ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ପୁଣି ଜଣଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କର ଆଜି ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଜିତା ମାଝୀ। ମୃତକ ଜିତାଙ୍କୁ ମିଶାଇ ଆମ୍ବ ଟାକୁଆ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।
ଆମ୍ବ କୋଇଲି ଜାଉ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇ ଗତ ୨ ତାରିଖରେ ଜିତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ମେଡିସିନ ବିଭାଗର ଆଇସିୟୁରେ ରଖାଯାଇଥିଲା। ସେଠାରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ହେମୋ ଡାୟଲିସିସ କରାଯାଉଥିଲା। ହେଲେ ଡାକ୍ତରି ଟିମ୍ ର ଶତ ଚେଷ୍ଟା ପରେ ମଧ୍ୟ ସେମାନେ ଜିତାକୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଘଟଣାରେ ଆଉ ଜଣେ ଏବେ ମଧ୍ୟ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଆମ୍ବ କୋଇଲି ଜାଉ ଖାଇ ପୂର୍ବରୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ଜୀବନ ଯାଇଥିଲା। ଏହି ପ୍ରସଙ୍ଗ ପାଇଁ ରାଜ୍ୟ ରାଜନୀତିରେ ତମ୍ବିତୋଫାନ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗତ ୫ ତାରିଖରେ ସରକାର ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
Comments are closed.