Latest Odisha News

BREAKING NEWS

ପରିଧାନ ବଦଳିଲା କିନ୍ତୁ ତ୍ରୁଟି ସୁଧୁରିଲାନି; ଶେଷରେ ନବ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଲେ ମ୍ୟୁନିସିପାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ପରିଧାନ ବଦଳିଲା କିନ୍ତୁ ତ୍ରୁଟି ସୁଧୁରିଲାନି । ପରିବର୍ତ୍ତନ ପରେ ବି  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିର ପରିଧାନକୁ ନେଇ ପୁଣି ଉଠିଛି  ବିବାଦ  । ଶେଷରେ ଏହି ପ୍ରତିମୂର୍ତ୍ତିକୁ ସେଠାରୁ ଉଠାଇ ନେଇଛନ୍ତି ଅନୁଗୁଳ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ।

ଜୀବନରେ ଖଦୀ ଧୋତି ବ୍ୟତୀତ ଅନ୍ୟକିଛି ପିନ୍ଧି ନ ଥିବା ନବକୃଷ୍ଣ ଚୌଧୁରୀଙ୍କୁ ସୁଟ, ବୁଟ ପିନ୍ଧାଇଲେ । ବିରୋଧ ହେବାରୁ ତାକୁ ବଦଳାଇ ଧୋତି ପିନ୍ଧାଇଲେ । ସେ ବି ଠିକ ଭାବେ ପିନ୍ଧାଇଲେନି । ଏମିତି ଧୋତି ପିନ୍ଧାଇଲେ ଯେ ତାକୁ ନେଇ ବି ଅସନ୍ତୋଷ ଦେଖା ଦେଇଛି । ଜାଣି ଶୁଣି ବାରମ୍ବାର ନବକୃଷ୍ଣ ଚୌଧୁରୀଙ୍କୁ ଅପମାନିତ କରାଯାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି ।

ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ଓ ଫତେଇ ପିନ୍ଧୁଥିଲେ । ହେଲେ ଏହି ପ୍ରତିମୂର୍ତ୍ତିରେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଛି । ଏହାକୁ ନେଇ ନବ ପ୍ରେମୀ ପ୍ରତିବାଦ କରିଥିବାବେଳେ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ସ୍ୱର ଉଠାଇଛନ୍ତି । ଏହା ଅତ୍ୟନ୍ତ ଅଶୋଭନୀୟ ବୋଲି ସେ କହିବା ସହ ପୌରପାଳିକା ବାରମ୍ବାର ତାଙ୍କୁ ଅପମାନିତ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଏଠି କହରଖିବୁ, ଗତ ଉତ୍କଳ ଦିବସରେ ଅନୁଗୁଳ ଗୋପବନ୍ଧୁ ପାର୍କଠାରେ ନବକୃଷ୍ଣ ଚୌଧୁରୀଙ୍କର ଏକ ଫାଇବର ମୂ୍ର୍ତ୍ତିକୁ ଅନବରଣ କରାଯାଇଥିଲା । ହେଲେ ଏହି ପ୍ରତିମୂର୍ତ୍ତିରେ ନବକୃଷ୍ଣ ପ୍ୟାଣ୍ଟ, ସର୍ଟ, ଜୋତା ପିନ୍ଧାଇ ଦିଆଯାଇଥିଲା । ଆଜୀବନ ଖଦି ଧୋତି ଓ ଫତେଇ ପିନ୍ଧି ଆସୁଥିଲେ ନବକୃଷ୍ଣ । ଏକଥା ସମସ୍ତେ ଜାଣନ୍ତି । ହେଲେ ପ୍ରଶାସନ ପକ୍ଷରୁ କେମିତି ତାଙ୍କୁ ଏପରି ପୋଷାକ ପିନ୍ଧାଗଲା ଏବଂ ତାହାକୁ ଅନାବରଣ ପାଇଁ ଅନୁମତି ମିଳିଥିଲା ତାହାକୁ ନେଇ ବିବାଦ ଦେଖା ଦେଇଥିଲା ।

ପ୍ରତିମୂର୍ତ୍ତିର ଏପରି ପରିଧାନକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବା ପରେ ସୋମବାର ଅନୁଗୁଳ ପୌର ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ଏକ ଚିଠିରେ ପୌର ପରିଷଦ ପକ୍ଷରୁ କୁହାଯାଇଥିଲା ଯେ, ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା  । କିନ୍ତୁ ଏଥିରେ ସେମାନଙ୍କ ପରିଧାନର ସୂଚନା ନଥିଲା । ଏପରିକି ସ୍ଥାନୀୟ ବୁଦ୍ଧିଜୀବୀ ବି କୁଆଡେ ପରିଧାନ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇପାରି ନଥିଲେ ବୋଲି ଚିଠିରେ ଉଲ୍ଲେଖ ରହିଛି । ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯାଉଛି ଓ ଏହା ଏକ ଅନିଚ୍ଛାକୃତ ତ୍ରୁଟି ବୋଲି ସଫେଇ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ। ଭବିଷ୍ୟତରେ ଏପ୍ରକାର ଭୁଲର ପୁନରାବୃତ୍ତି ହେବନି ବୋଲି ଚିଠିରେ କୁହାଯାଇଛି।

ଏହା ପରେ ପ୍ରତିମୂର୍ତ୍ତିର ପରିଧାନକୁ ବଦଳା ଯାଇଥିଲେ ହେଁ ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ ଥିଲା । ଏପରି ଧୋତି ପିନ୍ଧାକୁ ଦେଖି ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କୁ ଜାଣି ଜାଣି ବଦାନମ କରୁଛି ବୋଲି ଅଭିଯୋଗ ଆସିଛି ।

Comments are closed.