ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୱାର୍ଲ୍ଡ ଆଥଲେଟିକ୍ସ କଂଟିନେଂଟାଲ ଟୁର ବ୍ରୋଞ୍ଜ ଇଭେଂଟରେ ଓଡିଶାର ଅନୀମେଶ କୁଜୁର ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତରେ ପ୍ରଥମଥର ପାଇଁ ଏହି ମେଗା ପ୍ରତିଯୋଗିତା ଆୟୋଜିତ ହେଉଛି । ଅନୀମେଶ ୨୦୦ ମିଟର ପୁରୁଷ ଦୌଡରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେ ୨୦.୭୭ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରି ପ୍ରଥମ ସ୍ଥାନରେ ରହିଥିଲେ । ଦକ୍ଷିଣ କୋରିଆର କୋ ସିଙ୍ଗୱାନ (୨୦.୯୫) ରୌପ୍ୟ ଏବଂ ଭାରତର ରାଗୁଲ କୁମାର(୨୧.୧୭) ବ୍ରୋଞ୍ଜ ପଦକ ଜିିତିଛନ୍ତି ।
ଅବଶ୍ୟ କୁଜୁର ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ମାର୍କକୁ ଅତିକ୍ରମ କରିପାରି ନାହାନ୍ତି । ୨୨ ବର୍ଷୀୟ ଏହି ଓଡିଶା ଆଥଲେଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦.୩୨ ସେକେଣ୍ଡ ରହିଛି । ସେ ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୧୦୦ ମିଟର ଫାଇନାଲରେ ପ୍ରବେଶ କରିବାରେ ଅନୀମେଶ ବିଫଳ ହୋଇଥିଲେ ।
ହର୍ଡଲ୍ସରେ ପ୍ରଜ୍ଞାଙ୍କୁ ସଫଳତା: ୧୦୦ ମିଟର ମହିଳା ହର୍ଡଲ୍ସରେ ଓଡିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁଙ୍କ ପରେ ଅନୀମେଶଙ୍କ ସଫଳତା ଓଡିଶା କ୍ରୀଡାପ୍ରେମୀଙ୍କୁ ଆନନ୍ଦ ପ୍ରଦାନ କରିଛି । ୨୫ ବର୍ଷୀୟା ପ୍ରଜ୍ଞା ୧୩.୭୪ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ଜିତିଥିଲେ । ତାମିଲନାଡୁର ନନ୍ଦିନୀ କୋଙ୍ଘାମ(୧୩.୮୦) ରୌପ୍ୟ ଓ କେରଳର ଅଞ୍ଜଳି ସି ବ୍ରୋଞ୍ଜ ପଦକ ଜିିତିଛନ୍ତି ।
ଫେଲ ମାରିଲେ ଲାଲୁ, ଶ୍ରାବଣୀ: ଓଡିଶାର ଷ୍ଟାର ଆଥଲେଟ ଲାଲୁ ପ୍ରସାଦ ଭୋଇ କିଛି କମାଲ କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ସେ ବିଫଳ ହୋଇଛନ୍ତି । ଲାଲୁ ୧୦୦ ମିଟର ଫାଇନାଲରେ ୧୦.୫୪ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ । ମାଲେସିଆର ମହମ୍ମଦ ଅଜୀମ (୧୦.୩୫) ସ୍ୱର୍ଣ୍ଣ, ଶ୍ରୀଲଙ୍କାର ଚାମୋଦ(୧୦.୪୩) ରୌପ୍ୟ ଓ ମାଲେସିଆର ଡାନୀଶ ଇଫତିକାର(୧୦.୫୦) ବ୍ରୋଞ୍ଜ ପଦକ ଜିିତିଥିଲେ । ୧୦୦ ମିଟର ମହିଳା ବିଭାଗରେ ଓଡିଶାର ଶ୍ରାବଣୀ ନନ୍ଦ ୧୧.୮୬ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ରହିଥିଲେ ।
Comments are closed.