Latest Odisha News

ସ୍ନାନ ପରେ ଅଣସର ଘରେ ଶ୍ରୀଜିଉ, ଅଲାରନାଥ ଦର୍ଶନ କଲେ ଭକ୍ତ

ପୁରୀ: ମହା ପ୍ରଭୁଙ୍କୁ ଜ୍ୱର ହୋଇଛି। ଗତକାଲି ଦେବସ୍ନାନ ପୂର୍ଣ୍ଣିମାନରେ ଶ୍ରୀ ଜୀଉ ୧୦୮ ସୁବାଶିତ ଜଳରେ ସ୍ନାନ କରିବା ପରେ ଆଜି ଜ୍ୱରରେ କମ୍ପୁଛନ୍ତି ତିନି ଠାକୁର। ସେପଟେ ଦାରୁବ୍ରହ୍ମଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ପଣ୍ଡା ଓ ସେବାୟତ। ଚାଲିଛି ଗୁପ୍ତ ଉପଚାର।

ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ନୀତି ଆରମ୍ଭ ହୋଇଛି। ଠାକୁରେ ଅଣସର ଘରେ ରହିଥିବାରୁ ଭକ୍ତଙ୍କ ଦର୍ଶନ ପାଇଁ ପୂଜା ପାଉଛନ୍ତି ପଟି ଦିଅଁ। ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଆଜି ଠାରୁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି। କୁହାଯାଏ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ତେଣୁ ଅଲାରନାଥଙ୍କୁ ଦେଖିବାକୁ ମନ୍ଦିରରେ ଜନସମାଗମ ହୋଇଛି।

ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢ଼େ ତିନିଟାରୁ ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ବେଶ କରାଯାଇଛି। ସକାଳ ପ୍ରାୟ ସାଢ଼େ ପାଞ୍ଚଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥଙ୍କ ପାଖରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ଅଲାରନାଥ ପୀଠରେ ନୀର୍ଦ୍ଧାରିତ ସମୟରେ ଚାଲିଛି ନୀତିକାନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍ କରାଯିବା ସହ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

 

Comments are closed.