ହାଇଦ୍ରାବାଦ: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା କାହା ମନରୁ ଲିଭିନଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ଜିଲ୍ଲାରୁ ସେହିପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି।
ସେଠାକାର ସୁକାଲିମେଟ୍ଟା ଅଞ୍ଚଳର ଏଚଏନଏସଏସ କେନାଲ ନିକଟରେ ୩୨ ବର୍ଷୀୟ ତେଜେଶ୍ୱରଙ୍କ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ତେଜେଶ୍ୱର ତେଲେଙ୍ଗାନାର ଗଡୱାଲ ସହରର ରାଜବେଦୀନଗରର ବାସିନ୍ଦା ଥିଲେ। ସେ ଗୋଟେ ମାସ ପୂର୍ବରୁ ମେ ୧୮ ତାରିଖରେ କୁର୍ଣ୍ଣୁଲର କଲ୍ଲୁରର ବାସିନ୍ଦା ଈଶ୍ୱର୍ୟା ନାମକ ଏକ ଝିଅ ସହିତ ପ୍ରେମ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ସହଯୋଗୀମାନେ ମିଶି ତେଜେଶ୍ୱରଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରିଛନ୍ତି।
ପାନୟମ କ୍ଷେତ୍ର ଇନ୍ସପେକ୍ଟର କିରଣ କୁମାରଙ୍କ ଅନୁଯାୟୀ, ତେଜେଶ୍ୱର ଜୁନ ୧୭ ତାରିଖରୁ ନିଖୋଜ ଥିଲେ। ଯାହା ପରେ ତାଙ୍କ ଭାଇ ତେଜବର୍ଦ୍ଧନ ଗଡୱାଲ ଥାନାରେ ଏକ ଏଫଆଇଆର ରୁଜୁ କରାଇଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ମୋବାଇଲ୍ ଲୋକେସନ୍ ଟ୍ରାକିଂ ସାହାଯ୍ୟରେ ଜୁନ ୨୧ ତାରିଖରେ NHSS କେନାଲ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଗଡ଼ୱାଲ ଇନ୍ସପେକ୍ଟର ଟି. ଶ୍ରୀନିବାସ ଏହି ହତ୍ୟା ମାମଲାରେ ଗଣମାଧ୍ୟମକୁ କହିଛନ୍ତି ଯେ ସିସିଟିଭି ଫୁଟେଜରେ ଏକ କାର ଚିହ୍ନଟ କରାଯାଇଛି। କାରର ମାଲିକ ଏବଂ ଡ୍ରାଇଭରଙ୍କ ସହ ପଚରାଉଚରା କରାଯାଉଛି। ତେବେ ଏହି ହତ୍ୟା ଟଙ୍କା ଯୋଗୁ ହୋଇଛି କି କୌଣସି ବ୍ୟକ୍ତିଗତ କାରଣରୁ ହୋଇଛି ତାହାର ତଦନ୍ତ କରାଯାଉଅଛି। ତେବେ ତେଜେଶ୍ୱର ଜଣେ ଘରୋଇ ସର୍ଭେୟର ଏବଂ ନୃତ୍ୟ ଶିକ୍ଷକ ଥିଲେ ଏବଂ ସମାଜରେ ତାଙ୍କୁ ବହୁ ସମ୍ମାନ ମିଳୁଥିଲା।ହଠାତ୍ ଏହିପରି ଭାବରେ ତାଙ୍କର ହତ୍ୟା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେଜେଶ୍ୱରଙ୍କୁ କିଏ, କିପରି ଏବଂ କାହିଁକି ହତ୍ୟା କଲା ତାହା ଜାଣିବା ପାଇଁ ବର୍ତ୍ତମାନ ଗଡ଼ୱାଲ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।
Comments are closed.