Latest Odisha News

BREAKING NEWS

ଶ୍ରୀମନ୍ଦିରରେ କୋଳି ଖାଇଲେ କଳାଠାକୁର

‘ଫଳ ବିକ୍ରୟିଣୀ ତସ୍ୟ ଚ୍ୟୁତ ଧାନ୍ୟଂ କରଦ୍ୱୟଂ
ପଳୈର ପୂରୟଦ ରତ୍ନୈଃ ଫଳଭାଣ୍ଡମ ପୂରି ଚ’ 

ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ, ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କର ବଣ ଭୋଜି ବେଶ, କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ, କୃଷ୍ଣଲୀଳା ନୀତି ଆଦି ଅନୁଷ୍ଠିତ ହୋଇଛି । ଏହି ଦିନ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥିଲା । ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣଙ୍କୁ ଆଣି ରତ୍ନସିଂହାସନରେ ବିଜେ କରିଥିଲେ ।

ପୂଜାପଣ୍ଡା ଆସି ବଡ଼ବାଡ଼ରୁ ରାମଙ୍କୁ ଓ ମହାପ୍ରଭୁଙ୍କ ବାଡ଼ରୁ କୃଷ୍ଣଙ୍କୁ ଆଜ୍ଞା ମାଳ ଦେଲା ପରେ ମହାଜନ ସେବକଙ୍କ ହାତରେ ବିଜେ ହୋଇ ରାମ କୃଷ୍ଣ ବଟ ଦ୍ୱାର ଠାରେ ଥିବା ପାଲିଙ୍କିରେ ବିଜେ ହୋଇଥିଲେ । ବିମାନବଡୁ ସେବକ ବଡ଼ ଛତା ମଠ ପାର୍ଶ୍ୱରେ ଥିବା ଏକ କାଷ୍ଠ ନିର୍ମିତ ସିଂହାସନରେ ବିଜେ କରିଥିଲେ । ଏହିଠାରେ ଜଣେ ଲୋକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକିଥାଏ ।
“ପାଣିର ଫଳ ସିଙ୍ଗଡାରେ କୋଳି ଖାଇବ ଆସ ହେ ପୁଏ “

ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ନେଇ ରୂପା ପିଙ୍ଗଣରେ ରଖି ତାହାକୁ ସମର୍ପଣ କରାଯାଇଥିଲା ଓ ପୂଜାପଣ୍ଡା ସେଠାରେ ଶୀତଳଭୋଗ ଓ ଭିତ୍ତରଛ ମହାପାତ୍ର ବନ୍ଦାପନା କରିଥିଲେ। ଏହାପରେ ଠାକୁର ବାହୁଡା ବିଜେ ହୋଇ ଜଗମୋହନରେ ଥିବା ଖଟ ଉପରେ ଅଧିଷ୍ଠିତ ହୋଇଥିଲେ ।

‘ଭାଣ୍ଡେ ତୋ ଅଛି କେତେ ଫଳ ଟେକି ଚାହିଁଲେ ଆଦିମୂଳ
ରତ୍ନ ହୋଇଲା ତତକ୍ଷଣେ ଗୋବିନ୍ଦ ଆଜ୍ଞା ପରମାଣେ

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.