ଭୁବନେଶ୍ୱର: ଗତକାଲି ସକ୍ରିୟ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳକର ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ୩ ଦିନ ଭିତରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମଧ୍ୟଦେଇ ଗତି କରିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ଅଧିକାଂଶ ସ୍ଥାନକର ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି ।
ଏହାର ପ୍ରଭାବକୁ ସାମ୍ନା କରୁ କରୁ ପୁଣି ଆସୁଛି ଆଉ ଏକ ଲଢୁଚାପ । ଅଗଷ୍ଟ ୨୩ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ବା ଭାରତୀୟ ପାଣିପାଗ ବିଭାଗ । ଏ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଶୁକ୍ରବାର ସୂଚନା ଦେଇ କହିଛନ୍ତି, ଏହାର ପ୍ରଭାବରେ ଅଗଷ୍ଟ ୨୩ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ପୁଣି ବୃଦ୍ଧି ପାଇପାରେ ।
ତେବେ ଆସନ୍ତା ଦୁଇଦିନ ପାଇଁ ସତର୍କ ସୂଚନା ଜାରି କରିଛି ଆଇଏମଡି । ଆସନ୍ତା କାଲି ଅର୍ଥାତ ୧୯ ତାରଖ ପାଇଁ ୧୩ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ , ସୁନ୍ଦରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡା, ଏବଂ ବରଗଡ ଜିଲ୍ଲା । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅର୍ଥାତ ୭ ରୁ୨୦ ସେମି ବର୍ଷା ସମ୍ଭାବନା ରହିଛି ।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜ୍ପୁର, କେନ୍ଦ୍ରାପଡା, ଜ୍ଗତସିଂହପୁର, କଟକ, ଖୋର୍ଦ୍ଧା,ନୟାଗଡ, ପୁରୀ, ଗଞ୍ଜାମ, ଗଜ୍ପତି, ରାୟଗଡା, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗାଟିଏ ଦୁଇଟି ସ୍ଥାନରେ ପ୍ରବଳ ଅର୍ଥାତ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ତେବେ ୨୦ ତାରିଖରେ ପାଗରେ ପରିବର୍ତ୍ତନ ଦେଖା ଦେବା ସମ୍ଭାବନା ରହିଛି । ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ଗାେଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ପାଣିପାଗ ବିଭାଗର କୌଣସି ସତର୍କ ସୂଚନା ନାହିଁ ।
Comments are closed.