ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । ଧିରେ ଧିରେ ସ୍ଥଳ ଭାଗ ଆଡେ ଅଗ୍ରସର ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଆଜି(ରବିବାର) ଗଭୀର ଅବପାତର ରୂପ ନେବ । ଆଜିସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର) ଅର୍ଥାତ୍ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ । ୨୮ତାରିଖ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଆଜି ବାତ୍ୟାର ଗତିପଥ ନେଇ ଆହୁରି ଚିତ୍ର ସ୍ପଷ୍ଟ ହେବ ହେବ । ଏହାର ବେଗ କେତେ ରହିବ, କେତେ ଶକ୍ତିଶାଳୀ ହେବ ବାତ୍ୟା ମୋନ୍ଥା, ରାଜ୍ୟର କେଉଁ କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେବ, ସେନେଇ ଅଧିକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଏବେ ସମୁଦ୍ର ଭିତରେ ଗତି କରୁଛି ଅବପାତ ।
ବଙ୍ଗୋପସାଗରରେ ଏକତ୍ରିତ ଘୂର୍ଣ୍ଣିଝଡ଼କୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ତାମିଲନାଡୁକୁ ସତର୍କ କରାଇଛି ଆଇଏମଡି । ଏହା ଭାରତର ପୂର୍ବ ଉପକୂଳ ଆଡକୁ ଆସୁଛି ଏବଂ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ବେଗରେ ପବନ ବହିବ ଏବଂ ଆସନ୍ତା ସପ୍ତାହରୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଅକ୍ଟୋବର ୨୭ ତାରିଖରୁ ଆନ୍ଧ୍ରର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ରାୟଲସୀମା ଅଞ୍ଚଳର କିଛି ଅଂଶକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡିବ, କାରଣ ଘୂର୍ଣ୍ଣିଝଡ଼ “ମୋନ୍ଥା” (ଥାଇଲାଣ୍ଡ ଦ୍ୱାରା ନାମିତ) ଅକ୍ଟୋବର ୨୮ ତାରିଖରେ କାକିନଡା ପାଖାପାଖି ମଛିଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ରାଜ୍ୟର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।
ଅନ୍ୟପଟେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲେ ମଧ୍ୟ ଓଡ଼ିଶାରେ ଏହାର ବ୍ୟାପକ ପ୍ରଭାବ ରହିବ । ଓଡ଼ିଶାରେ ବଡ଼ ବର୍ଷା ହେବ । ସମ୍ଭାବ୍ୟ ବାତ୍ୟା ମୋନ୍ଥାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବବା ବେଳେ ଉତ୍ତର ଓଡିଶାରେ ମଧ୍ୟ ବର୍ଷାର ତାଣ୍ଡବ ଦେଖିବାକୁ ମିଳିବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ ରହିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଯଦିଓ ବାତ୍ୟା ନେଇ ଓଡିଶାରେ କୌଣସି ଆଶଙ୍କା ନଥିବା କୁହାଯାଉଛି, ତଥାପି ବେହାଲ କରିପାରେ ବର୍ଷା । ପାଣିପାଗ ବିଭାଗର ଆକଳନକୁ ନେଇ ଏବେ ସତର୍କ ହୋଇଛନ୍ତି ସରକାର । ଏସ୍ଆରସିଙ୍କ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଳାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରିଲିଫ୍ ସାମଗ୍ରୀ, ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି । ଏଥିସହ ବିଭିନ୍ନ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ଛୁଟିରେ ଯାଇଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.