କଟକ: ଚଳିତ ରଣଜୀ ଟ୍ରଫିରେ ମଧ୍ୟ ଓଡିଶା କ୍ରିକେଟ ଟିମର ପ୍ରଦର୍ଶନରେ ସେଭଳି ସୁଧାର ଦେଖିବାକୁ ମିଳିନି । ଘରୋଇ ପରିବେଶରେ ଓଡିଶା ଇନିଂସ ଓ ୫୦ ରନରେ ଆନ୍ଧ୍ରପ୍ରଦେଶ ନିକଟରୁ ପରାଜିତ ହୋଇଛି । ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୪୭୫ ରନ କରିବା ପରେ ଇନିଂସ ଘୋଷଣା କରିଥିଲା । ଓଡିଶା ପ୍ରଥମ ଇନିଂସରେ ୧୫୧ ରନ କରି ଅଲଆଉଟ ହେବା ସହ ଫଲୋଅନ ହୋଇଥିଲା । ଅବଶ୍ୟ ଦ୍ୱିତୀୟ ଇନିଂସରେ ଓଡିଶା ତୃତୀୟ ଦିବସରେ ଭଲ ପ୍ରଦର୍ଶନ କରିଥିଲା । ଅନ୍ତିମ ଦିବସରେ ବ୍ୟାଟ୍ସମ୍ୟାନଙ୍କ ନିକଟରୁ ଶୃଙ୍ଖଳିତ ପ୍ରଦର୍ଶନ ଆଶା କରାଯାଉଥିଲେ ମଧ୍ୟ ସେମିିକି କିଛି ଦେଖିବାକୁ ମିଳି ନ ଥିଲା । ଆନ୍ଧ୍ର ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଓଡିଶା ୨୭୪ ରନରେ ଅଲଆଉଟ ହୋଇ ଯାଇଥିଲା । ଗୌରବ ଚୌଧୁରୀ ଦଳ ପକ୍ଷରୁ ସର୍ବାଧିକ ୮୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକ ୬୩, ସ୍ୱସ୍ତିକ ସାମଲ ୩୬ ଓ ରାଜେଶ ଧୂପର ୩୮ ରନ କରିଥିଲେ ।
୩ ୱିକେଟ ବିନିମୟରେ ୧୯୮ ରନ କରିଥିବା ଓଡିଶା ୭୬ ରନରେ ବାକି ୭ଟି ୱିକେଟ ହରାଇଥିଲା । ଦଳ ନିକଟରେ ମ୍ୟାଚକୁ ଡ୍ର କରିବା ସୁଯୋଗ ଥିଲେ ମଧ୍ୟ ସେମାନେ ବିଫଳ ହୋଇଥିଲେ । ତ୍ରିୁପରରାନା ବିଜୟ, ସୌରଭ କୁମାର ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ କୌବରୀ ସାଇତେଜା, କେଭି ଶଶିକାନ୍ତ, ପୃଥ୍ୱୀ ରାଜ ଓ ଶେଖ ରଶିଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ସୌରଭ କୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓଡିଶା ୩ଟି ମ୍ୟାଚରୁ ୧ ପଂଏଟ ହାସଲ କରି ୭ମ ସ୍ଥାନରେ ରହିଛି । ଆନ୍ଧ୍ର ୯ ପଂଏଟ ସହ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।
Comments are closed.