ନୂଆଦିଲ୍ଲୀ: ଭାରତର ପୂର୍ବ କ୍ରିକେଟର ଓ କୋଚ ସଞ୍ଜୟ ବାଙ୍ଗରଙ୍କ ସନ୍ତାନ ଅନାୟା ବାଙ୍ଗରଙ୍କ ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ ସଫଳତାର ସହ ଶେଷ ହୋଇଛି । ଅନାୟା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି । ସେ ଦୀର୍ଘଦିନ ହେବ ଏହି ସର୍ଜରୀକୁ ଅପେକ୍ଷା କରି ରହିଥିଲେ । ମୁଁ ଧୀରେ ଧୀରେ ସବୁ କିଛି ଠିକ କରିବାକୁ ଚାହୁଁଛି । ଏହା ସଫଳତାର ଏକ ବଡ ସୋପାନ । ଆପଣମାନଙ୍କ ଭଲ ପାଇବା ମୋ ମନୋବଳ ବଢ଼ାଇଛି ବୋଲି ଅନାୟା ଲେଖିଛନ୍ତି । ୫ ବର୍ଷର ଏକ କଠିନ ଯାତ୍ରା ଏକପ୍ରକାର ଶେଷ ହେବାକୁ ଯାଉଛି ।
ଜନ୍ମରୁ ମୁଁ କେବେ ହେଲେ ମୋ ଲିଙ୍ଗ ନେଇ ସହଜ ନ ଥିଲି । ଏହା ସହିତ ଜଡିତ ମଧ୍ୟ ନ ଥିଲି । ଏବେ ଏହି ସର୍ଜରୀ ପରେ ମୁଁ ମୋର ପ୍ରକୃତ ପରିଚୟ ଖୋଜି ପାଉଛି । ଏହି କଷ୍ଟସାଧ୍ୟ ଯାତ୍ରାରେ ମୋ ପରିବାରବର୍ଗ ମୋତେ ଭରପୂର ସହଯୋଗ କରିଛନ୍ତି । ସମସ୍ତ ଖର୍ଚ୍ଚ ମୋ ବାପା ସଞ୍ଜୟ ବାଙ୍ଗର ଉଠାଇଛନ୍ତି । ତାଙ୍କଠାରୁ ଅଧିକ ଭାବନାତ୍ମକ ସହଯୋଗ ମୁଁ ଅନ୍ୟ କାହାଠାରୁ ପାଇ ନାହିଁ ବୋଲି କହିଛନ୍ତି ।