ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଆସନ୍ନ ବିଧାନସଭା ନିର୍ବାଚନକୁ ଦେଖି ଦେଶର ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି। ବିଶେଷ କରି ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବିଭିନ୍ନ ଆଗୁଆ ସ୍କିମ ଘୋଷଣା ବେଶ ଲାଭଦାୟୀ ହେଉଛି।
ଏପରିକି କଂଗ୍ରେସର ଗ୍ୟାରେଣ୍ଟି ଫଣ୍ଡା ମଧ୍ୟ ଭଲ କାମ ଦେଉଛି। ଯାହାର ପ୍ରତିଫଳନ କର୍ଣ୍ଣାଟକରେ ଦେଖିବାକୁ ମିଳିଥିବା କୁହାଯାଉଛି। କର୍ଣ୍ଣାଟକରେ ୫ ଟି ଗ୍ୟାରେଣ୍ଟି ବିଭିନ୍ନ ବର୍ଗକୁ ଦଳ ପ୍ରତି ଆକର୍ଷିତ କରିବାର ପ୍ରମୁଖ ମାଧ୍ୟମ ବୋଲି ଆଲୋଚନା ହେଉଛି। ଯେଉଁଥିପାଇଁ ବିଜେପି ସବୁ ଶକ୍ତି ଲଗାଇ ମଧ୍ୟ ବିଫଳ ହେଲା ବୋଲି ଆଲୋଚନା ହେଉଛି।
ସେଥିପାଇଁ ଦେଶର ଅନ୍ୟାନ୍ୟ ପ୍ରମୁଖ ଦଳ ମଧ୍ୟ ଏହି ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ବିରୋଧୀ ଦଳରେ ଥିବା ତେଲୁଗୁ ଦେଶମ ପାର୍ଟି ବା ଟିଡିପି ଏମିତି କିଛି ନୂଆ ଯୋଜନା ସହ କାର୍ଯ୍ୟ ଆରମ୍ଭ କରିଛି।
ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମହିଳା, ବେରୋଜଗାର ଯୁବକ ଓ କୃଷକ ମାନଙ୍କ ପାଇଁ ଆଗୁଆ ଯୋଜନା ଘୋଷଣା କରିଛନ୍ତି। ଆସନ୍ତା ନିର୍ବାଚନରେ କ୍ଷମତାକୁ ଆସିଲେ ଦଳ ବିଭିନ୍ନ ସ୍କିମ ଲାଗୁ କରିବ ବୋଲି କୁହାଯାଇଛି।
ଭବିଷ୍ୟକଥୁ ଗ୍ୟାରେଣ୍ଟି ସ୍କିମ ମାଧ୍ୟମରେ ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ଏବଂ ସବୁ ମା ମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଏବଂ ସବୁ ମହିଳାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ।
ଦଳର ଦୁଇଦିନିଆ ମହାନାଡୁ କାର୍ଯ୍ୟକ୍ରମ ଅବସରରେ ସେ ଏହି ଘୋଷଣା କରିଛନ୍ତି। ସେହିଭଳି ଯୁବ ଗାଲାମ ସ୍କିମ ମାଧ୍ୟମରେ ରାଜ୍ୟରେ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଭିନ୍ନ ସରକାରୀ କ୍ଷେତ୍ରରେ ଏହି ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି ନାଇଡୁ।
ଏଥିସହିତ ଯୁବ ଗାଲାମ ଫଣ୍ଡ ଯୋଜନାରେ ବେରୋଜଗାରଙ୍କୁ ମାସିକ ୩ ହଜାର ଟଙ୍କା ଓ କୃଷକମାନଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଦିଆଯିବ। କର୍ଣ୍ଣାଟକରେ କଂଗ୍ରେସର ଗ୍ୟାରେଣ୍ଟି ଭଳି ଚନ୍ଦ୍ରାବାବୁ ନାଇଡୁ ଏହି ଗ୍ୟାରେଣ୍ଟି ଦେଇଥିବା ବେଳେ ସରକାରକୁ ଆସିବା କ୍ଷଣି ତୁରନ୍ତ ଏସବୁ ପୂରଣ କରାଯିବ ବୋଲି ସେ କହିଛନ୍ତି।
ଏପରିକି ନାଇଡୁଙ୍କ ଗ୍ୟାରେଣ୍ଟି କେବଳ ଏତିକିରେ ସୀମିତ ରହିନାହିଁ। ସରକାରକୁ ଆସିଲେ ପ୍ରତି ଘରକୁ ଶୁଦ୍ଧ ପାନୀୟ ଜଳ ସହ ପଛୁଆ ବର୍ଗଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଅଣାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରି ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚନ୍ଦ୍ରାବାବୁ ନାଇଡୁ ଦଳୀୟ ନେତା ଓ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି।
ଆସନ୍ତା ନିର୍ବାଚନରେ ଟିଡିପି କ୍ଷମତାକୁ ଫେରିବ ବୋଲି ଆଶା ରଖିବା ସହ ଗ୍ୟାରେଣ୍ଟି ଫଣ୍ଡା ଆପଣାଇଛନ୍ତି ଚନ୍ଦ୍ରାବାବୁ। ଆନ୍ଧ୍ରପ୍ରଦେଶରେ ଦୀର୍ଘ ବର୍ଷ ଶାସନ କରିଥିବା ଟିଡିପି ଗତ ନିର୍ବାଚନରେ ଅତି ଖରାପ ପ୍ରଦର୍ଶନ କରିଥିଲା।
ଆନ୍ଧ୍ରପ୍ରଦେଶରେ ୨୦୧୯ ନିର୍ବାଚନରେ ଟିଡିପି ୧୭୫ ଟି ସିଟ ମଧ୍ୟରୁ ୨୩ ଟି ସିଟ ଜିତିବାକୁ ସକ୍ଷମ ହୋଇଥିଲା। ସେହିଭଳି ଲୋକସଭାରେ ଦଳର ତିନି ଜଣ ସାଂସଦ ରହିଛନ୍ତି।
ତେଣୁ ଏବେ ଦଳ ଆନ୍ଧ୍ରପ୍ରଦେଶରେ ଶାସନକୁ ବଡ଼ ଆକାରରେ ବ୍ୟାକ କରିବା ପାଇଁ ଏଭଳି ଗ୍ୟାରେଣ୍ଟି ଫଣ୍ଡା ଆପଣାଇଛି। ତେଣୁ ଆନ୍ଧ୍ରରେ ଏହା କେମିତି କାମ କରିବ ତା ଉପରେ ନଜର।
Comments are closed.