜାୟ ରଖିପାରିଛି ।

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.