ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ୱାରା ପରିଚାଳିତ ‘ଆମ ବସ୍’ର ଦୁଇଟି ଇଲେକ୍ଟ୍ରିକ୍ ବସରେ ଅଗ୍ନିକାଣ୍ଡ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି।
ତେବେ ଶନିବାର ସକାଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ଘାଟିକିଆର IGKC ହସ୍ପିଟାଲ ଅଞ୍ଚଳକୁ ଯାଉଥିବା ଏକ ବସରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ନିଆଁ ଲାଗିଯାଇଥିଲା।ସେହି ସମୟରେ ବସରେ ଉପସ୍ଥିତ ଥିବା ୨୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାବ୍ୟତୀତ ପ୍ରାୟ ୩ଟା ୩୦ମି. ସମୟରେ ପଟିଆର ଏକ ଡିପୋରେ ଅନ୍ୟ ଏକ ଇ-ବସ୍ ରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହି ଇ-ବସ୍ ଟି ନିଜର ନିର୍ଦ୍ଧାରିତ ରୁଟ୍ ସେବା ସମାପ୍ତ କରିସାରିବା ପରେ ମଧ୍ୟବର୍ତ୍ତୀ ଚାର୍ଜିଂ ପାଇଁ ଡିପୋକୁ ଫେରିଥିଲା। ଏହାର କିଛି ସମୟ ପରେ ବ୍ୟାଟେରୀ କମ୍ପାର୍ଟମେଣ୍ଟରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।
ଯାହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଅଗ୍ନିକାଣ୍ଡର ମୁଖ୍ୟ କାରଣ ବ୍ୟାଟେରୀ ୟୁନିଟରେ ସର୍ଟ ସର୍କିଟ୍ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ଏସବୁ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା କୁହାଯାଇଛି। ଯେଉଁଥିରେ TPCODL, ପରିବହନ ବିଭାଗ, ବସ୍ ନିର୍ମାଣକାରୀ କମ୍ପାନୀ ଏବଂ କ୍ରୁଟର ବୈଷୟିକ ଅଧିକାରୀ ସାମିଲ ରହିଛନ୍ତି। ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ଓ ଏହାକୁ ନେଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରାଯିବ ବୋଲି କମିଟି ତରଫରୁ କୁହାଯାଇଛି।
Comments are closed.